ଜନସନ ଆଣ୍ଡ ଜନସନ ଟିକା ଉପରେ ରୋକ୍ ଲଗାଇଲା ଆମେରିକା

ନୂଆଦିଲ୍ଲୀ: ଆମେରିକାରେ କରୋନା ଟିକା ଜନସନ ଆଣ୍ଡ ଜନସନକୁ ସାମୟିକ ବନ୍ଦ କରାଯାଇଛି। ଟିକା ନେବା ପରେ ୬ ଜଣଙ୍କ ଠାରେ ରକ୍ତ ଜମାଟ ବାନ୍ଧିବାରୁ ଏମିତି ପଦକ୍ଷେପ ନେଇଛନ୍ତି ଆମେରିକା ସରକାର। ଆମେରିକା ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ ପକ୍ଷରୁ ଟିକା ବନ୍ଦ ସମ୍ପର୍କରେ ସୂଚନା ଦିଆଯାଇଛି। ଆମେରିକାରେ ଏଯାଏଁ ୬୮ ଲକ୍ଷ ଲୋକଙ୍କୁ ଜନସନ ଟିକା ଦିଆଯାଇଛି।ତେବେ ଟିକା ବନ୍ଦ ସମ୍ପର୍କରେ ଆମେରିକାର ଫୁଡ ଆଣ୍ଡ ଆଡମିଷ୍ଟ୍ରେସନ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। ଯେଉଁଥିରେ କୁହାଯାଇଛି କି ଆଜି ଠାରୁ ଏଫଡିଏ ଓ ସିଡିସି ଗଭରମେଣ୍ଟ ର ସୂଚନା ମୁତାବକ ଜନସନ ଆଣ୍ଡ ଜନସନର କୋଭିଡ-୧୯ ଭ୍ୟାକ୍ସିନ ର ବ୍ୟବହାର ଉପରେ ସାମୟିକ ପ୍ରତିବନ୍ଧକ ଲଗାଯାଇଛି।

ଏହାପୂର୍ବରୁ ରକ୍ତ ଜମାଟ ବାନ୍ଧିବା ଭଳି ମାମଲାରେ କିଛି ୟୁରୋପୀୟ ଦେଶ ଏଷ୍ଟ୍ରାଜେନିକା କୋଭିଡ ଟିକା ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇସାରିଛନ୍ତି । ଏହି ଦେଶମାନଙ୍କ ମଧ୍ୟରେ ଜର୍ମାନୀ, ଇଟାଲି, ଫ୍ରାଂସ, ଭଳି ଦେଶ ରହିଛନ୍ତି । କେବଳ ୟୁରୋପୀୟ ଦେଶମାନେ ନୁହେଁ , ଏସିଆ ମହାଦେଶର ଇଣ୍ଡୋନେସିଆ ବି ଏହି ଟିକା ଉପରେ ପ୍ରତିବନ୍ଧକ ଲଗାଇଥିଲେ ।

ଏପଟେ ଦେଶରେ ବଢିବାରେ ଲାଗିଛି କରୋନା। ସ୍ଥିତି ଏମିତି ହେଲାଣି, ଶତାଧିକ ଲୋକଙ୍କୁ ଜୀବନ ନେବାରେ ଲାଗିଛି କରୋନା। ତେବେ ଏହି ସମୟରେ ଦେଶରେ ଟିକାର ଅଭାବ ଥିବା ବି ଜଣାପଡ଼ିଛି। ଭାରତରେ ଏବେ ଦୁଇଟି କରୋନା ଟିକା କୋଭିସିଲ୍ଡ ଏବଂ କୋଭାକ୍ସିନ ଟିକା ଲୋକଙ୍କୁ ଦିଆଯାଉଥିବା ବେଳେ ଋଷର ଟିକା ସ୍ପୁଟନିକ-ଭିର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର।

ଏହାରି ମଧ୍ୟରେ ଚଳିତ ବର୍ଷ କିଛି ବିଦେଶୀ ଟିକାକୁ ମଞ୍ଜୁରୀ ଦେବାକୁ ସରକାର ଯୋଜନା କରିଛନ୍ତି, ସେଗୁଡ଼ିକ ହେଲା-ଜନସନ ଆଣ୍ଡ ଜନସନ, ଜାଇଡସ କାଡ଼ିଲା, ନୋଭାଭାକ୍ସ ଏବଂ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ନାକରେ ଦିଆଯାଇପାରୁଥିବା ଟିକା। ବିଶେଷ କରି ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ସଂକ୍ରମଣ ବଢ଼ୁଥିବା ବେଳେ ଏଠାରେ ଟିକା ଅଭାବ ପାଇଁ ଅନେକ ଟିକାକରଣ କେନ୍ଦ୍ର ବନ୍ଦ ହୋଇସାରିଲାଣି। ତେବେ ଆଜି ଦେଶରେ, ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୫୧,୭୫୧ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଉତ୍ତରପ୍ରଦେଶରେ ୧୩, ୬୦୪ ଜଣ, ଛତିଶଗଡରେ ୧୩,୫୭୬ ଏବଂ ଦିଲ୍ଲୀରେ ୧୧,୪୯୧ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି।

You might also like