ଆସିଲା ପ୍ରଥମ କରୋନା ଭାକ୍ସିନ; ପୁଟିନ ଝିଅ ନେଲେ ଟିକା

ନୂଆଦିଲ୍ଲୀ: ଆସିଲା ବିଶ୍ୱର ପ୍ରଥମ କରୋନା ଭାକ୍ସିନ। ଏହି ପ୍ରଥମ ଭାକ୍ସିନ ଲଞ୍ଚ କରିଛି ଋଷ। ଋଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଗଷ୍ଟ ୧୨ ତାରିଖ ଏହି ଭାକ୍ସିନ ଲଞ୍ଚ କରିବ ବୋଲି ପୂର୍ବରୁ ରେଜିଷ୍ଟ୍ରେସନ କରିଥିଲା। ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଝିଅଙ୍କୁ ଏହି ଟିକା ଦିଆଯାଇଛି। ଏ ନେଇ ନିଜେ ରାଷ୍ଟ୍ରପତି ପୁଟିନ ଏକ ସୂଚନା ଦେଇଛନ୍ତି। ତେବେ ସେ ଏହି ଟିକା ନେଇଛନ୍ତି କି ନାହିଁ ସ୍ପଷ୍ଟ କରିନାହାନ୍ତି। 

ପୁଟିନ କହିଛନ୍ତି, ମୋ ଝିଅ ଏହି ଭାକ୍ସିନ ନେଇଛନ୍ତି। ଆରମ୍ଭରୁ ତାଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା। ଏବେ ସେ ବିଲ୍‌କୁଲ ସୁସ୍ଥ ଅଛି। ମୋ ଝିଅ ଏବେ ଠିକ୍‌ ଅଛି ଏବଂ ସୁସ୍ଥତା ଅନୁଭବ କରୁଛି।

ବର୍ତ୍ତମାନ ସୁଦ୍ଧା ବିଶ୍ୱର କୌଣସି ଦେଶ ଭାକ୍ସିନ ପ୍ରସ୍ତୁତି କରିବାରେ ସଫଳ ହୋଇ ନ ଥିବାବେଳେ ଋଷକୁ ଏହି ସଫଳତା ମିଳିଛି। ପ୍ରଥମେ ଏହି ଭାକ୍ସିନ ସ୍ୱାସ୍ଥ୍ୟ କର୍ମୀଙ୍କୁ ଦେବ ବୋଲି ନିଷ୍ପତ୍ତି ନେଇଛି ମସ୍କୋ।  ଏହା ପରେ ବୟସ୍କମାନଙ୍କୁ ଦିଆଯିବ। ତେବେ ଏହି ଭାକ୍ସିନ ଅଧିକରୁ ଅଧିକ ଉତ୍ପାଦନ ସେପ୍ଟେମ୍ବରରୁ ଆରମ୍ଭ ହେବ।

ଋଷ ଏହି ଭାକ୍ସିନ ଫିଲିପାଇନନ୍ସକୁ ଦେବା ପାଇଁ ଅଫର ଦେଇଥିଲା। ଫିଲିପାଇନ୍ସ ରାଷ୍ଟ୍ରପତି ଏହି ଅଫରକୁ ସ୍ୱୀକାର କରିବା ସହ ପ୍ରଥମେ ନିଜେ ନେବେ ବୋଲି କହିଛନ୍ତି। ‘ ଭାକ୍ସିନ ଆସିଲେ ପ୍ରଥମେ ସମସ୍ତଙ୍କ ସାମ୍ନାରେ ମୁଁ ଏହି ଭାକ୍ସିନ ନେବାକୁ ଚାହିଁବି। ପ୍ରଥମେ ମୋ ଉପରେ ପରୀକ୍ଷା କରାଯାଉ। ମୋର କିଛି ବି ଆପତ୍ତି ନାହିଁ’ ବୋଲି ସେ କହିଛନ୍ତି।

ଯାହା ବି ହେଉ, ଋଷର ଏହି ଭାକ୍ସିନ ଉପରେ ବିଶ୍ୱବାସୀଙ୍କ ନଜର ରହିଛି। କରୋନା ମୁକାବିଲା ନେଇ ଏହି ଭାକ୍ସିନ ସମସ୍ତଙ୍କର ଆଶା ବଢାଇଛି।

 

You might also like