ଆମେରିକା ରାଷ୍ଟ୍ରପତିଙ୍କ ସାନ ଭାଇ ରୋବର୍ଟ ଟ୍ରମ୍ପଙ୍କ ପରଲୋକ
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାନ ଭାଇ ତଥା ଆମେରିକାର ପ୍ରତିଷ୍ଠିତ ବ୍ୟବସାୟୀ ରୋବର୍ଟ ଟ୍ରମ୍ପଙ୍କ ଦେହାନ୍ତ ହୋଇଛି। ନ୍ୟୁୟର୍କର ଏକ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ରୋବର୍ଟ। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ଏନେଇ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ। ରୋବର୍ଟଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ନେଇ ହ୍ୱାଇଟ୍ ହାଉସ୍ ସୂଚନା ଦେବା ପରେ ଭାଇକୁ ଭେଟିବାକୁ ଶୁକ୍ରାବର ନ୍ୟୁୟର୍କ ସିଟି ହସ୍ପିଟାଲ୍କୁ ଯାଇଥିଲେ ଡୋନାଲ୍ଡ।
ଭାଇ ରୋବର୍ଟଙ୍କ ଦେହାନ୍ତ ନେଇ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ। ସେ କହିଛନ୍ତି , “ମୋତେ ଦୁଃଖର ସହିତ କହିବାକୁ ପଡୁଛି ଯେ ମୋ ପ୍ରିୟ ଭାଇ ରୋବର୍ଟଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ସେ କେବଳ ମୋ ଭାଇ ନଥିଲେ, ସେ ମୋର ଜଣେ ଭଲ ସାଙ୍ଗ ବି ଥିଲେ। ସେ ସବୁବେଳେ ମୋର ବହୁତ ମନେପଡ଼ିବେ। କିନ୍ତୁ ଆମେ ଦୁଇ ଜଣ ଖୁବ୍ଶୀଘ୍ର ଭେଟ ହେବୁ। ତାଙ୍କର ସବୁ ସ୍ମୃତି ସୁବଦିନ ପାଇଁ ମୋ ହୃଦୟରେ ଉଦ୍ଜୀବିତ ହୋଇ ରହିବ। ରୋବର୍ଟ ମୁଁ ତୁମକୁ ବହୁତ ଭଲପାଏ। ତୁମ ଆତ୍ମାକୁ ଶାନ୍ତି ମିଳୁ।”
ରୋବର୍ଟଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିବାରୁ ସେ ଜୁଲାଇ ମାସରେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ସେ ବଡ଼ ଭାଇ ଡୋନାଲ୍ଡଙ୍କ ଠାରୁ ସମ୍ପୂର୍ଣ୍ଣ ଅଲଗା ଥିଲେ। ସେ ଚୁପ୍ଚାପ୍ ଓ ବହୁତ ସରଳ ଜୀବନ ଜିଇଁବାକୁ ଭଲପାଉଥିଲେ। ଡୋନାଲ୍ଡ ତାଙ୍କୁ ‘ହନି’ ବୋଲି ଡାକୁଥିଲେ। ରୋବର୍ଟ ତାଙ୍କ କ୍ୟାରିୟର ୱାଲ୍ ଷ୍ଟ୍ରିଟ୍ ୱାର୍କିଂ ଇନ୍ କୋଅପରେଟିଭ୍ରେ କାମ ଆରମ୍ଭ କରିଥିଲେ। ପରେ ଫ୍ୟାମିଲି ବିଜ୍ନେସ୍ରେ ଜଏନ୍ କରିଥିଲେ। ଟ୍ରମ୍ପ ଅର୍ଗାଇନେଜସନ୍ରେ ସେ ରିୟଲ୍ ଇଷ୍ଟେଟ୍ ମ୍ୟାନେଜ୍ କରିବା ସହିତ ମୁଖ୍ୟ କାର୍ଯ୍ୟନିର୍ବାହୀ ପଦରେ କାର୍ଯ୍ୟ କରୁଥିଲେ।