ଟ୍ରମ୍ପଙ୍କ ଆକାଉଣ୍ଟକୁ ସ୍ଥାୟୀ ଭାବେ ବନ୍ଦ କଲା ଟ୍ୱିଟର

ୱାଶିଂଟନ: କ୍ୟାପିଟାଲ ହିଂସା ପରେ ବନ୍ଦ ହେଲା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ବିଟର ଆକାଉଣ୍ଟ । ସ୍ଥାୟୀ ଭାବେ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରାଯାଇଥିବା ନେଇ ସୂଚନା ଦେଇଛି ଟ୍ୱିଟର । ଟ୍ରମ୍ପଙ୍କ ଉଭୟ ବ୍ୟକ୍ତିଗତ ଓ ଅଫିସିଆଲ୍ ଆକାଉଣ୍ଟକୁ ବନ୍ଦ କରିଦିଆଯାଇଛି।

ଆମେରିକା ସଂସଦ କ୍ୟାପିଟାଲ ହିଲ୍‌ର ଟ୍ରମ୍ପ ସମର୍ଥକଙ୍କ ହିଂସାକାଣ୍ଡ ପରେ ଟ୍ୱିଟର ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଆଗକୁ ମଧ୍ୟ ଟ୍ରମ୍ପଙ୍କ ସମର୍ଥକମାନେ ହିଂସାକାଣ୍ଡ ଘଟାଇବା ଆଶଙ୍କା ଥିବାରୁ ଏପରି ପଦକ୍ଷେପ ନିଆଯାଇଥିବା ଟ୍ୱିଟର ପକ୍ଷରୁ କୁହାଯାଇଛି। ଟ୍ରମ୍ପଙ୍କ ଆକାଉଣ୍ଟରୁ କରାଯାଇଥିବା ଟ୍ୱିଟକୁ  ନିରୀକ୍ଷଣ କରିବା ପରେ ତାଙ୍କ ଆକାଉଣ୍ଟକୁ ସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଛି।

ସୂଚନାଥାଉ କି, ଗୁରୁବାର ହିଂସା ପରେ ୧୨ ଘଣ୍ଟା ପାଇଁ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ବନ୍ଦ କରାଯାଇଥିଲା ମାତ୍ର ପୁଣିଥରେ ଅଫିସିଆଲ ଆକାଉଣ୍ଟରୁ ବାରମ୍ବାର ଟ୍ୱିଟ କରିଥିଲେ ଟ୍ରମ୍ପ । ସମସ୍ତ ଟ୍ୱିଟକୁ ପୁଣି ଥରେ ସମୀକ୍ଷା କରାଯିବା ପରେ ଟ୍ୱିଟର ପକ୍ଷରୁ ତାଙ୍କ ଆକାଉଣ୍ଟକୁ ସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଛି ।

ନବନିର୍ବାଚିତ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ନାହିଁ ବୋଲି ପୂର୍ବରୁ ଟ୍ୱିଟ କରି ସୂଚନା ଦେଇଥିଲେ ଟ୍ରମ୍ପ ।ଆସନ୍ତା ୨୦ ତାରିଖରେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ଜୋ ବାଇଡେନ୍। ସେପଟେ ଟ୍ରମ୍ପ ଯଦି ନିଜ ତରଫରୁ ତୁରନ୍ତ ଇସ୍ତଫା ନଦିଅନ୍ତି ତାଙ୍କୁ ହ୍ୱାଇଟ୍ ହାଉସ୍ ପକ୍ଷରୁ ହଟାଇ ଦିଆଯିବ ବୋଲି କହିଛନ୍ତି ହାଉସର ସ୍ପିକର ନାନ୍ସି ପେଲୋସି ।

ସୂଚନାଥାଉ କି, ଜାନୁଆରୀ ୨୦ ତାରିଖ ବାଇଡେନଙ୍କ ସହ ଭାରତୀୟ ମୂଳ କମଲା ହାରିସ୍‌ ଉପରାଷ୍ଟ୍ରପତି ପଦ ପାଇଁ ଶପଥ ନେବେ। ଏହି ଶପଥ ଗ୍ରହଣ ଉତ୍ସବରେ ଭାଗ ନେବେ ନାହିଁ ବୋଲି କହି ଟ୍ରମ୍ପ ପରୋକ୍ଷରେ କ୍ଷମତା ହସ୍ତାନ୍ତରଣ ପାଇଁ ଅବଶ୍ୟ ସହମତି ପ୍ରକାଶ କରିଛନ୍ତି। ତେବେ ନର୍ବାଚନ ଫଳାଫଳକୁ ନେଇ ଏବେ ବି ତାଙ୍କ ମନରେ ବିରୋଧାଭାସ ରହିଛି। ଟ୍ରମ୍ପ ଅଭିଯୋଗ ଆଣିଛନ୍ତି ଯେ, ନିର୍ବାଚନରେ ଜାଲିଆତି କରି ବାଇଡେନ ବିଜୟୀ ହୋଇଛନ୍ତି।

ସୂଚନାଥାଉ କି, ବୁଧବାର ଟ୍ରମ୍ପ ଟୁଇଟ୍‌ କରି କହିଥିଲେ, ଆମେରିକା ନିର୍ବାଚନ ଫଳାଫଳକୁ ସେ ସ୍ୱୀକାର କରୁନାହାନ୍ତି। ସେ ତାଙ୍କ ସମର୍ଥକଙ୍କୁ ଆମେରିକା ସଂସଦ  କ୍ୟାପିଟାଲ ହିଲ୍‌ରେ ଏକାଠି ହୋଇ ବିରୋଧ ପ୍ରଦର୍ଶନ କରିବାକୁ କହିଥିଲେ। ଏହି ସମୟରେ ଆମେରିକା କଂଗ୍ରେସ  ଅର୍ଥାତ୍‌ ଆମେରିକା ରାଷ୍ଟ୍ରପତିଙ୍କୁ ନିର୍ବାଚନ କରିଥିବା ଇଲେକ୍ଟୋରାଲ କଲେଜ ବା ନିର୍ବାଚନ ପ୍ରତିନିଧି ଏକାଠି ହୋଇଥିଲେ। ଟ୍ରମ୍ପଙ୍କ ସମର୍ଥକ ସଂସଦ ପରିସର ଭିତରେ ଧସେଇ ପଶି ଯାଇଥିଲେ। ଟ୍ରମ୍ପଙ୍କ ସମର୍ଥକମାନେ କବାଟ ଝରକାର କାଚ ଭଙ୍ଗାରୁଜା କରିଥିଲେ। ଏହାକୁ ନେଇ ପୋଲିସ-ଟ୍ରମ୍ପ ସମର୍ଥକ ମୁହାଁମୁହିଁ ହୋଇଥିଲେ। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା।

 

 

You might also like