କାହିଁକି ଭାରତକୁ ସାହାଯ୍ୟ କରିବାକୁ ବାଧ୍ୟ ହେଲା ଆମେରିକା?

  • କେଉଁ ଦିଗରୁ ବାଇଡେନ୍ ପ୍ରଶାସନ ଉପରେ ପଡ଼ିଲା ଚାପ?
  • ଡେମୋକ୍ରାଟ୍ ସାଂସଦଙ୍କ ସମାଲୋଚନା ପରେ ପଦକ୍ଷେପ

ୱାସିଂଟନ୍ : ପ୍ରଥମେ ଆମେରିକାକୁ ଅଗ୍ରାଧିକାର ଦେବା ଆଳରେ ଭାରତକୁ କୋଭିସିଲ୍ଡ ଟିକା ତିଆରି ପାଇଁ ଆବଶ୍ୟକ କଞ୍ଚାମାଲ ପଠାଇବାକୁ ରାଜି ହୋଇନଥିଲା ବାଇଡେନ୍ ପ୍ରଶାସନ । ତେବେ ହଠାତ୍ କାହିଁକି ବାଧ୍ୟ ହେଲା ନିଷ୍ପତ୍ତି ବଦଳାଇବାକୁ ? କୁହାଯାଉଛି, ମୁଖ୍ୟତଃ ୨ଟି ଦିଗରୁ ସମାଲୋଚନାର ଶିକାର ହେବା ପରେ ଆମେରିକା ନିଜ ଆଭିମୁଖ୍ୟ ବଦଳାଇଛି  ।

ପ୍ରଥମେ ନାସ୍ତିବାଣୀ ଶୁଣାଇ, ପରେ କାହିଁକି ଭାରତକୁ ସହାୟତାର ହାତ ବଢାଇବାକୁ ବାଧ୍ୟ ହେଲା ଆମେରିକା? ଏହା ପଛରେ ରହିଛି ୨ଟି କାରଣ । ପ୍ରଥମତଃ, ଗତବର୍ଷ କରୋନା ପ୍ରଥମ ଲହର ବେଳେ ଆମେରିକାକୁ ବିପୁଳ ପରିମାଣର ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ପଠାଇଥିଲା ଭାରତ । ସେତେବେଳେ ଆମେରିକାରେ କ୍ଷମତାସୀନ ଥିଲେ ଟ୍ରଂପ୍ ସରକାର । କରୋନା ଟିକା ବିକଶିତ ହୋଇନଥିଲା ଏବଂ ଆମେରିକାରେ ମହାମାରୀ ଉଗ୍ର ରୂପ ଧାରଣ କରିଥିଲା । ଏଭଳି ସ୍ଥିତିରେ ଆମେରିକାକୁ ସାହାଯ୍ୟ କରିଥିଲା ବିଶ୍ୱର ଫାର୍ମାସି କୁହାଯାଉଥିବା ଭାରତ ଗତବର୍ଷ ମେରେ ଏକକାଳୀନ ୫ କୋଟି ହାଇଡ୍ରୋକ୍ସି କ୍ଲୋରୋକୁଇନ ଟାବଲେଟ୍ ପଠାଯାଇଥିଲା, ଯାହାକି ଔଷଧ ରପ୍ତାନୀରେ ଏକ ରେକର୍ଡ ।

