ପ୍ରବାସୀ ଓଡିଅାଙ୍କ ମାତୃଭାଷା ଶିକ୍ଷା

‘ଅାମେ ଓଡିଅା ଅାମ ଭାଷା ଓଡିଅା’ ଅଭିଯାନ

ବିଶାଖାପାଟଣା  : ହାତରେ ଖଡି , ସିଲଟ ଧରି ପିଲାମାନେ ପଢୁଛନ୍ତି ଓଡ଼ିଆ ପାଠ। ଓଡିଅା ବର୍ଣ୍ଣମାଳା ଠାରୁ ପଣିକିଅା ଅାଉ ତା ସାଙ୍ଗକୁ ପିଲାଙ୍କୁ ଶିଖାଯାଉଛି ଓଡିଅାରେ କଥାବର୍ତ୍ତା। ତେବେ ଏହା ଓଡିଶାରେ ଥିବା କୌଣସି ସ୍କୁଲରେ  ନୁହେଁ, ଏହା ଦେଖିବାକୁ ମିଳିଛି ଅାନ୍ଧ୍ରପ୍ରଦେଶର ବିଶାଖାପାଟଣା ସହରରେ। ଯେଉଁଠି ନିଜ ପିଲାମାନଙ୍କୁ ନିଜ ମାତୃଭାଷା ଶିଖାଇବା ପାଇଁ ଅଣ୍ଟା ଭିଡିଛନ୍ତି ଅଭିଭାବକ ଓ ସ୍ୱେଚ୍ଛାସେବୀ।

ଓଡ଼ିଶା ଠାରୁ ସିନା ଏମାନେ ଦୂରରେ ରହିଛନ୍ତି। ହେଲେ ମାତୃଭୂମୀ ଓ ମାତୃଭାଷା ପ୍ରତି କମିନି ଭଲ ପାଇବା।   ଦୀର୍ଘ ୪୦ ବର୍ଷ ହେବ ନିଜ ମାତୃଭୂମୀ ଠାରୁ ଦୂରରେ ଏମାନେ । ହେଲେ ନିଜ ପିଲାମାନଙ୍କୁ ଓଡିଅା ଶିଖାଇବା ପାଇଁ ଅାରମ୍ଭ କରିଛନ୍ତି ପ୍ରୟାସ । ଅାଉ ସେମାନଙ୍କ ପିଲାମାନଙ୍କୁ ଓଡିଅା ଶିଖାଇବା ପାଇଁ ଅାଗେଇ ଅାସିଛନ୍ତି ବିଶାଖାପଟଣା ସ୍ଥିତ ଉତ୍କଳ ଯୁବ ସମାଜ।

ଅାମେ ଓଡିଅା ଅାମ ଭାଷା ଓଡିଅା କାର୍ଯ୍ୟକ୍ରମ ମାଧ୍ୟମରେ ଅାରମ୍ଭ ହୋଇଛି ଏହି ଅଭିଯାନ। ପ୍ରତି ରବିବାର ଅପରାହ୍ନରେ ଚାଲେ ପିଲାମାନଙ୍କର ଓଡିଅା କ୍ଲାସ୍। ବର୍ତ୍ତମାନ ଏଠାରେ ପାଖାପାଖି ୬୦ରୁ ଉର୍ଦ୍ଧ୍ୱ ପିଲା ଏହି କ୍ଲାସରେ ଓଡିଅା ଶିଖୁଛନ୍ତି। ତେବେ ଏଥିପାଇଁ ପିଲାମାନଙ୍କ ଠାରୁ କୌଣସି ପାଉଣା ନିଅାଯାଉନଥିବା କହିଛନ୍ତି ଉତ୍କଳ ଯୁବ ସମାଜର ଉପସଭାପତି ।

ଅାଗାମୀ ଦିନରେ ୨୦୦ ପିଲାଙ୍କୁ ଶିକ୍ଷା ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି। ବିଶାଖାପାଟଣାରୁ ଅାରମ୍ଭ ହୋଇଥିବା ଏହି ଅଭିଯାନ ଅନ୍ୟ ରାଜ୍ୟମାନଙ୍କରେ ଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ଏକ ଦୃଷ୍ଟାନ୍ତ।

You might also like