ଜ୍ୱର ହୋଇଥିବା ରୋଗୀଙ୍କ ଚିକିତ୍ସା କଲେନି ଡାକ୍ତର, ତା’ପରେ…

ଗାଜିଆବାଦ: କରୋନା ମହାମାରୀକୁ ନେଇ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଲକ୍‌ଡାଉନ୍‌କୁ ନେଇ ଲୋକମାନେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗାଜିଆବାଦରେ। ଅତ୍ୟଧିକ ଜ୍ୱରରେ ପୀଡିତ ବ୍ୟକ୍ତିଙ୍କୁ ସରକାରୀ ଡାକ୍ତରଖାନାରେ ଚିକିତ୍ସା କରିବାକୁ ମନା କରିଥିଲେ ବୋଲି ଅଭିଯୋଗ ହୋଇଛି। ପରେ ବ୍ୟକ୍ତି ଜଣଙ୍କ ୨୭ କିଲୋମିଟର ଚାଲି ଚାଲି ତାଙ୍କ ଘରେ ପହଞ୍ଚିଥିଲେ। ବ୍ୟକ୍ତିଙ୍କ ପରିବାର ଲୋକ ଭୟ କରୁଛନ୍ତି ଯେ ତାଙ୍କ ପାଖରେ କରୋନା ନାହିଁ ତ?

ଖବର ଅନୁଯାୟୀ, ଲୋନି ଅଞ୍ଚଳର ପୁନିତ୍‌ କୁମାର ନାମକ ଜଣେ ବ୍ୟକ୍ତିଙ୍କୁ ଦୁଇ ଦିନ ଧରି ଜ୍ୱର ହୋଇଥିଲା। ସେମାନେ ଅଭିଯୋଗ କରିଛନ୍ତି ଯେ ସ୍ଥାନୀୟ ଡାକ୍ତରଖାନା ତାଙ୍କୁ ଚିକିତ୍ସା କରିବା ପରିବର୍ତ୍ତେ ଜିଲ୍ଲା ଡାକ୍ତରଖାନାକୁ ପଠାଇଛନ୍ତି। ସେଠାରେ ମଧ୍ୟ କୌଣସି ଡାକ୍ତର ତାଙ୍କୁ ଦେଖି ନଥିବାରୁ ସେ ପାଟିତୁଣ୍ଡ କରିଥିଲେ। ଏହାପରେ ଡାକ୍ତର ତାଙ୍କୁ ଦେଖି ଔଷଧ ଦେଇଥିଲେ କିନ୍ତୁ ଆଡମିଟ୍‌ କରିନଥିଲେ କି ତାଙ୍କର ରକ୍ତ ନମୁନା ପରୀକ୍ଷା ମଧ୍ୟ କରିନଥିଲେ।

ପୁନିତ୍‌ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଯେତେବେଳେ ଆମ୍ୱୁଲାନ୍ସ କଥା କହିଥିଲି ସେଥିରୁ ମଧ୍ୟ ମତେ ବଞ୍ଚିତ କରାଗଲା। ପରେ ପୋଲିସର ସହାୟତା ମାଗିଥିଲି ସେମାନେ ମଧ୍ୟ ନିରାଶ କରିଥିଲେ। କୌଣସି ଉପାୟ ନପାଇ ସନ୍ଧ୍ୟା ୭ଟା ସମୟରେ ଚାଲିଚାଲି ରାତି ପ୍ରାୟ ୧୨ଟା ବେଳକୁ ଘରେ ପହଞ୍ଚିଥିଲି।

You might also like