ଭାରତର କରୋନା ସ୍ଥିତି ଉପରେ ଆମେରିକାର ତୀକ୍ଷ୍ଣ ନଜର ! ନିଜ ନାଗରିକଙ୍କୁ ମନା କଲା..

ୱାଶିଂଟନ୍: ଭାରତରେ ଏବେ କରୋନା ମହାମାରୀ ଭୟଙ୍କର ସ୍ଥିତିରେ ପହଞ୍ଚିଛି। ଦୈନିକ ଲକ୍ଷାଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି। ଏମିତିରେ ଓଡ଼ିଶାରେ ମଧ୍ୟ ଦୈନିକ ସାଢ଼େ ଚାରି ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସୁଛି। ତେବେ କରୋନାର ଏହି ଦ୍ୱିତୀୟ ଲହରିରେ ଭାରତର ସ୍ଥିତି ସାଂଘାତିକ ହେଉଥିବା ବେଳେ ଆମେରିକା ଏହା ଉପରେ ତୀକ୍ଷ୍ଣ ନଜର ରଖିଛି।

ଆମେରିକାର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଭାରତରେ ବର୍ତ୍ତମାନର କୋଭିଡ -୧୯ ସ୍ଥିତି ଉପରେ ଆମେରିକା ତୀକ୍ଷ୍ଣ ନଜର ରଖିଛି। ଭାରତରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କରୋନା ମହାମାରୀ। ଏହାକୁ ନେଇ ଆମେରିକା ଚିନ୍ତା ପ୍ରକଟ ମଧ୍ୟ କରିଛି। ଆମେରିକାରେ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି) ପକ୍ଷରୁ ଆମେରିକାର ନାଗରିକମାନଙ୍କୁ ଭାରତ ଭ୍ରମଣ ନକରିବାକୁ ପରାମର୍ଶ ଦିଆଯାଇଛି।

ଭାରତରେ କୋଭିଡ୍-୧୯ ମହାମାରୀର ସ୍ଥିତି ଉପରେ ଆମେରିକାର ତୀକ୍ଷ୍ଣ ରହିଥିବା ନେଇ ଖୋଦ ଆମେରିକା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ନେଡ୍ ପ୍ରାଇସ କହିଛନ୍ତି। ସେ ନିଜ ଦୈନିକ ସମ୍ବାଦଦାତା ସମ୍ମିଳନୀରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଆମେରିକାର ବୈଦେଶିକ ମନ୍ତ୍ରୀ ଟୋନି ବ୍ଲିଙ୍କନ୍ ଏବଂ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସୋମବାର ଫୋନରେ କରୋନା ମହାମାରୀ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

ଆମେରିକା ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ନେଡ୍ ପ୍ରାଇସ୍ ଆହୁରି କହିଛନ୍ତି, ‘ଭାରତ ହେଉ କିମ୍ବା ଅନ୍ୟ ଯେ କୌଣସି ଦେଶ, ଆମେରିକା ସେମାନଙ୍କୁ ଯଥା ସମ୍ଭବ ସହଯୋଗ କରିବାକୁ ପ୍ରତିଶ୍ରୁତିବଦ୍ଧ। ଏଭଳି କରୋନା ମହାମାରୀ ସମୟରେ ଯେକୌଣସି ଦେଶକୁ ଆମେରିକା ପାରୁ ପର୍ଯ୍ୟନ୍ତ ସହଯୋଗ କରିବାକୁ ପ୍ରସ୍ତୁତ। ଭୂତାଣୁ ସହ ଲଢ଼େଇ କରି ଏହାକୁ ନିୟନ୍ତ୍ରଣାଧିନ କରିବା ପାଇଁ ଆମେରିକା ଅତ୍ୟନ୍ତ ଆଶାବାଦୀ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ୩ ଜାନୁୟାରୀ ୨୦୨୦ ରୁ ୨୦ ଏପ୍ରିଲ ୨୦୨୧ ମଧ୍ୟରେ ଭାରତରେ କୋଭିଡ -୧୯ର ୧.୫୩ କୋଟି ମାମଲା ସାମ୍ନାକୁ ଆସିଛି। ଏହାସହ ଏକ ଲକ୍ଷ ୮୦ ହଜାରରୁ ଅଧିକ ଅକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ ରହିଛି। WHOର କହିବାନୁଯାୟୀ ୧୧ ଏପ୍ରିଲ ସୁଦ୍ଧା ଭାରତକୁ ମୋଟ ୧୦.୪ କୋଟି କରୋନା ଟିକା ଦିଆଯାଇଛି। ଖାଲି ସେତିକି ନୁହେଁ WHO ଆହୁରି କହିଛି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କୋଭିଡ-୧୯ ର ୨,୫୯,୧୭୦ ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏହା ସହ ଦିନକରେ ୧,୭୬୧ଜଣଙ୍କର ଏଥିରେ ମୃତ୍ୟୁ ହୋଇଛି।

You might also like