୨୪ ଚାଇନିଜ୍ କମ୍ପାନୀକୁ ବ୍ୟାନ୍ କଲା ଆମେରିକା
ୱାଶିଂଟନ୍:ଆମେରିକା ଏବଂ ଚୀନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା କମ୍ ହେବାର ନାଁ ଧରୁନି। ଯଦିଓ ଦ୍ୱିପାକ୍ଷିକ କଥାବାର୍ତ୍ତା ଭଲ ଚାଲିଛି ବୋଲି ଉଭୟ ଦେଶ ଦାବି କରୁଛନ୍ତି ତେବେ ଆମେରିକାର କେତେକ କଡ଼ା ପଦକ୍ଷେପକୁ ଦେଖିଲେ ଏହି କଥାକୁ ବିଶ୍ୱାସ କରି ହେଉନି। ସାଉଥ ଚାଇନା ସି, ହଙ୍କକଙ୍ଗ୍ ଏବଂ ତାଇବାନ ପରି ପ୍ରସଙ୍ଗ ପରେ ଏବେ ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଯାଇଛି ବ୍ୟାବସାୟିକ ଯୁଦ୍ଧ। ଏହି କ୍ରମରେ ଆମେରିକା ଚୀନ୍ର ୨୪ଟି କମ୍ପାନୀକୁ ବ୍ୟାନ କରି ଦେଇଛି।
ତେବେ ଆମେରିକା ଚୀନର ସେହି କମ୍ପାନୀଗୁଡ଼ିକୁ ବନ୍ଦ କରିଛି ଯେଉଁମାନେ ସିଧାସଳଖ ଚୀନ୍ ସେନା ସହ ଯୋଡି ରହି କାମ କରୁଛନ୍ତି। ଏବେଠାରୁ ଯେଉଁ ୨୪ କମ୍ପାନୀ ଆମେରିକାରେ କାମ କରିବେ ନାହିଁ ତାହାର ତାଲିକା ପ୍ରକାଶ କରିଛି ଆମେରିକା। ସେତିକି ନୁହେଁ, ଏହି କମ୍ପାନୀ ଏବଂ ଏହା ସହ ଜଡ଼ିତ ଲୋକଙ୍କ ବିରୋଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ। ଆମେରିକା ଅଭିଯୋଗ ଆଣିଛି, ଏହି କମ୍ପାନୀଗୁଡ଼ିକ ସାଉଥ ଚାଇନା ସିରେ କୃତ୍ରିମ ଦ୍ୱୀପ କରି ସେନା ଆଡ୍ଡା ତିଆରି କରିବାରେ ସହାୟତା କରୁଛନ୍ତି।
ଅନ୍ୟପକ୍ଷେ ଆମେରିକା ଗୁଇନ୍ଦା ସଂସ୍ଥା ସୂଚନା ମୁତାବକ ଏହି କମ୍ପାନୀଗୁଡ଼ିକ ଚୀନ ପାଇଁ ଗୁପ୍ତଚର କାମ କରୁଛନ୍ତି। ଏମାନେ ଆମେରିକା ପାଇଁ ବିପଦ ସୃଷ୍ଟି କରୁଛନ୍ତି।
ସୂଚନାଥାଉ କି, ଚାଇନା ଏବେ ସାଉଥ ଚାଇନା ସିରେ ଅନେକ କୃତ୍ରିମ ଦ୍ୱୀପ ତିଆରି କରିଲାଣି। ସେତିକି ନୁହେଁ, ଏହି କୃତ୍ରିମ ଦ୍ୱୀପରେ ବିପୁଳ ସଂଖ୍ୟକ ଯୁଦ୍ଧପୋତ, ଫାଇଟର ଜେଟ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ରଖିଛି।