କାହିଁକି ବ୍ୟାପୁଛି ବ୍ଲାକ ଫଙ୍ଗସ ସଂକ୍ରମଣ ? ସାମ୍ନାକୁ ଆସିଲା ନୂଆ ତଥ୍ୟ

ନୂଆଦିଲ୍ଲୀ: କରୋନା ସଙ୍କଟ ସମୟରେ ଦେଶରେ ବ୍ଲାକ ଫଙ୍ଗସ୍‌ ଅର୍ଥାତ୍‌ ମ୍ୟୁକରମାୟକୋସିସ୍‌ ରୋଗୀଙ୍କ ସଂଖ୍ୟା ଲଗାତାର ବଢିବାରେ ଲାଗିଛି । ଦିନକୁ ଦିନ ବଢୁଥିବା ଫଙ୍ଗାଲ ଇନ୍‌ଫେକ୍ସନକୁ ଦେଖି କେନ୍ଦ୍ର ସରକାର କେତେକ ରାଜ୍ୟରେ ଏହାକୁ ମହାମାରୀ ଘୋଷଣା କରିବା ପାଇଁ କହିଛନ୍ତି । ଏମିତିରେ ଦେଖିଲେ ବ୍ଲାକ ଫଙ୍ଗସ କୌଣସି ନୂଆ ରୋଗ ନୁହେଁ । ତେବେ କରୋନା ପରବର୍ତ୍ତୀ ପ୍ରତିକ୍ରିୟା ଭାବେ ଏହା ଦେଖା ଦେଉଥିବାରୁ ଏହାର ପ୍ରଭାବ ଅଧିକ ଭୟଙ୍କର ହୋଇପଡ଼ିଛି । ଯାହା ବି ହେଉ, ଦେଶରେ ବ୍ଲାକ ଫଙ୍ଗସ ରୋଗୀ ବଢିବାରେ ଲାଗିଥିବବେଳେ ଔଷଧ ଅଭାବ ଚିନ୍ତା ବଢାଇଛି । ଏମିତି ସ୍ଥିତିରେ ପ୍ରଶ୍ନ ଆସୁଛି, ଏ ବ୍ଲାକ ଫଙ୍ଗସ ଭୂତାଣୁ ଆସୁଛି କେଉଁଠୁ ?

ବିଶେଷଜ୍ଞଙ୍କ କହିବା କଥା ଅନୁସାରେ ବ୍ଲାକ ଫଙ୍ଗସର ମୁଖ୍ୟ କାରଣ ହେଉଛି ଷ୍ଟେରଏଡ୍‌ । କରୋନା ସଂକ୍ରମଣରୁ ରୋଗୀଙ୍କୁ ଦୂରରେ ରଖିବା ପାଇଁ ଦିଆଯାଉଥିବା ଷ୍ଟେରଏଡ ଏହି ବ୍ଲାକ ଫଙ୍ଗସ୍‌ର ମୂଖ୍ୟ କାରଣ । ଏହା ବ୍ୟତୀତ ଯେଉଁ ରୋଗୀମାନଙ୍କୁ ଅଧିକ ଦିନ ଅକ୍ସିଜେନ ସପୋର୍ଟରେ ରଖାଯାଉଛି ସେମାନଙ୍କ ପାଖରେ ବ୍ଲାକ ଫଙ୍ଗସ ସଂକ୍ରମଣ ଭୟ ଅଧିକ ରହୁଛି ।

ଏମିତିରେ କରୋନା ସହ ଲଢିବା ପରେ ରୋଗୀର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ ଯାହା ଫଳରେ ଫଙ୍ଗାଲ ଇନ୍‌ଫେକ୍ସନ ସହ ଲଢିବା ପାଇଁ ରୋଗୀ ବିଫଳ ହୋଇଥାଏ । ଏବେ ଡାକ୍ତର ଏବଂ ଏକ୍ସପର୍ଟଙ୍କ କହିବା ଅନୁଯାୟୀ, କରୋନା ରୋଗୀଙ୍କୁ ବ୍ଲାକ ଫଙ୍ଗସ ହେବାର ମୁଖ୍ୟ କାରଣ ହେଉଛି ଇଣ୍ଡଷ୍ଟ୍ରିଆଲ ଅକ୍ସିଜେନ୍‌ ଯାହାକୁ ମେଡିକାଲ ଅକ୍ସିଜେନର ବିକଳ୍ପ ଭାବେ ରୋଗୀଙ୍କୁ ଦିଆଯାଉଛି ।

