କରୋନା ଯୁଦ୍ଧରେ ଜିତିଲେ ୭୦ ବର୍ଷର ବୃଦ୍ଧା

ଲକ୍ଷ୍ନୌ: ମହାମାରୀ କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱ ଚିନ୍ତିତ। କିନ୍ତୁ ଏହି ସମୟରେ ୟୁପିରୁ ଏକ ଖୁସି ଖବର ଆସିଛି। ପିଲିଭିତ୍‌ ଜିଲ୍ଲାରେ ୭୦ ବର୍ଷର ବୃଦ୍ଧା କିଲର କରୋନା କବଳରୁ ଜିତିଛନ୍ତି। ମହିଳା ଜଣକ କରୋନାରେ ପଜିଟିଭ୍‌ ବୋଲି ଜଣାପଡିଥିଲେ। କିନ୍ତୁ  ଚିକିତ୍ସା ପରେ ଏବେ ତାଙ୍କର ଦୁଇଟି ରିପୋର୍ଟ କ୍ରମାଗତ ଭାବେ ନେଗେଟିଭ୍‌ ଆସିଛି।

ପିଲିଭିତ୍‌ ଜିଲ୍ଲାରେ ଦୁଇଜଣ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଥିଲେ। ଏହି ଦୁଇଜଣ ସାଉଦି ଆରବରୁ ଫେରିଥିଲେ। ପରେ ସେମାନଙ୍କୁ ଆଇସୋଲେସନ୍‌ରେ ରଖା ଯାଇଥିଲା। କିନ୍ତୁ ଖୁସିର କଥା ହେଉଛି ଯେ, ସେ ଦୁହିଁଙ୍କ ମଧ୍ୟରୁ ଜଣେ ୭୦ ବର୍ଷର ବୃଦ୍ଧାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି। କାରଣ ତାଙ୍କର ଦ୍ୱିତୀୟ ଥର ରିପୋର୍ଟଟି ନେଗେଟିଭ୍‌ ଆସିଛି।

ସାଉଦି ଆରବ ଯାଇଥିବା ପିଲିଭିତର  ୩୭ ଜଣ ଯାତ୍ରୀଙ୍କ ମଧ୍ୟରୁ ଅମରିୟା ପୋଲିସ ଷ୍ଟେସନ ଅଞ୍ଚଳର ମା’ ଓ ପୁଅ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଥିଲା। ଏହାପରେ ତାଙ୍କୁ ଆଇସୋଲେସନ୍‌ ୱାର୍ଡରେ ରଖା ଯାଇଥିଲା। ଅନ୍ୟମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖା ଯାଇଥିଲା ।

ପରେ ବୃଦ୍ଧାଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ଲକ୍ଷ୍ନୌକୁ ପଠାଯାଇଥିଲା। ଦ୍ୱିତୀୟ ଥର ପାଇଁ ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଏହି ରିପୋର୍ଟ ପିଲିଭିତର ସ୍ୱାସ୍ଥ୍ୟ ବିଭାଗ ପାଇଁ ଏକପ୍ରକାର ଆଶ୍ୱସ୍ତି ଆଣିଥିଲା।

ପିଲିଭିତର ଡିଏମ୍ ବୈଭବ ଶ୍ରୀବାସ୍ତବ କହିଛନ୍ତି, ଏ ସମୟ ଖୁସି ବନେଇବାର ସମୟ ନୁହେଁ। ସମସ୍ତେ ସର୍ତକ ରହିବା ଆବଶ୍ୟକ। ଆଖପାଖ ଜିଲ୍ଲାମାନଙ୍କରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ତେଣୁ ସମସ୍ତେ ଘରେ ରହି ଲକ୍‌ଡାଉନ୍‌ ନିୟମକୁ ପାଳନ କରନ୍ତୁ।

You might also like