ଜୋ ବାଇଡେନ୍‌ଙ୍କ ପାଖକୁ ମୁମ୍ବାଇରୁ କିଏ ଲେଖିଥିଲା ଚିଠି, ଯାହାକୁ ଭୁଲି ନାହାନ୍ତି ଆମେରିକା ରାଷ୍ଟ୍ରପତି

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କାର୍ଯ୍ୟଭାର ସମ୍ଭାଳିବା ପରେ ପୂରା ଆକ୍ସନ ମୋଡ୍‌ରେ ଅଛନ୍ତି। ସମୟର ଅଭାବ କହି ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି। ଉପରାଷ୍ଟ୍ରପତି କମଲା ହାରିସ୍‌ ମଧ୍ୟ କାର୍ଯ୍ୟଭାର ସମ୍ଭାଳିଛନ୍ତି। କମଲା ଭାରତୀୟ ବଂଶୋଦ୍ଭବ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ରାଷ୍ଟ୍ରପତି ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କର ମଧ୍ୟ ଇଣ୍ଡିଆ ଲିଙ୍କ୍ ରହିଛି। ବାଇଡେନଙ୍କର କିଛି ଦୂର ସଂପର୍କୀୟ ହୁଏତ ଭାରତରେ ରହୁଥାଇପାରନ୍ତି ବୋଲି ଅନୁମାନ କରନ୍ତି ବାଇଡେନ୍। ଏକଥା ସେ ୨୦୧୩ରେ ପ୍ରକାଶ କରିଥିଲେ। ସେ ଏ ବିଷୟରେ କେମିତି ଜାଣିଲେ, କାହାଠୁ ଜାଣିଲେ ଆସନ୍ତୁ ଜାଣିବା

୧୯୭୨ ମସିହା ବର୍ତ୍ତମାନର ୭୭ ବର୍ଷୀୟ ଜୋ ବାଇଡେନ୍‌ଙ୍କୁ ସେତେବେଳେ ମାତ୍ର ୨୯ ବର୍ଷ ହୋଇଥିଲା। ଆମେରିକାର ସିନେଟ୍‌କୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥାନ୍ତି ଯୁବ ବାଇଡେନ୍।  ସେହି ସମୟରେ ସେ ଏକ ରହସ୍ୟଜନକ ଚିଠି ପାଇଥିଲେ, ଯାହା ତାଙ୍କୁ ସିଧାସଳଖ ଯୋଡ଼ିଥିଲା ପୃଥିବୀର ଆର ପଟେ ଥିବା ଦେଶ ଭାରତ ସହିତ।

ମୁମ୍ବାଇରୁ ଯାଇଥିବା ଚିଠିଟିକୁ ଲେଖିଥିଲେ ଆଉ ଜଣେ ବାଇଡେନ୍। ସେଥିରେ ଜୋ ବାଇଡେନ୍‌ଙ୍କୁ ନିଜ ସଂପର୍କୀୟ ବୋଲି ଦାବି କରିଥିଲେ ମୁମ୍ବାଇରେ ରହୁଥିବା ବାଇଡେନ୍। ଉଭୟଙ୍କ ପୂର୍ବଜ ଗୋଟିଏ ପରିବାରର ଥିଲେ ଏବଂ ସେମାନେ ଅଷ୍ଟଦଶ ଶତାବ୍ଦୀରେ ଇଷ୍ଟ ଇଣ୍ଡିଆ ଟ୍ରେଡିଂ କଂପାନୀରେ ଚାକିରି କରିବା ବେଳେ ମୁମ୍ବାଇ ଆସିଥିଲେ।

୨୦୧୩ରେ ଆମେରିକା ଉପରାଷ୍ଟ୍ରପତି ଥିବା ବେଳେ ମୁମ୍ବାଇ ଆସି ଏନେଇ ଖୁଲାସା କରିଥିଲେ ନିଜେ ବାଇଡେନ୍। ଏବଂ ସେତେବେଳେ ସେହି ଚିଠିର ପ୍ରେରକଙ୍କ ବିଷୟରେ ଅଧିକ ଖୋଜଖବର ମିଳିନଥିବାରୁ ଅବଶୋଷ କରିଥିଲେ ସେ।

କେବଳ ଏହି ଘଟଣା ନୁହେଁ, ମୁମ୍ବାଇରେ ୫ ଜଣ ବାଇଡେନ୍ ରହୁଛନ୍ତି ବୋଲି ୨୦୧୫ରେ ୱାଶିଂଟନ୍‌ରେ ଏକ କାର୍ଯ୍ୟକ୍ରମରେ କହିଥିଲେ ଜୋ ବାଇଡେନ୍। ତାଙ୍କ ଗୋସେଇଁ ଜେଜେବାପା ଜର୍ଜ ବାଇଡେନ୍ ଇଷ୍ଟ ଇଣ୍ଡିଆ କମ୍ପାନୀରେ କ୍ୟାପ୍ଟେନ୍ ଥିଲେ। ଅବସର ନେବା ପରେ ଭାରତରେ ରହିବାକୁ ସ୍ଥିର କରି, ସେ ଜଣେ ଭାରତୀୟ ମହିଳାଙ୍କୁ ବିବାହ କରିଥିବା କଥା ପ୍ରକାଶ କରିଥିଲେ ବାଇଡେନ୍।

ଚେନ୍ନାଇ ସହ ମଧ୍ୟ ବାଇଡେନ୍ ପୂର୍ବଜଙ୍କ ସମ୍ପର୍କ ଖୁବ୍ ପୁରୁଣା। ତତ୍କାଳୀନ ମାଡ୍ରାସ୍‌ରେ ଖ୍ରୀଷ୍ଟୋଫର ବାଇଡେନ୍ ଏବଂ ୱିଲିୟମ୍ ବାଇଡେନ୍ ନାଁରେ ୨ ଭାଇ ରହୁଥିବାର ଏବେବି ପ୍ରମାଣ ମିଳେ।  ୱିଲିୟମ୍‌ଙ୍କର କମ୍ ବୟସରେ ପରଲୋକ ହୋଇଥିବା ବେଳେ, ଖ୍ରୀଷ୍ଟୋଫର ବାଇଡେନ୍ ମାଡ୍ରାସରେ ଏକ ଜଣାଶୁଣା ଚେହେରା ଥିଲେ। ଏବଂ ୧୮୫୮ରେ ମାଡ୍ରାସରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ସେପଟେ ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି କମଳା ହାରିସ୍ ମଧ୍ୟ ନିଜକୁ ଜଣେ ଭାରତୀୟ ବଂଶୋଦ୍ଭବ ଭାବେ ଗର୍ବ କରନ୍ତି। ଏବଂ ନିଜ ମାଆ ଶ୍ୟାମଳା ଗୋପାଳନଙ୍କୁ ନିଜ ଆଦର୍ଶ ମାନନ୍ତି।  ଗତକାଲି ଠିକ୍ ଶପଥ ଗ୍ରହଣ ପୂର୍ବରୁ ବି ସେ ମାଙ୍କ ମନେପକାଇ ଏକ ଭିଡିଓ ବାର୍ତ୍ତା ଟ୍ୱିଟ୍ କରିଥିଲେ।  ସେପଟେ ଉପରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଗତକାଲି ତାଙ୍କ ମାମୁଘର ଗାଁ ତାମିଲନାଡ଼ୁ ତୁଳସେନ୍ଦ୍ରପୁରମ୍‌ରେ ଉତ୍ସାହ ଦେଖିବାକୁ ମିଳିଥିଲା।

 

You might also like