ଯେଉଁମାନେ କରୋନାରେ ସଂକ୍ରମିତ ହୋଇ ଡାକ୍ତରଖାନାରେ ୨ ସପ୍ତାହରୁ ଅଧିକ ଦିନ ରହୁଛନ୍ତି ଏବଂ ଅକ୍ସିଜେନ ଅଭାବ କାରଣରୁ ସେମାନଙ୍କୁ ଇଣ୍ଡଷ୍ଟ୍ରିଆଲ ଅକ୍ସିଜେନ ଦିଆଯାଇଛି, ସାଧାରଣତଃ ସେଇ ଲୋକଙ୍କ ପାଖରେ ବ୍ଲାକ ଫଙ୍ଗସ ଇନ୍‌ଫେକ୍ସନ ସଂକ୍ରମଣ ବେଶି ଦେଖିବାକୁ ମିଳୁଛି । ଏକ୍ସପର୍ଟମାନଙ୍କ କହିବା ଅନୁଯାୟୀ, ପଞ୍ଜାବ ପରି କେତେକ ରାଜ୍ୟକୁ ବାଦ୍‌ ଦେଲେ, ଅଧିକ ରାଜ୍ୟରେ ନନ୍‌ ମେଡିକାଲ ସିଲିଣ୍ଡରକୁ ଅପଗ୍ରେଡ୍‌ କରାଯାଉ ନାହିଁ । ଅର୍ଥାତ୍‌ ଗୋଦାମରେ ପଡି ରହିଥିବା ଅପରିଷ୍କାର ସିଲିଣ୍ଡରର ଷ୍ଟେରେଲାଇଜେସନ କରିବା ସମ୍ଭବ ହେଉ ନ ଥିବାରୁ ବ୍ଲାକ ଫଙ୍ଗସ ସଂକ୍ରମଣ ଏପରି ବଢୁଥାଇପାରେ ।

ଏଠି କହିରଖିବୁ, କରୋନା ସଙ୍କଟ ସମୟରେ ଇଣ୍ଡଷ୍ଟ୍ରିଆଲ ଅକ୍ସିଜେନ ସପୋର୍ଟରେ ଚିକିତ୍ସା କରାଯାଇଥିଲା । ଅନେକ ଜୀବନ ବଞ୍ଚି ଯାଇଥିଲା । ହେଲେ ଏହି ଦୁଇ ସିଲିଣ୍ଡରରେ ଅନେକ ତାରତମ୍ୟ ରହିଛି । ମେଡିକାଲ ଅକ୍ସିଜେନ ୯୯.୬୭ ପ୍ରତିଶତ ଶୁଦ୍ଧ ଥିବାବେଳେ ଇଣ୍ଡଷ୍ଟ୍ରିଆଲ ଅକ୍ସିଜେନ ୮୫ରୁୂ ୯୦ ପ୍ରତିଶତ ଶୁଦ୍ଧ ଥାଏ । ଏହି ସିଲିଣ୍ଡରକୁ ସଫା କରିବା ଦିଗରେ କେହି ଧ୍ୟାନ ଦେଇ ନ ଥାନ୍ତି କି ଏହାର ରକ୍ଷଣାବେକ୍ଷଣ କରି ନ ଥାନ୍ତି । ଅନେକ ସ୍ଥାନରେ ଏଥିରେ ଧୂଳିକଣା ଜମି ରହିଥିବା ଦେଖିବାକୁ ମିଳିଥାଏ ଯାହା ଫଙ୍ଗାଲ ଇନ୍‌ଫେକ୍ସନର କାରଣ ହୋଇଥାଏ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ସିଲିଣ୍ଡର ଅପଗ୍ରେଡ କରିବା ପାଇଁ ସମୟ ଏବଂ ଅର୍ଥ ଉଭୟର ଆବଶ୍ୟକତା ପଡ଼ିଥାଏ । ଏତେ ଶିଘ୍ର ଏସବୁ କରିବା ସମ୍ଭବ ହୋଇ ନଥାଏ ।

You might also like