କରୋନାକୁ ନେଇ ସାରା ବିଶ୍ୱ ଚିନ୍ତାରେ ଥିବାବେଳେ କୁଖ୍ୟାତ ଆତଙ୍କୀକୁ ଏମିତି ସୁଯୋଗ ଦେଲା ପାକିସ୍ତାନ

ଇସଲାମବାଦ- ଆମେରିକା ସାମ୍ବାଦିକ ଡେନିଅଲ ପର୍ଲଙ୍କ ହତ୍ୟା ମାମଲାରେ ଗତ ୧୮ ବର୍ଷ ଧରି ପାକିସ୍ତାନ ଜେଲରେ ବନ୍ଦୀ ଥିବା କୁଖ୍ୟାତ ଆତଙ୍କବାଦୀ ଅହମ୍ମଦ ଉମର ଶେଖ ସଇଦ ଖୁବ୍ର ଶିଘ୍ର ମୁକ୍ତି ପାଇବ । ପାକିସ୍ତାନର ଏକ ଅଦାଲତ ସଇଦଙ୍କ ଫାଶୀ ଦଣ୍ଡକୁ ଜେଲ୍‌ ଦଣ୍ଡରେ ପରିଣତ କରି ଦେଇଛନ୍ତି । ଏଠି ମନେ ପକେଇ ଦେବୁ, ସଇଦ ସେଇ ଆତଙ୍କବାଦୀ, ଯାହାକୁ  ଅପହୃତ କାନ୍ଦାହାର ବିମାନକୁ ଛାଡ଼ିବା ପାଇଁ ୧୯୯୯ ମସିହାରେ ଭାରତ ମୁକ୍ତି ଦେଇଥିଲା । ଯେଉଁ ସମୟରେ ସାରା ପୃଥିବୀ କରୋନା ଭାଇରସ ସହ ଲଢୁଛି ଠିକ ସେହି ସମୟରେ ଉମର ସଇଦର ଫାଶିଦଣ୍ଡକୁ କୋହଳ କରି ଦିଆଯାଇଛି। ଖାଲି କୋହଳ ନୁହେଁ, ତାକୁ ମୁକ୍ତି ଦେବାର ବାଟ ଖୋଲାଯାଇଛି। ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଆଇଏସଆଇର ଏହା ସୁଚିନ୍ତିତ ଯୋଜନା ବୋଲି କୁହାଯାଉଛି ।

ପାକିସ୍ତାନ ଖବରକାଗଜ ଦ ଏକ୍ସପ୍ରେସ୍‌ ଟ୍ରିବ୍ୟୁନ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଆମେରିକା ସାମ୍ବାଦିକ ଡାନିଏଲ ପର୍ଲ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତି ତଥା ବ୍ରିଟେନରେ ଜନ୍ମିତ ଅହମ୍ମଦ ଉମର ଶେଖ ସଇଦକୁ ଆତଙ୍କବାଦୀ ନିରୋଧୀ ଅଦାଲତ ଯେଉଁ ସଜା ଶୁଣାଇଥିଲେ ତାହାକୁ ସିନ୍ଧ ଉଚ୍ଚ ନ୍ୟାୟାଳୟ ତାହାକୁ ରଦ୍ଦ କରି ଦେଇଛନ୍ତି । ଏଥିସହିତ ଅଦାଲତ ଆଜୀବନ କାରାଦଣ୍ଡ ଭୋଗୁଥିବା ସଇଦର ତିନି ଜଣ ସାଥୀଙ୍କୁ ମୁକ୍ତ କରି ଦେଇଛନ୍ତି । ଅଦାଲତ ସଇଦଙ୍କୁ ମୃତ୍ୟୁ ଦଣ୍ଡ ବଦଳରେ ୭ବର୍ଷ ଜେଲ ଦଣ୍ଡ ଦେଇଛନ୍ତି । ତେବେ ଆମେରିକା ସମତେ ସବୁ ଦେଶ କରୋନା ସହ ଲଢୁଥିବାବେଳେ ପାକିସ୍ତା ଠିକ୍‌ ଏହି ସମୟରେ ଏପରି ଦଣ୍ଡ ଶୁଣାଇଛି । ତେଣୁ ଏହାକୁ ଷଡଯନ୍ତ୍ର କୁହାଯିବନି ତ ଆଉ କ’ଣ ?

