ଗର୍ଲଫ୍ରେଣ୍ଡର ଜନ୍ମଦିନ ପାର୍ଟିରେ ଆଖିବୁଜା ଗୁଳିିଚାଳନା, ନିଜକୁ ଗୁଳିମାରି ଆତ୍ମହତ୍ୟା କଲା ପ୍ରେମୀ

ଗୁଳିକାଣ୍ଡ ଘଟଣାରେ ୭ ମୃତ

ୱାଶିଂଟନ : ନାଚଗୀତର ଆସର ଥିଲା, ଜନ୍ମଦିନ ପାର୍ଟିରେ ମସଗୁଲ ଥିଲେ ଲୋକେ । ଆଉ ଏତିକି ବେଳେ ହତିଆର ଧରି ପଶିଆସିଥିଲେ ଯୁବକ । ଆଉ କିଛି ମୁହୂର୍ତ୍ତ ମଧ୍ୟରେ ସବୁ କିଛି ଓଲଟପାଲଟ ହୋଇଗଲା । ଆମେରିକାର କୋଲୋରାଡୋରେ ଜଣେ ଯୁବକ ଆଖିବୁଜା ଗୁଳିିଚାଳନା କରିଛନ୍ତି । ଆଉ ଜନ୍ମଦିନରେ ପାର୍ଟିରେ ହୋଇଥିବା ଏହି ଗୁଳିମାଡ଼ରେ ୭ ଜଣ ପ୍ରାଣ ହରାଇଛନ୍ତି । ଗର୍ଲଫ୍ରେଣ୍ଡର ଘରେ ଆୟୋଜିତ ଜନ୍ମଦିନ ପାର୍ଟିରେ ତାଙ୍କ ପ୍ରେମିକ ଏପରି ଗୁଳିମାଡ଼ ଘଟାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ଗୁଳିକାଣ୍ଡ ଘଟଣା ପଛର କାରଣ ସ୍ପଷ୍ଟ ହୋଇନାହିଁ ।

ନ୍ୟୁଜ ଏଜେନ୍ସି ଅନୁସାରେ ଗତକାଲି କୋଲରାଡୋର କ୍ୟାଟବେରୀ ମୋବାଇଲ ପାର୍କରେ ଜନ୍ମଦିନ ପାର୍ଟି ଚାଲୁଥିଲା । ଆଉ ହଠାତ ବନ୍ଧୁକ ଧରି ଜଣେ ଯୁବକ ପାର୍ଟିକୁ ପଶିଆସିଥିଲେ । କେହି କିଛି ବୁଝିବା ଆଗରୁ ସେ ଆଖିବୁଜା ଗୁଳିଚାଲାନା କରିଥିଲେ । ତେବେ ଏହି ଗୁଳିମାଡ଼ରେ ୬ ଜଣ ଲୋକଙ୍କ ଜୀବନ ଚାଲିଯାଇଥିଲା ଏବଂ ଆଉ ଜଣେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ହସ୍ପିଟାଲରେ ସଂପୃକ୍ତ ବ୍ୟକ୍ତିଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ସୂଚନା ଅନୁସାରେ ପାର୍ଟିରେ ଯୁବକ ଜଣକ ଅନ୍ୟ ଲୋକଙ୍କ ଉପରକୁ ଗୁଳିଚାଳନା କରିବା ପରେ ନିଜକୁ ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି । ଏହି ଗୁଳିମାଡ଼ ଘଟଣାରେ ଯୁବକଙ୍କ ଗର୍ଲଫ୍ରେଣ୍ଡର ମଧ୍ୟ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ୍ ତନାଘନା ଆରମ୍ଭ କରିଛି । ସନ୍ଦିଗ୍ଧ ସୁଟରକୁ ଜନ୍ମଦିନ ପାଳନ କରୁଥିବା ଯୁବତୀଙ୍କ ପ୍ରେମୀ ରୂପେ ଚିହ୍ନଟ କରିଛି ପୋଲିସ୍ ।

ତେବେ ବର୍ତ୍ତମାନ ସୁଦ୍ଧା ଗୁଳିମାଡ଼ର ଅସଲ କାରଣ ଜଣାପଡ଼ିନାହିଁ । ଏତେ ଲୋକଙ୍କ ସହ ସୁଟର କୌଣସି ପୂର୍ବ ଶତ୍ରୁତା ଥିଲା ନା ଏହାର ଅନ୍ୟ କୌଣସି କାରଣ ରହିଛି ତାହା ସ୍ପଷ୍ଟ ହୋଇପାରି ନାହିଁ । କିନ୍ତୁ ଏହି ଗୁଳିମାଡ଼ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାରବରଣ ଖେଳିଯାଇଛି ।

You might also like