ବିମାନ ଚଢ଼ିବା ବେଳେ ୩ ଥର ଝୁଣ୍ଟି ପଡ଼ିଲେ ଆମେରିକା ରାଷ୍ଟ୍ରପତି, ଭିଡିଓ ଭାଇରାଲ୍‌

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଏକ ଭିଡିଓ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ଆମେରିକା ରାଷ୍ଟ୍ରପତି ବିମାନର ସିଢ଼ି ଚଢ଼ିବା ସମୟରେ ୩ ଥର ଝୁଣ୍ଟି ପଡ଼ିଥିବା ନଜର ଆସୁଛି। ଆଶ୍ୱସ୍ତର କଥା, ଜୋ ବାଇଡେନ୍‌ଙ୍କୁ କୌଣସି ପ୍ରକାର ଆଘାତ ଲାଗି ନାହିଁ ଓ ସେ ସୁସ୍ଥ ଅଛନ୍ତି।

ସୂଚନା ଅନୁସାରେ, ଏଟଲାଣ୍ଟା ଅଭିମୁଖେ ଯାତ୍ରା ପାଇଁ ବାହାରିଥିବା ବେଳେ ଆମେରିକା ରାଷ୍ଟ୍ରପତିଙ୍କ ସହ ଏହି ଘଟଣା ଘଟିଥିଲା। ଯେତେବେଳେ ସେ ଏୟାର ଫୋର୍ସ ୱନ୍‌ର ସିଢ଼ିରେ ଚଢ଼ୁଥିଲେ, ଏହି ସମୟରେ ସେ ନିଜର ନିୟନ୍ତ୍ରଣ ହରାଇବା ଯୋଗୁ  ଝୁଣ୍ଟି ପଡ଼ିଥିଲେ। ଏହାପରେ ନିଜକୁ ସମ୍ଭାଳିବା ପାଇଁ ସେ ଚେଷ୍ଟା କରିଥିଲେ। ହେଲେ ଯେତେବେଳେ ସେ ଆଉ ୨ଟି ସିଢ଼ି ଚଢ଼ିଥିଲେ ପୁଣି ଥରେ ଝୁଣ୍ଟି ପଡ଼ିଥିଲେ। ଏଭଳି ସେ ୩ ଥର ଝୁଣ୍ଟି ପଡ଼ିଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ଦୁଇଥର ଯାକ ହାତରେ ଭରା ଦେଇ ସେ ଉଠିଥିଲେ। ହେଲେ ତୃତୀୟ ଥର ଯେତେବେଳେ ସେ ଝୁଣ୍ଟି ପଡ଼ିଥିଲେ ସିଢ଼ିରେ ସେ ଆଣ୍ଠୁ ମାଡ଼ି ପଡ଼ି ଯାଇଥିଲେ। ତିନି ତିନି ଥର ଝୁଣ୍ଟି ପଡ଼ିବା ପରେ ମଧ୍ୟ ସେ ସିଢ଼ିର ସାଇଡ୍‌ ରେଲିଙ୍ଗ ଧରି ସିଢ଼ି ଚଢ଼ି ବିମାନ ଭିତରକୁ ପ୍ରବେଶ କରିଥିଲେ।

ଘଟଣାକୁ ନେଇ ପ୍ରେସ୍‌ ସେକ୍ରେଟାରୀ କ୍ୟାରିନ୍‌ ଜିନ୍‌ ପିୟରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ‘ରାଷ୍ଟ୍ରପତି ଶତପ୍ରତିଶତ ସୁସ୍ଥ ଅଛନ୍ତି। ସିଢ଼ିରେ ପାଦ ରଖିବା ବେଳେ ସେ ନିୟନ୍ତ୍ରଣ ହରାଇବା ଯୋଗୁ ଝୁଣ୍ଟି ପଡ଼ିଥିଲେ। ଏହାହିଁ ଘଟଣା ଥିଲା।’

 

You might also like