ଆଇଏସଆଇର ଧାରଣା ଯେ, କରୋନା ସଙ୍କଟକୁ ନେଇ ଆମେରିକାର ଧ୍ୟାନ ଅନ୍ୟପଟେ ରହିଛି । ଏହି ମୌକାରେ ଯଦି ସଇଦକୁ ମୁକ୍ତି କରି ଦିଆଯାଏ ତେବେ ଆମେରିକା ବେଶି ବିରୋଧ କରିପାରିବ ନାହିଁ । ଅନ୍ୟପକ୍ଷେ କାଶ୍ମୀରରେ ଭାରତୀୟ ସେନାର କଠୋର ପଦକ୍ଷେପ ଆତଙ୍କବାଦୀଙ୍କ କମର ଭାଙ୍ଗି ଦେଇଛି ।

ଆଇଏସଆଇ ଏବଂ ପାକିସ୍ତାନ ସେନାର ଧାରଣା ଯେ, ଯଦି ସଇଦ ବାହାରକୁ ଆସିବ ତେବେ  କାଶ୍ମୀର ଘାଟିରେ ଆତଙ୍କବାଦୀ କାର୍ଯ୍ୟକଳାପ ପୁଣି ସକ୍ରିୟ ହେବ। ଏଠି କହିରଖିବୁ,  ୧୯୯୪ରେ ସଇଦ ୪ ଜଣ ବିଦେଶୀ ପର୍ଯ୍ୟଟକଙ୍କୁ ଅପହରଣ କରିଥିଲା । ଏହାପରେ ଭାରତୀୟ ସୁରକ୍ଷାବଳ ତାକୁ ଗିରଫ କରିବାର ସଫଳ ହୋଇଥିଲେ । ସେ ଗାଜିଆବାଦ ସହ ଦେଶର ବିଭିନ୍ନ ଜେଲରେ ରହିଥିଲା ।

ହେଲେ ୧୯୯୯ରେ ଏୟାର ଇଣ୍ଡିଆର ଏକ ବିମାନକୁ ଆତଙ୍କବାଦୀମାନେ କାନ୍ଦାହାରରେ ଅପହରଣ କରିନେଇଥିଲେ । ଏହି ବିମାନକୁ  ମୁକୁୁଳାଇବା ପାଇଁ ସେ ସମୟରେ ଯେଉଁ ଆତଙ୍କୀମାନଙ୍କୁ ଭାରତ ମୁକ୍ତି ଦେଇଥିଲା ସେମାନଙ୍କ ମଧ୍ୟରେ ଥିଲା ସଇଦ । ତେବେ ଏକଥା ସତ ଯେ, ଜେଲରୁ ମୁକିଳିବା ପରେ ସଇଦ ଭାରତ ବିରୋଧରେ ଆତଙ୍କୀ   କାର୍ଯ୍ୟାନୁଷ୍ଠାନ ବଢାଇବ ।

ସୂଚନା ଥାଉ କି, ୨୦୦୨ରେ ବାଲ୍‌ଷ୍ଟ୍ରିଟ ଜେନେରାଲର ସାମ୍ବାଦିକ ଡାନଏଲ ପର୍ଲଙ୍କୁ ସଇଦ ଓ ତାର କେତେଜଣ ସାଥୀ ମିଶି ଗଳାକାଟି ହତ୍ୟା କରିଥିଲେ । ହତ୍ୟାକାଣ୍ଡ ପରେ ସଇଦ ଫେରାର ହୋଇ ଯାଇଥିଲା । ପରେ ଆମେରିକାର ଚାପ ବଢିବାରୁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ଜଣେ ଅଧିକାରୀଙ୍କ ପାଖରେ ସଇଦ ଆତ୍ମସମର୍ପଣ କରିଥିଲା । ସେଇ ଆଇଏସଆଇ ଅଧିକାରୀ ଜଣକ ହେଉଛନ୍ତି ଏଜାଜ୍‌ ଶାହ ଯିଏ ଆଜି ଇମ୍ରାନ ଖାନ୍‌ ସରକାରରେ ଗୃହମନ୍ତ୍ରୀ ଅଛନ୍ତି ।
ତେବେ ପ୍ରଶ୍ନ ଉଠେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାପାଇଁ ପାକିସ୍ତାନ କେତେ ତତ୍ପର । ଫାଶୀ ଦଣ୍ଡ ମିଳିଥିବା ସଇଦ ଗତ ୧୮ ବର୍ଷ ଧରି ଜେଲରେ ବନ୍ଦଥିଲେ ମଧ୍ୟ ଫାଶି ହୋଇ ପାରିଲା ନାହିଁ । ଏବେ କୋର୍ଟରେ ଏହି ମାମଲା ଆସିବା ପରେ ସଇଦର ଫାଶି ଦଣ୍ଡକୁ ୭ ବର୍ଷର ଜେଲ ଦଣ୍ଡରେ ପରିଣତ କରି ଦିଆଗଲା । କୋର୍ଟଙ୍କ କହିବା ଅନୁଯାୟୀ, ପର୍ଲ ହତ୍ୟା ମାମଲାର କୌଣସି ପ୍ରମାଣ ନାହିଁ । ତେଣୁ ଫାଶି ଦଣ୍ଡକୁ କୋହଳ କରି ୭ ବର୍ଷ ଜେଲ ଦଣ୍ଡ ଦିଆଗଲା

 

 

You might also like