ଭାରତୀୟଙ୍କୁ ଆମେରିକା ମନା : ବିମାନ ଯାତ୍ରା ଉପରେ କଟକଣା

ସଂକ୍ରମଣ ଭୟରେ ହ୍ୱାଇଟ ହାଉସ ପକ୍ଷରୁ ବୟାନ ଜାରି

 

  • ଆମେରିକାକୁ ଭାରତରୁ ବିମାନ ଯାତ୍ରା କଟକଣା
  • ଆସନ୍ତା ୪ରୁ ଆମେରିକାକୁ ବିମାନ ଯାତ୍ରା କଟକଣା
  • ପାସେଞ୍ଜର ବିମାନ ଯାତ୍ରା ଉପରେ କଟକଣା
  • ହ୍ୱାଇଟ ହାଉସ ପକ୍ଷରୁ ବୟାନ ଜାରି
  • କରୋନାର ଦ୍ରୁତ ସଂକମଣ ଦୃଷ୍ଟିରୁ ଆମେରିକାର କଟକଣା
  • ପୂର୍ବରୁ ଥାଇଲାଣ୍ଡ ଜାରି କରିଛି କଟକଣା

ନୂଆଦିଲ୍ଲୀ : ଆସନ୍ତା ୪ରୁ ଭାରତରୁ ଆମେରିକାକୁ ବିମାନ ଯାତ୍ରା ଉପରେ କଟକଣା । ହ୍ୱାଇଟ ହାଉସ ତରଫରୁ ବୟାନ ଜାରି କରି ବିମାନ ଯାତ୍ରା ବନ୍ଦ କରିବା ନେଇ ସୂଚନା ଦିଆଯାଇଛି । ହ୍ୱାଇଟ ହାଉସ ମୁଖପାତ୍ର ଜେନ ସାକି ତାଙ୍କ ବୟାନରେ ଏହି ସୂଚନା ଦେଇଛନ୍ତି । ଆମେରିକା ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ କ୍ରମେ ଏହି କଟକଣା ଜାରି କରାଯାଇଛି । ଭାରତରେ କରୋନାର ଦ୍ରୁତ ସଂକ୍ରମଣ ଦୃଷ୍ଟିରୁ ବିମାନ ଯାତ୍ରା ବନ୍ଦ ନେଇ କଟକଣା ଜାରି କରାଯାଇଥିବା କହିଛନ୍ତି ଜେନ ସାକି॥ ଏହା ପୁର୍ବରୁ ଥାଇଲାଣ୍ଡ ଭାରତରୁ ପାସେଂଜର ଯାତ୍ରାକୁ ନେଇ କଟକଣା ଜାରି କରିଥିଲା । ଆଜିଠାରୁ ଥାଇଲାଣ୍ଡକୁ ଯାତ୍ରା କରୁଥିବା ଭାରତୀୟଙ୍କ ଯାତ୍ରା ଉପରେ କଟକଣା ରହିଛି । ମେ ୧, ୧୫ ତାରିଖ ଏବଂ ୨୨ ତାରିଖରେ ଦିଲ୍ଲୀରୁ ଥାଇଲାଣ୍ଡର ବ୍ୟାଙ୍କକ ବିମାନ ଯାତ୍ରା କରୁଥିବାବେଳେ ଏଠାରୁ ଅଣଥାଇଲାଣ୍ଡ ନାଗରିକଙ୍କ ଯାତ୍ରା ଲାଗି ଅନୁମତି ଦିଆଯାଇନାହିଁ ।

ସେପଟେ ଅନ୍ତର୍ଜାତୀୟ ବିମାନ ସେବାରେ କଟକଣା ଜାରି କରିଛନ୍ତି କେନ୍ଦ୍ର ସରକାର । ମେ ୩୧ ଯାଏ ଭାରତରୁ ବିଦେଶକୁ ଉଡିବନି ବିମାନ । ଭାରତରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ବନ୍ଦ ରହିବ ବିମାନ ଉଡାଣ । ସଂକ୍ରମଣ ବ୍ୟାପୁଥିବାରୁ ଆଉ ମାସେ ପାଇଁ କଟକଣା ବୃଦ୍ଧି କରିଛି କେନ୍ଦ୍ର । ଏନେଇ ଗତକାଲି ଡିଜିସିଏ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ପୂର୍ବରୁ ଜାରି ହୋଇଥିବା ଗାଇଡ୍ ଲାଇନ୍ ଅନୁସାରେ ଏପ୍ରିଲ ୩୦ ରାତି ୧୨ ଟା ଯାଏ ଅନ୍ତର୍ଜାତୀୟ ବିମାନସେବାକୁ ବନ୍ଦ ରଖାଯାଇଥିଲା । ତେବେ ଏହି କଟକଣା ଅବଧିକୁ ଆସନ୍ତା ମେ ୩୧ ଯାଏ ବୃଦ୍ଧି କରାଯାଇଛି ।

ସେହିପରି ଆଜି ଦେଶରେ କରୋନାର ଭୟଙ୍କର ପ୍ରକୋପ ଦେଖିବାକୁ ମିଳିଛି । ଦୈନିକ ସଂକ୍ରମଣରେ ରେକର୍ଡ କରି ଗୋଟିଏ ଦିନରେ ୪ ଲକ୍ଷ ଟପିଛି ପଜିଟିଭଙ୍କ ସଂଖ୍ୟା । ସାରା ବିଶ୍ୱରେ କୌଣସି ଦେଶରେ ଏପର୍ଯ୍ୟନ୍ତ ଗୋଟିଏ ଦିନରେ ଏତେ ପଜିଟିଭ ଚିହ୍ନଟ ହୋଇନଥିଲେ । ଆଜି ଦେଶରେ ଦିନକରେ ଚିହ୍ନଟ ହୋଇଛନ୍ତି ୪ ଲକ୍ଷ ୧ ହଜାର ୯୯୩ ପଜିଟିଭ । ତା ସହିତ ଦିନକରେ ୩ ହଜାର ୫୨୩ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୧୧ ହଜାର ୮୫୩ରେ ପହଞ୍ଚିଛି । ଏବେ ଆକ୍ଟିଭ କେସ୍ ୩୨ ଲକ୍ଷ ୬୮ ହଜାରରୁ ଅଧିକ ଥିବାବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧ କୋଟି ୫୬ ଲକ୍ଷ ୮୪ ହଜାରରୁ ଅଧିକ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୯୧ ଲକ୍ଷ ୬୪ ହଜାର ଟପିଛି । ଏପର୍ଯ୍ୟନ୍ତ ୧୫ କୋଟି ୪୯ ଲକ୍ଷ ୮୯ ହଜାରରୁ ଅଧିକ ଡୋଜ୍ ଟିକା ଦିଆଗଲାଣି ।

You might also like