ଶିବସେନାରେ ଯୋଗ ଦେବେ ବଲିଉଡ୍ ହିରୋଇନ୍ ଉର୍ମିଲା
ମୁମ୍ବାଇ: ଅଭିନେତ୍ରୀରୁ ନେତ୍ରୀ ସାଜିଥିବା ବଲିଉଡ୍ ଆଭିନେତ୍ରୀ ଉର୍ମିଲା ମୋତୋଣ୍ଡକର ତାଙ୍କ ରାଜନୈତିକ କ୍ୟାରିୟର ପାଇଁ ନୂଆ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଗତ ନିର୍ବାଚନରେ କଂଗ୍ରେସ ଟିକେଟରୁ ଲୋକସଭା ନିର୍ବାଚନ ଲଢ଼ିଥିବା ଉର୍ମିଲା କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଏବେ ସେ ଶିବସେନାରେ ସାମିଲ୍ ହେବାକୁ ଯାଉଛନ୍ତି। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ସୋମବାର ସେ ଶିବସେନାରେ ଯୋଗ ଦେବେ ବୋଲି ସୂଚନା ମିଳିଛି।
ଦଳରେ ଘୃଣ୍ୟରାଜନୀତି ଅଭିଯୋଗ ଆଣି ଦଳରୁ ଇସ୍ତଫା ଦେଇଥିଲେ ଉର୍ମିଲା। ୨୦୧୯ ମାର୍ଚ୍ଚ ମାସରେ ସେ କଂଗ୍ରେସରେ ଯୋଗ ଦେଇଥିଲେ। ଏହାର ୫ ମାସ ପରେ ସେ ସେପ୍ଟେମ୍ବର ୨୦୧୯ରେ ସେ ଦଳରୁ ଇସ୍ତଫା ଦେଇଥିଲେ।
କଂଗ୍ରେସରୁ ଇସ୍ତଫା ଦେଇ ଉର୍ମିଲା କହିଥିଲେ ମୋର ରୈଜନୈତିକ ଓ ସାମାଜିକ ସମ୍ବେଦନଶୀଳତା ଏକ ବଡ଼ ଓ ମହାନ କାର୍ଯ୍ୟ କରିବା ପରିବର୍ତ୍ତେ ଏଭଳି ଘୃଣ୍ୟ ରାଜନୀତି କରିବାକୁ ଅନୁମତି ଦେଉନାହିଁ। ଦଳର ବରିଷ୍ଠ ନେତା ସଞ୍ଜୟ ନିରୂପମ କରିଥିବା ଦୁର୍ବ୍ୟବହାର ସମ୍ପର୍କରେ ଜଣାଇଥିଲେ ବି ତାଙ୍କ ବିରୋଧରେ ଦଳ କୌଣସି ପଦକ୍ଷେପ ନ ନେବାରୁ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ବୋଲି ଉର୍ମିଲା କହିଥିଲେ।