ମହିଳାଙ୍କ ଫଟା ଜିନ୍ସ ଦେଖି ଫିଡିକିଲେ ମୁଖ୍ୟମନ୍ତ୍ରୀ

ଡେରାଡ଼ୁନ୍‌: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ କ୍ଷମତାକୁ ଆସିବା ପରେ ପରେ ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ମଙ୍ଗଳବାର ଡେରାଡୁନ୍‌ରେ ଶିଶୁ ଅଧିକାର ସୁରକ୍ଷାକୁ ନେଇ ଏକ ୱର୍କଶପ ଆୟୋଜନ କରାଯାଇଥିଲା। ଏହି ଅବସରରେ  ମୁଖ୍ୟମନ୍ତ୍ରୀ ମହିଳାଙ୍କ ଫଟା ଜିନ୍ସ ପିନ୍ଧିବାକୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ, ଏପରି ପୋଷାକ ପିନ୍ଧୁଥିବା ମହିଳା ନିଜ ପିଲାମାନଙ୍କ ପାଇଁ  ଘରେ ଠିକ ପରିବେଶରେ ସୃଷ୍ଟି କରିପାରୁ ଥିବେ ଏମିତି ବିଶ୍ୱାସ ମୋର ହେଉନାହିଁ।

ସେ କହିଥିଲେ, ଏନ୍‌ଜିଓ ଚଲାଉଥିବା ଜଣେ ମହିଳାଙ୍କୁ ଫଟା ଜିନ୍ସ ପିନ୍ଧିଥିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେ ସମାଜରେ କି ପ୍ରକାର ଉଦାହାରଣ ସୃଷ୍ଟି କରିପାରୁଥିବେ ସେ ନେଇ ଚିନ୍ତାରେ ପଡିଥିଲେ । ଯଦି ଏପରି ମହିଳା କାହାକୁ ଦେଖା କରିବାକୁ ଯିବେ, କାହାକୁ ନିଜର ସମସ୍ୟା ଶୁଣାଇବାକୁ ଯିବେ ତେବେ ଆମେ ସମାଜ, ନିଜ ପିଲାମାନଙ୍କୁ କି ପ୍ରକାର ଶିକ୍ଷା ଦେବା ? ଏସବୁ ଶିକ୍ଷା ଘରୁ ହିଁ ଆରମ୍ଭ ହୋଇଥାଏ। ଆମେ ଯାହା କରିବା ପିଲାମାନେ ତାହା ହିଁ ଶିଖିବେ। ପିଲାମାନଙ୍କୁ ଘରୁ ସଂସ୍କାର କ’ଣ ଶିକ୍ଷା ଦିଆଗଲେ, ସେମାନେ ଭବିଷ୍ୟତରେ ଯେତେ ଆଧୁନିକ ହୁଅନ୍ତୁ ନା କାହିଁକି, ଜୀବନରେ କେବେ ବିଫଳ ହେବେ ନାହିଁ।

ସେ ଆହୁରି କହିଥିଲେ, ଗୋଟିଏ ପଟେ ପାଶ୍ଚାତ୍ୟ ଦେଶ ଭାରତର ଯୋଗ ଏବଂ ନିଜର ଶରୀର ଘୋଡାଇବା ପରମ୍ପରାକୁ ଦେଖୁଥିବାବେଳେ ଆମେ ନଗ୍ନତା ପଛରେ ଧାଉଁଛୁ ବୋଲି କହିଥିଲେ। ମହିଳାମାନେ କେଉଁଥିରେ କମ୍‌ ନୁହଁନ୍ତି, ଆଣ୍ଠୁ ଦେଖାଉଛନ୍ତି-ଏପରି ମାନସିକତା ଭଲ କି ବୋଲି ସେ ପ୍ରଶ୍ନ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ବୟାନ ତ ଏତିକିରେ ଥିଲା। ହେଲେ ତାଙ୍କର ନୂଆ ମନ୍ତ୍ରୀ ଗଣେଶ ଯୋଶୀ ଏଥିସହ ଆହୁରି କିଛି ଅଧିକ ରୋଚକ କଥା ଯୋଡ଼ିଥିଲେ। ସେ କହିଥିଲେ, ମହିଳାମାନେ ସନ୍ତାନଙ୍କ ଉତ୍ତମ ପାଳନପୋଷଣ ଉପରେ ଧ୍ୟାନ ଦେବା ଉଚିତ। ସେ କହିଥିଲେ, ମହିଳାମାନେ କହୁଛନ୍ତି, ଜୀବନରେ କ’ଣ କରିବା ଉଚିତ୍‌। ହେଲେ ସେମାନଙ୍କ ପାଇଁ ସବୁଠାରୁ ଜରୁରୀ ହେଉଛି, ନିଜ ପରିବାର ଏବଂ ଓ ପିଲାମାନଙ୍କର ଉପଯୁକ୍ତ ଯତ୍ନ ନେବା।

ନୂଆ ମୁଖ୍ୟମନ୍ତ୍ରୀଙ୍କ ଏପରି ବୟାନକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। ବିଜେପି ମଧ୍ୟ ସଫେଇ ମାଗିଛି। କଂଗ୍ରେସ ନେତା ସଞ୍ଜୟ ଝା ଏକ ଟ୍ୱିଟ କରି ଏପରି ବୟାନକୁ ଅତ୍ୟନ୍ତ ଲଜ୍ଜାଜନକ ବୋଲି କହିଛନ୍ତି। ବିଜେପି ପ୍ରଶ୍ନ କରିଛି, ମୁଖ୍ୟମନ୍ତ୍ରୀ ଏପରି ବୟନ ଦେଇ କ‘ଣ କହିବାକୁ ଚାହୁଁଛି ? ବିଜେପି କହିଛି, ବିଭାଜନକାରୀ ରାଜନୀତି କରି ସମାଜକୁ ଭାଙ୍ଗିବା ଠିକ୍‌ କଥା। କିନ୍ତୁ ମହିଳାଙ୍କୁ ଫଟା ଜିନ୍ସରେ ସମାଜ ନଷ୍ଟ ହେଉଛି-ଏ କିପରି କଥା ?

 

 

You might also like