ନରେନ୍ଦ୍ର ମୋଦିଙ୍କୁ ଫୋନ୍ କଲେ ଆମେରିକା ରାଷ୍ଟ୍ରପତି : ଭ୍ୟାକ୍ସିନ ଯୋଗାଣର ପ୍ରତିଶ୍ରୁତି ଦେଲେ କମଲା ହ୍ୟାରିସ

ନୂଆଦିଲ୍ଲୀ : ପୂରଣ ହେବ କି ଭ୍ୟାକ୍ସିନର ଅଭାବ ? କରୋନା ସଙ୍କଟ ମଧ୍ୟରେ ଆମେରିକାରୁ ଭାରତକୁ ଆସିଲା କଲ୍ । ଆମେରିକାର ଉପରାଷ୍ଟ୍ରପତି କମଲା ହ୍ୟାରିସ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନରେ ଫୋନରେ କଥାବାର୍ତ୍ତା ହୋଇଛନ୍ତି । ଉଭୟ ନେତାଙ୍କ ମଧ୍ୟରେ ଟିକାକରଣକୁ ନେଇ ଚର୍ଚ୍ଚା ହୋଇଛି । କମଲା ହ୍ୟାରିସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭ୍ୟାକ୍ସିନ ଯୋଗାଣର ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି । ନ୍ୟୁଜ ଏଜେନ୍ସି ଏଏନଆଇର ସୂତ୍ର ଅନୁସାରେ କମଳା ହାରିସଙ୍କ କାର୍ଯ୍ୟାଳୟରୁ ପ୍ରଥମେ ମୋଦିଙ୍କୁ କଲ୍ କରାଯାଇଥିଲା ।

ତେବେ ଏସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ନିଜେ ମଧ୍ୟ ଏହି ସୂଚନା ଦେଇଛନ୍ତି । ଦେଶକୁ ଭ୍ୟାକ୍ସିନ ଯୋଗାଣ ପାଇଁ କମଲା ହ୍ୟାରିସଙ୍କ ସହ ଆଲୋଚନା ହୋଇଛି । ସାରା ବିଶ୍ୱରେ ଭ୍ୟାକ୍ସିନ ପଠାଇବାର ଆମେରିକାର ରଣନୀତିକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ବ୍ୟତୀତ ବ୍ୟବସାୟୀ, ପ୍ରବାସୀ ଭାରତୀୟଙ୍କ ଠାରୁ ମିଳିଥିବା ସମର୍ଥନ ପାଇଁ ଆମେରିକା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଭ୍ୟାକ୍ସିନକୁ ନେଇ ଭାରତ-ଆମେରିକା ମଧ୍ୟରେ ଚାଲିଥିବା ସହଯୋଗ ସମ୍ପର୍କରେ ମଧ୍ୟ ଚର୍ଚ୍ଚା ହୋଇଛି । ସେପଟେ କମଲା ହାରିସଙ୍କୁ ଭାରତ ଆସିବାକୁ ମୋଦି ଆମନ୍ତ୍ରିତ କରିଥିବା ସୂଚନା ମିଳଛି । ତେବେ ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ସେ ନିଶ୍ଚୟ ଭାରତ ଆସିବେ ବୋଲି ମଧ୍ୟ କହିଛନ୍ତି ।

ସୂଚନାଯୋଗ୍ୟ କରୋନା ଭାଇରସରେ ସର୍ବାଧିକ ପ୍ରଭାବିତ ଦେଶ ଆମେରିକାରେ ଏବେ କରୋନା ସଙ୍କଟ ଟଳିଯାଇଛି । ମାସ୍କ ହଟାଇ ଦେଶରେ ସଂକ୍ରମଣ କମିଥିବା ଘୋଷଣା କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । ଦେଶରେ କରୋନା କଟକଣା କୋହଳ କରିବା ସହ ଅନ୍ୟ ଦେଶକୁ ଭ୍ୟାକ୍ସିନ ଦେବାପାଇଁ ମଧ୍ୟ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି । ଅନ୍ୟ ଦେଶକୁ ୨ କୋଟି କରୋନା ଭ୍ୟାକ୍ସିନ ରପ୍ତାନୀ କରିବ ଆମେରିକା । ହ୍ୱାଇଟ ହାଉସର ପ୍ରେସ ସଚିବ ଜେନ ସାକି ଏହି ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ଜୋ ବାଇଡେନ ଜନସନ ଆଣ୍ଡ ଜନସନର ୬ କୋଟ ଟିକା ଦେବା ପାଇଁ ଯୋଜନା କରିସାରିଛନ୍ତି । ଜୁନ୍ ଶେଷ ସୁଦ୍ଧା ବିଭିନ୍ନ ଦେଶକୁ କରୋନା ଭ୍ୟାକ୍ସିନ ପଠାଇବା ଆରମ୍ଭ ହେବ । ନିଜ ଦେଶରେ କରୋନା ସଙ୍କଟ ଟଳିବା ପରେ ଅନ୍ୟ ଦେଶରୁ ମଧ୍ୟ କରୋନା ଭାଇରସର ଭୟାବହତା ଶେଷ କରିବା ପାଇଁ ଗୁରୁତ୍ୱ ଦେଉଛନ୍ତି ଆମେରିକା ସରକାର । ଅନ୍ୟ ଦେଶକୁ କରୋନା ସଙ୍କଟରୁ ରକ୍ଷା କରିବେ ବୋଲି ପୂର୍ବରୁ ଘୋଷଣା କରିସାରିଛନ୍ତି ବାଇଡେନ୍ ।

You might also like