କେବଳ ଏତିକି ନୁହେଁ ଦ୍ୱିତୀୟ କାରଣ ହେଉଛି ଆମେରିକାର ବର୍ତ୍ତମାନର ଉପରାଷ୍ଟ୍ରପତି କମଳା ହାରିସ୍ ଭାରତୀୟ ବଂଶୋଦ୍ଭବ ହୋଇଥିବାରୁ, ସେ ନିର୍ବାଚନ ଲଢ଼ିବା ବେଳେ ଏବଂ ଜିତିବା ପରେ ଭାରତରୁ ତାଙ୍କ ପ୍ରତି ସମର୍ଥନ ଓ ପ୍ରଶଂସାର ସୁଅ ଛୁଟିଥିଲା । ସେତେବେଳେ କମଳା ହାରିସ୍ ମଧ୍ୟ ଭାରତ ଓ ଭାରତୀୟ ସଂସ୍କୃତି ସହ ତାଙ୍କ ସଂପର୍କ ନିବିଡ଼ ବୋଲି ଦର୍ଶାଇଥିଲେ । ହେଲେ ଏବେ ଭାରତର ବିପଦ ବେଳେ ନା ଆମେରିକା ପ୍ରଶାସନ, ନା ବ୍ୟକ୍ତିଗତ ସ୍ତରରେ କମଳା ହାରିସ୍, କୌଣସି ଆଡ଼ୁ ସହାୟତା ନମିଳିବାରୁ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ଖାସ୍ କରି କୋଭିସିଲ୍ଡ ଟିକା ତିଆରି ଲାଗି ଆବଶ୍ୟକ କଞ୍ଚାମାଲ ଓ ଉପକରଣ ଯୋଗାଣରେ ବିଳମ୍ବ ହେଉଥିବାରୁ ଡେମୋକ୍ରାଟିକ୍ ଦଳରେ ଭାରତୀୟ ସମର୍ଥକ ସାଂସଦ ଓ ଭାରତୀୟମୂଳ ସାଂସଦମାନେ ପ୍ରଶ୍ନ ଉଠାଇଥିଲେ । ଏମିତିକି ଆମେରିକାରେ ଗଚ୍ଛିତ ଥିବା ବିପୁଳ ପରିମାଣର ଫାଇଜର ଓ ଅଷ୍ଟ୍ରାଜେନେକା ଟିକାକୁ ଭାରତ ପଠାଇବା ଲାଗି ଦାବି ହୋଇଆସୁଛି । ଏହି ୨ଟି ଦିଗରୁ ପ୍ରବଳ ଚାପର ସମ୍ମୁଖୀନ ହେବା ପରେ ବାଇଡେନ୍ ପ୍ରଶାସନ ତତ୍ପର ହେବା ସହ ଭାରରତକୁ ସହାୟତା ପଠାଇଛି ।

କରୋନା ଲଢେଇରେ ସହଯୋଗ ଲାଗି ଆବଶ୍ୟକ ଔଷଧ, ଅକ୍ସିଜେନ୍, ଭେଣ୍ଟିଲେଟର, ପିପିଇ କିଟ୍, ଟେଷ୍ଟିଂ କିଟ୍ ଓ ଟିକା ତିଆରି କଞ୍ଚାମାଲ ଯୋଗାଇ ପଠାଇଛି ବାଇଡେନ୍ ପ୍ରଶାସନ । ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ୍ ସୁଲିଭାନ୍ ଭାରତୀୟ ପ୍ରତିପକ୍ଷ ଅଜିତ ଡୋଭାଲଙ୍କ ସହ ଆଲୋଚନା କରିବା ସହ ସହାୟତା ବିଷୟରେ ଜଣାଇଛନ୍ତି । ଏଥିସହ ଉଭୟ ରାଷ୍ଟ୍ରପତି ବାଇଡେନ ଓ ଉପରାଷ୍ଟ୍ରପତି କମଲା ହାରିସ ମଧ୍ୟ ମୁହଁ ଖୋଲିଛନ୍ତି । ରାଷ୍ଟ୍ରପତି ବାଇଡେନ୍ ଟୁଇଟ୍ କରିଛନ୍ତି କରୋନାର ପ୍ରଥମ ପର୍ଯ୍ୟାୟରେ ଯେତେବେଳେ ଆମେରିକା ବିଶେଷ ପ୍ରଭାବିତ ହୋଇଥିଲା । ସେତେବେଳେ ଭାରତ ସହାୟତାର ହାତ ବଢାଇଥିଲା ଏବେ ଭାରତର ଆବଶ୍ୟକତା ଥିବାରୁ ଆମେ ସହାୟତ ଲାଗି ବଦ୍ଧପରିକର । ସେହିପରି ଉପରାଷ୍ଟ୍ରପତି କମଲା ହାରିସ ମଧ୍ୟ ସମସ୍ତ ପ୍ରକାର ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି ।

You might also like