କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପାଇଁ ଟ୍ରମ୍ପଙ୍କ ପ୍ରସ୍ତାବ

ୱାଶିଂଟନ୍‌: କଶ୍ମୀର ପ୍ରସଙ୍ଗରେ ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆଗ୍ରହୀ। ଆମେରିକା ଗସ୍ତରେ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କ ସହ ହ୍ୱାଇଟ୍‌ ହାଉସରେ ଆଲୋଚନା ବେଳେ ଆମେରିକା ରାଷ୍ଟ୍ରପତି ଏହି ମଧ୍ୟସ୍ଥତା ପ୍ରସ୍ତାବ ଦେଇଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ବେଳେ ଇମ୍ରାନ୍ ଖାନ୍ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ।

ଟ୍ରମ୍ପ କହିଥିଲେ, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କଶ୍ମୀର ପ୍ରସଙ୍ଗରେ ସହାୟତା ପାଇଁ କହିଥିଲେ। ତେବେ ଯଦି ଏହି ବିବାଦର ସମାଧାନ ପାଇଁ ମୋତେ ମଧ୍ୟସ୍ଥତାର ସୁଯୋଗ ମିଳେ ତା’ହେଲେ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛି।’

ଅନ୍ୟପକ୍ଷରେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସହ ଆମେରିକା ରାଷ୍ଟ୍ରପତିଙ୍କ ଜଏଣ୍ଟ ଷ୍ଟେଟ୍‌ମେଣ୍ଟକୁ ନେଇ  ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପ୍ରତିକ୍ରିୟା ରଖିଛି। କଶ୍ମୀର ପ୍ରସଙ୍ଗରେ ମୋଦି ମଧ୍ୟସ୍ଥତା କରିବା ପାଇଁ ଅନୁରୋଧ କରିଥିବା କଥା ଟ୍ରମ୍ପ କହିଥିବା ବେଳେ ଏହାକୁ ନୂଆଦିଲ୍ଲୀ ପ୍ରତ୍ୟାଖ୍ୟାନ କରିଛି। କଶ୍ମୀର ପ୍ରସଙ୍ଗ ଭାରତ ଓ ପାକିସ୍ତାନର ଦ୍ୱିପାକ୍ଷିକ କଥା। ଏଥିରେ ତୃତୀୟ ପକ୍ଷର କୌଣସି ଭୂମିକା ନାହିଁ। ତା’ ଛଡ଼ା କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପାଇଁ ଟ୍ରମ୍ପଙ୍କୁ ମୋଦି ଅନୁରୋଧ କରି ନାହାନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

ସିମଲା ଓ ଲାହୋର ରାଜିନାମା ଅନୁସାରେ ଉଭୟ ଦେଶ ନିଜ ନିଜ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା କରି ବିଭିନ୍ନ ସମସ୍ୟାର ସମାଧାନ କରିବେ। ତେବେ ସୀମାପାର ଆତଙ୍କବାଦ ବନ୍ଦ ନ ହେଲେ ପାକିସ୍ତାନ ସହ କୌଣସି ଦ୍ୱିପାକ୍ଷିକ ଆଲୋଚନା ହେବ ନାହିଁ ବୋଲି ରବିଶ କୁମାର ସ୍ପଷ୍ଟ କରିଛନ୍ତି।

You might also like