ଆମେରିକାରେ ମିଳିଛି କରୋନା ଭାଇରାସର ଭୟଙ୍କର ରୂପ, ଭାକ୍ସିନ ବି କାମ କରି ନ ପାରେ

ଓରିଗାନ:କରୋନା ଭାଇରସକୁ ନେଇ ପ୍ରତିଦିନ ନୂଆ ନୂଆ ଖବର ଶୁଣିବାକୁ ମିଳୁଛି । ଏବେ ଆମେରିକାରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଆମେରିକାର ଅରିଗାନ୍‌ରେ ବ୍ରିଟେନ୍‌ ଭାଇରସ୍‌ର ଏକ ନୂଆ ରୂପ ଦେଖିବାକୁ ମିଳିଛି ଯାହା ଆହୁରି ବେଶି ଭୟଙ୍କର ବୋଲି ବିଶେଷଜ୍ଞମାନେ କହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କରୋନାର ଏହି ରୂପ ଏକ ନୂଆ ମ୍ୟୁଟେଶନ ସହ ମିଳିଛି। ଏହି ନୂଆ ମ୍ୟୁଟେଶନରେ ଭାକ୍ସିନର ପ୍ରଭାବ କମ ରହିବାର ଆଶଙ୍କା ରହିଛି। ଏ ନେଇ ଲୋକଙ୍କୁ ସତର୍କ ରହିବା ପାଇଁ କୁହାଯାଇଥିବାବେଳେ  କୋଭିଡ କଟକଣା କଡାକଡ଼ି ପାଳିବା ପାଇଁ ପରାମର୍ଶ ଦିଆଯାଇଛି ।

ଗବେଷକଙ୍କୁ କରୋନାର ଏହି ପ୍ରକାର ରୂପ ଯଦିଓ ଗୋଟିଏ ମିଳିଛି ତେବେ ଜେନେଟିକ ଆନାଲିସିସ୍‌ କହୁଛି ଏହି ଭାରିଏଣ୍ଟ ବ୍ୟାପକ ରୂପ ନେଇଛି। ଓରିଗାନ୍‌ ହେଲ୍‌ଥ ଆଣ୍ଡ ସାଇନ୍ସ ୟୁନିଭର୍ସିଟିର ବ୍ରାୟନ ଓ ରାକ୍‌ଙ୍କ କହିବା ଅନୁଯାୟୀ,ଏହି ନୂଆ ଭାରିଏଣ୍ଟ ଅଚାନକ ସାମ୍ନାକୁ ଆସିଛି। ରାକ୍‌ ଏବଂ ତାଙ୍କର ଟିମ୍‌ ଏହି ଭାରିଏଣ୍ଟକୁ ଟ୍ରାକ୍‌ କରିବା ପାଇଁ ଗବେଷଣା କରୁଛନ୍ତି।

ଗବେଷକଙ୍କ କହିବା ଅନୁଯାୟୀ, ବ୍ରିଟେନ୍‌ରେ ମିଳୁଥିବା B 1.1.1.7 ଆମରିକାରେ ତୀବ୍ର ଗତିରେ ବ୍ୟାପୁଛି। ଭାଇରସ୍‌ର ଏ ପ୍ରକାର ରୂପ ଅଧିକ ସଂକ୍ରାମକ। ଅନୁମାନ କରାଯାଉଛି, ଆସନ୍ତା ସପ୍ତାହରେ ଏହି ନୂଆ ଭାରିଏଣ୍ଟ ଆମେରିକାରେ ସବୁଠାରୁ ଅଧିକ ମିଳିବ। ଓରିଗାନରେ ମିଳିଥିବା ନୂଆ ପ୍ରକାର ଭାଇରସରେ ଏସବୁ ସହିତ ଏକ ନୂଆ ମ୍ୟୁଟେଶନ ( ଯାହାକୁ E484K ବା Eek କୁହାଯାଏ) ସାମିଲ ହୋଇଛି। ଏହି ମ୍ୟୁଟେଶନ ଦକ୍ଷିଣ ଆଫ୍ରିକା, ବ୍ରାଜିଲ ଏବଂ ନ୍ୟୁୟର୍କ ସହରରେ ବ୍ୟାପୁଥିବା ଭାଇରସରେ ଦେଖିବାକୁ ମିଳିଛି।

ଦକ୍ଷିଣ ଆଫ୍ରିକାରେ ହୋଇଥିବା କ୍ଲିନିକାଲ ଟ୍ରାଏଲରୁ ଜାଣିବାକୁ ମିଳିଛି, ଏହି Eek ମ୍ୟଟେଶନ ଇମ୍ୟୁନ ପ୍ରତିକ୍ରିୟା ଉପରେ ପ୍ରଭାବ ପକାଉଛି ଯଦ୍ୱାରା ଭାକ୍ସିନ ପ୍ରଭାବ କମିଯାଉଛି। ବ୍ରିଟେନ୍‌ରେ ସାମ୍ନାକୁ ଆସିଥିବା Eek ସହ B.1.1.7 ଭାରିଏଣ୍ଟକୁ ବୈଜ୍ଞାନିକମାନେ ଚିନ୍ତାର କାରଣ ବୋଲି କହିଛନ୍ତି। ତେବେ ଡାକ୍ତର ରାକ କହିଛନ୍ତି, ଏମିତି ଲାଗୁଛି ଯେପରି ଓରଗାନରେ ମିଳୁଥିବା ଭାଇରସ ସ୍ୱତନ୍ତ୍ର ଭାବେ ବିକଶିତ ହୋଇଛି। କିନ୍ତୁ B.1.1.7 ସହ ହୋଇଥିବା ମ୍ୟୁଟେଶନ ଚିନ୍ତାର କାରଣ ହୋଇଛି। କାରଣ ବ୍ରିଟେନରେ ମିଳିଥିବା ନୂଆ ଭାରିଏଣ୍ଟ ପ୍ରଥମେ କମ୍‌ ମାତ୍ରାରେ ସାମ୍ନାକୁ ଆସୁଥିଲା କିନ୍ତୁ B.1.1.7ର ଏହି ନୂଆ ମ୍ୟୁଟେଶନ ହେବା ପରେ ଏହା ପୂରା ଦେଶରେ ଦ୍ରୁତ ଗତିରେ ବ୍ୟାପିଥିଲା। ତେବେ ଲୋକଙ୍କୁ ଭୟଭୀତ ନ ହେବା ପାଇଁ ଗବେଷକମାନେ କହିଛନ୍ତି।

You might also like