WHOକୁ ପାଣ୍ଠି ଯୋଗାଣ ସ୍ଥଗିତ ରଖିବ ଆମେରିକା

ୱାଶଂଟନ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଉପରେ କଟକଣା ଲଗାଇଛି ଆମେରିକା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚୀନ୍‌କୁ ସମର୍ଥନ କରୁଥିବା ଅଭିଯୋଗ ଆଣିବା ପରେ ଏବେ ଏହି ସଂଗଠନକୁ ପାଣ୍ଠି ଯୋଗାଣ ସ୍ଥଗିତ ରଖିବ ବୋଲି ଆମେରିକା ଘୋଷଣା କରିଛି।  ଏ ନେଇ ଆମେରିକା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ।

ଆମେରିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)କୁ ବାର୍ଷିକ ୪୦୦ ମିଲିୟନରୁ ୫ଶହ ମିଲିୟନ ଡଲାର ସହାୟତା ଦେଉଥିବା ବେଳେ ଚୀନ ମାତ୍ର ୪୦ ମିଲିୟନ ଡଲାର ଦେଉଥିବା ଟ୍ରମ୍ପ କହିଛନ୍ତି । ଏପରି ସ୍ଥିତିରେ ବିଶ୍ୱ ସ୍ୱାସ୍ଥ୍ୟସଂଗଠନ ଚୀନକୁ ସମର୍ଥନ କରି କରୋନା ସଂକ୍ରମଣ ସମ୍ପର୍କରେ ବିଶ୍ୱକୁ ସଠିକ ତଥ୍ୟ ଦେଇନଥିବା ସେ ଅଭିଯୋଗ କରିଛନ୍ତି ।ଏଥିସହ କରୋନା ମୁକାବିଲାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଭୂମିକା ଓ ପରିଚାଳନାଗତ ତ୍ରୁଟି ରହିଥିବା ସେ କହିଛନ୍ତି।

ତେପେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ପାଣ୍ଠି ଯୋଗାଣ ସ୍ଥଗିତ ରଖିବା ଦ୍ୱାରା ବିଶ୍ୱର ଅନେକ ଦେଶରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପ୍ରଭାବିତ ହେବାର ଆଶଙ୍କା ରହିଛି।

ଅନ୍ୟପକ୍ଷେ WHOର ମହାନିର୍ଦ୍ଦେଶକ ଟେଡ୍ରୋସ୍‌ ଅଦହାନୋମ କହିଛନ୍ତି କୋଭିଡ-୧୯ କୁ  ରାଜନୀତିର ରଙ୍ଗ ଦେବା ଉଚିତ୍‌ ନୁହେଁ। ଏହାଦ୍ୱାରା କେବଳ ମୃତ୍ୟୁ ସଂଖ୍ୟା ବଢିବ।

You might also like