କୃଷ୍ଣକାୟଙ୍କ ମୃତ୍ୟୁକୁ ନେଇ ଜଳୁଛି ଆମେରିକା; ୪୦ ସହରରେ କର୍ଫ୍ୟୁ

ୱାଶିଂଟନ:ପୋଲିସ ହେପାଜତରେ ଥିବା ଜଣେ କୃଷ୍ଣକାୟଙ୍କ ମୃତ୍ୟୁକୁ ନେଇ ଆମେରିକାରେ ଥମୁନି ଉତ୍ତେଜନା । ହ୍ୱାଇଟ୍ ହାଉସ୍ ବାହାରେ ପୁଣି ବିକ୍ଷୋଭକାରୀ ଜୋରଦାର ବିକ୍ଷୋଭ କରିଛନ୍ତି। ଅନେକ ସହରରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଛି। ଏପରିକି ଦଙ୍ଗା  ସାଙ୍ଗକୁ ଲୁଟପାଟ ଚାଲିଥିବା ଖବର ମଧ୍ୟ ମିଳିଛି।  ଦଙ୍ଗା ରାଜଧାନୀ ୱାଶିଂଟନ ଡିସି ଏବଂ ହ୍ୱାଇଟ୍‌ହାଉସ ପର୍ଯ୍ୟନ୍ତ ପହଞ୍ଚି ଗଲାଣି।

ହ୍ୱାଇଟ୍ ହାଉସ୍ ବାହାରେ ପୁଣି ବିକ୍ଷୋଭକାରୀ ଜୋରଦାର ବିକ୍ଷୋଭ କରିଛନ୍ତି । ପରିସ୍ଥିତିକୁ ଦେଖିବା ପରେ ଓ୍ୱାଶିଂଟନ୍ ଡିସିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ସେନା ମୁତୟନ କରାଯାଇଛି ।

ଆଜି ରାଷ୍ଟ୍ରପତି ଟ୍ରମ୍ପଙ୍କ ସମ୍ବୋଧନ ପୂର୍ବରୁ ସେନା-ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛନ୍ତି । ସେନା ପକ୍ଷରୁ ଲୁହ ବୁହା ଗ୍ୟାସ ପ୍ରୟୋଗ କରାଯାଇଛି। ଗିରଫ ହୋଇଛନ୍ତି ଶତାଧିକ ବିକ୍ଷୋଭକାରୀ। ହିଂସାକୁ ଆତଙ୍କବାଦୀ କାର୍ଯ୍ୟକଳାପ ସହ ତୁଳନା କରିଛନ୍ତି ଡୋନାଲ୍ଡ ଟ୍ରମ୍ପ।

ଟ୍ରମ୍ପ କହିଛନ୍ତି,  କୃଷ୍ଣକାୟ ବ୍ୟକ୍ତିଙ୍କ ଏପରି ମୃତ୍ୟୁରେ ଆମେରିକା ମର୍ମାହତ। ତାଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି ସେ କହିଛନ୍ତି । ତେବେ ରାଷ୍ଟ୍ରପତି ଭାବେ ଦେଶ ଏବଂ ଦେଶବାସୀଙ୍କ ରକ୍ଷା କରିବା ମୋର ପ୍ରଥମ କର୍ତ୍ତବ୍ୟ।

ଅନ୍ୟପକ୍ଷେ ପୋଲିସର ବର୍ବରତା ପ୍ରତିବାଦରେ ଉତ୍ତେଜନା ଲାଗି ରହିଛି।  ସ୍ଥିତିକୁ ଦେଖି ୱାଶିଂଟନ୍ ଡିସି ସହ ୪୦ଟି ସହରରେ କର୍ଫ୍ୟୁ  ଜାରି କରାଯାଇଛି।

ସୂଚନାଥାଉ କି, ମେ’ ୨୫ରେ ମିନେପୋଲିସ୍‌ରେ ପୁଲିସ୍‌ ହେପାଜତରେ ଥିବା କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲଏଡ୍‌ଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି। ପୁଲିସ୍‌, ଜର୍ଜଙ୍କ ଗଳାକୁ ଚିପି ଦୀର୍ଘ ସମୟ ଧରି ମାଡ ମାରିଥିବା ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା।

You might also like