କରୋନାକୁ ନେଇ ବିଶେଷଜ୍ଞଙ୍କ ଚେତାବନୀ; ଟ୍ରମ୍ପ ସରକାରଙ୍କ ନିଦ ହଜିଗଲା

ନ୍ୟୁୟର୍କ: ଉନ୍ନତଧରଣର ମାରଣାସ୍ତ୍ର ରହିଛି । ଅର୍ଥବ୍ୟବସ୍ଥା ଆହୁରି ମଜବୁତ୍‌ । ନିଜ ଦମ୍‌ରେ ଯିଏ ସାରା ଦୁନିଆରେ ନିଜର ପ୍ରଭାବ ବିସ୍ତାର କରିପାରିଛି ଆଜି ସେଇ ଦେଶ ଆମେରିକା କୋଭିଡ-୧୯ ସାମ୍ନାରେ ଶୋଚନୀୟ ଭାବେ ହାରି ଯାଇଛି । ଟ୍ରମ୍ପ ସରକାରଙ୍କ ସବୁ ଚେଷ୍ଟା ସତ୍ତ୍ୱେ ସଂକ୍ରମଣକୁ ରୋକା ଯାଇ ପାରୁନାହିଁ । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ବଢି ଚାଲିଛି । ପୃଥିବୀର ସବୁଠାରୁ ଅଧିକ କରୋନା ସଂକ୍ରମିତ ଦେଶ ହେଉଛି ଆମେରିକା । ବର୍ତ୍ତମାନ ସୁଦ୍ଧା ଏଠାରେ ଏକ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇ ସାରିଲେଣି ।
କରୋନା ଚ୍ୟାଲେଞ୍ଜ ପାଖରେ ଯେମିତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅସହାୟ ହୋଇ ପଡ଼ିଛନ୍ତି । ଏହି ସମୟରେ ନାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ ଏଲାର୍ଜି ଆଣ୍ଡ ଇନ୍‌ଫେକ୍ସନ ଡିଜିଜ୍‌ର ଡାଇରେକ୍ଟରଙ୍କ ଅନୁମାନ ଆମେରିକାବାସୀଙ୍କ ଚିନ୍ତାକୁ ଆହୁରି ବଢାଇ ଦେଇଛନ୍ତି । ସେ କହିଛନ୍ତି, କରୋନା ଭାଇରସ ଟ୍ରମ୍ପ ସରକାରଙ୍କ ଅବସ୍ଥାକୁ ଆହୁରି ଖରାପ କରିଦେବ ।
ସଂସ୍ଥାର ନିର୍ଦ୍ଦେଶକ ଡା.ଏନ୍ଥନୀ ଫୌସୀଙ୍କ ଅନୁମାନ ଅନୁଯାୟୀ, ଆଗାମୀ ଅଳ୍ପ ଦିନ ମଧ୍ୟ ଆମେରିକାର ଲକ୍ଷାଧିକ ଲୋକ କୋଭିଡ-୧୯ର ଶିକାର ପାଲଟିବେ । ଏପରିକି ଏହି ଭାଇରସ୍‌ ଏକ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁର କାରଣ ହୋଇପାରେ । ସୂଚନାଥାଉ କି, ଆମେରିକାର ନ୍ୟୁୟର୍କ ସହରରେ କରୋନାର ପ୍ରଭାବ ସବୁଠାରୁ ଅଧିକ । ନ୍ୟୁୟର୍କର ହଜାର ହଜାର ଲୋକ କୋଭିଡ-୧୯ ସଂକ୍ରମିତ ହେଲେଣି । ହେଲେ ଟ୍ରମ୍ପ ସରକାର ନ୍ୟୁୟକକୁ କ୍ୱାରେଣ୍ଟାଇନ କରିବା ନିଷ୍ପତ୍ତି ନେଇ ନାହାନ୍ତି ।

ଏଠାରେ କହି ରଖିବୁ, ଆମେରିକାରେ ରବିବାର ସୁଦ୍ଧା ୧.୩ ଲକ୍ଷ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଏବଂ ୨୩୦୦ରୁ ଅଧିକ ଲୋକଙ୍କର ଏଥିଯୋଗୁ ମୃତ୍ୟୁ ଘଟିଲାଣି । ଆମେରିକା ପରେ ଇଟାଲି ଏବଂ ସ୍ପେନରେ ମଧ୍ୟ କରୋନା ସ୍ଥିତି ଭୟଙ୍କର ରୂପ ନେଇଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହି ଦୁଇ ଦେଶ ଏବେ ବହୁତ ବଡ ସଙ୍କଟର ସାମ୍ନା କରୁଛନ୍ତି । ଇଟାଲି ଓ ସ୍ପେନ ୟୁରୋପୀୟ ସଂଘକୁ ସାହାଯ୍ୟ ପାଇଁ ଆବେଦନ କରିଛନ୍ତି ।
କରୋନା ଭାଇରସରେ ବିଶ୍ୱରେ ପ୍ରାୟ ୩୧ ହଜାର ଲୋକଙ୍କର ମୃତ୍ୟୁ ଘଟିଲାଣି । ଆମେରିକାରେ ବିଶେଷ କରି ଚିକାଗୋ, ଡେଂଟ୍ରାୟଟ, ନ୍ୟୁ ଆରଲିସରେ କରୋନାର ପ୍ରଭାବ ବେଶି ଦେଖିବାକୁ ମିଳିଛି । ତେବେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, କରୋନା ଜନିତ  ମୃତ୍ୟୁ ସଂଖ୍ୟା ବହୁତ ଅଧିକ । କାରଣ ଅନେକ ଦେଶରେ ରାଜନୈତିକ ନିଷ୍ପତ୍ତି କାରଣରୁ କାହାର ମୃତ୍ୟୁ କେଉଁ କାରଣରୁ ହେଲା ସ୍ପଷ୍ଟ ହୋଇ ପାରୁନାହିଁ । ଆମେରିକା, ଫ୍ରାନ୍ସ, ଇଟାଲି ନର୍ସି ହୋମ ଏବଂ ଘରେ ହେଉଥିବା କରୋନା ଜନିତ ମୃତ୍ୟୁକୁ ଏହି ଗଣନାରେ ଗ୍ରହଣ କରୁନାହାନ୍ତି ।

You might also like