ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି

ଅାମିକସ୍ କ୍ୟୁରି ଗୋପାଳ ସୁବ୍ରମଣ୍ୟମଙ୍କୁ ଦାୟିତ୍ୱରୁ ଅବ୍ୟାହତି

ନୂଆଦିଲ୍ଲୀ  : ଶ୍ରୀମନ୍ଦିର ସଂସ୍କାର ଲାଗି ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ସ୍ୱତନ୍ତ୍ର ଅାମିକସ୍ କ୍ୟୁରି ଗୋପାଳ ସୁବ୍ରମଣ୍ୟମଙ୍କୁ ଦାୟିତ୍ୱରୁ ଅବ୍ୟାହତି ମିଳିଛି। ସୁବ୍ରମଣ୍ୟମଙ୍କ ଅବ୍ୟାହତି ଅାବେଦନକୁ ଅାଜି ସୁପ୍ରିମ୍‌କୋର୍ଟ ଗ୍ରହଣ କରିଛନ୍ତି।

ଅାଜି ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ବେଳେ ସୁପ୍ରିମ୍‌କୋର୍ଟ ଗୋପାଳ ସୁବ୍ରମଣ୍ୟମଙ୍କ ଅାବେଦନକୁ ଗ୍ରହଣ କରି ତାଙ୍କୁ ଅାମିକସ୍‌ କ୍ୟୁରି ଦାୟିତ୍ୱରୁ ମୁକ୍ତ କରିଛନ୍ତି। ଏହାସହ ଶ୍ରୀମନ୍ଦିର ସଂସ୍କାର ମାମଲାର ପରବର୍ତ୍ତି ଶୁଣାଣି ଅାସନ୍ତା ଜାନୁଅାରୀ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି କୋର୍ଟ।

ସେପଟେ ଅାସନ୍ତା ଡିସେମ୍ବର ଶେଷ ସପ୍ତାହ ସୁଦ୍ଧା ନୂଅା ଅାମିକସକ୍ୟୁରି ନିଯୁକ୍ତି ସମ୍ଭାବନା ରହିଛି। ଶ୍ରୀମନ୍ଦିର ସଂସ୍କାର ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଅାଜି ଶୁଣାଣି ପୂର୍ବରୁ ଅାମିକସ କ୍ୟୁରି ଗୋପାଳ ସୁବ୍ରମଣ୍ୟମ ବ୍ୟକ୍ତିଗତ କାରଣରୁ ଦାୟିତ୍ୱରୁ ଓହରିଯାଇଥିଲେ।

ଗତ ୨୫ ତାରିଖରେ ଏ ନେଇ ସେ ସୁପ୍ରିମକୋର୍ଟ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖି ଜଣାଇଥିଲେ। ଶ୍ରୀମନ୍ଦିର ଅବ୍ୟବସ୍ଥା ମାମଲାରେ କୋର୍ଟଙ୍କୁ ସହଯୋଗ କରିବା ପାଇଁ ସୁବ୍ରମଣ୍ୟମଙ୍କୁ ଗତ ଜୁନ ୬ରେ ସୁପ୍ରିମକୋର୍ଟ ନିଯୁକ୍ତ କରିଥିଲେ।

ଏହାପରେ ସେ ଗତ ସେପ୍ଟେମ୍ବର ୨୧ ଓ ୨୨ରେ ପୁରୀ ଅାସି ବିଭିନ୍ନ ପକ୍ଷ ସହ ଅାଲୋଚନା କରିଥିଲେ।  ଗତ ଅକ୍ଟୋବର ୩୦ ତାରିଖରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହେବାର ଥିଲା। ତେବେ ସୁବ୍ରମଣ୍ୟମ୍‌ଙ୍କ ଅସୁସ୍ଥତା ଯୋଗୁଁ ଶୁଣାଣିକୁ ଅାଜିକୁ ଘୁଞ୍ଚାଇ ଦିଅାଯାଇଥିଲା।

You might also like