ବାଜିଲାନି ବାଜା, ପଡିଲାଣି ହାତଗଣ୍ଠି କିନ୍ତୁ ବାହାଘର ହେଲା…

ହସ୍ପିଟାଲ ବେଡ ଉପରେ ପଡିଲା ହାତଗଣ୍ଠି

ଉତ୍ତରପ୍ରଦେଶ ପ୍ରୟାଗରାଜରେ ନିଆରା ବାହାଘର। ହସ୍ପିଟାଲ ବେଡ ଉପରେ ପଡିଲା ହାତଗଣ୍ଠି। ଷ୍ଟ୍ରେଚର ଉପରେ ନବବଧୂଙ୍କୁ ସିନ୍ଦୁର ପିନ୍ଧାଇଲେ ଭାବୀ ବର। ବାହାଘର ପାଇଁ ଧୁମଧାମରେ ଆୟୋଜନ ବେଳେ ଛାତ ଉପରୁ ଖସିପଡିଥିଲେ କନ୍ୟା। କିନ୍ତୁ ବାହାଘର ଭାଙ୍ଗିନଥିଲା। ଉଭୟ ବର କନ୍ୟା ବିବାହ କରିବାକୁ ସ୍ଥିର କରି ଡାକ୍ତରଙ୍କ ପରାମର୍ଶ ପରେ ଷ୍ଟ୍ରେଚରରେ ସିନ୍ଦୁର ପିନ୍ଧାଇଥିଲେ।

ମଥାରେ ସିନ୍ଦୁର,ମୁଣ୍ଡରେ ନାଲି ଓଢଣୀ… ବୋହୂ ବେଶରେ ସଜେଇ ହୋଇଛି। ଆଉ ଆରତୀର ବାହାଘର ସରିଛି। ହେଲେ ଆରତୀର ବାହାଘର କୌଣସି ବଲିଉଡ୍ ଫିଲ୍ମ କାହାଣୀ ଠାରୁ କମ୍ ନୁହେଁ। ହସପିଟାଲରେ ବେଡରେ ଚିକିତ୍ସିତ ହେଉଥିବା ଆରତୀର ହାତଗଣ୍ଠି ପଡିଛି ଷ୍ଟ୍ରେଚର ଉପରେ। ମେହନ୍ଦି, ହଳଦୀ ପରେ ଚାଲିଥିଲା ବାହାଘର ପ୍ରସ୍ତୁତି । ଭୋଜି ଭାତ ଆରମ୍ଭ ହୋଇସାରିଥିଲା। ଆଉ ଠିକ୍ ଏତିକି ବେଳେ ଏକ ଦୁର୍ଘଟଣା ସବୁ କିଛି ବଦଳାଇଦେଲା। ହଠାତ୍ ଛାତ ଉପରୁ ଖସିପଡିଲେ ଆରତୀ। ମେରୁଦଣ୍ଡରେ ମାଡ ହେବା ସହ ଗୋଡ ଭାଂଗିଗଲା। ଡାକ୍ତର କହିଲେ ସୁସ୍ଥ ହେବାକୁ ୩ ମାସ ଲାଗିପାରେ।

ଏଭଳି ସ୍ଥିତିରେ ପୁଅଘର ବିବାହ ଭାଙ୍ଗିଦେବେ ବୋଲି ଆଶଙ୍କା କରିଥିଲେ କନ୍ୟା ପକ୍ଷ। ହେଲେ ଏଯାଏ କାହାଣୀରେ ବାକି ଥିଲା ହିରୋର ଏଂଟ୍ରି। ଆରତୀଙ୍କ ସ୍ୟାଡ୍ ଷ୍ଟୋରୀରେ ଟ୍ୱିଷ୍ଟ ଆଣିଥିଲେ ଭାବୀ ବର। ସମସ୍ତେ ପରାମର୍ଶ ଦେଇଥିଲେ ବାହାଘର ଆଉ କିଛି ଦିନ ଘୁଂଚାଇଦେବାକୁ। କିଏ କିଏ ତ ସିଧା ମନା ବି କରିଦେଇଥିଲେ। ହେଲେ ଅବଦେଶ କହିଥିଲେ ବିବାହ କରିବେ ତ, ଆରତୀଙ୍କୁ। ଏବଂ ନିର୍ଧାରିତ ଦିନରେ ହିଁ ହେବ ବାହାଘର। ଏହାପରେ ଡାକ୍ତରଙ୍କୁ ଅନୁରୋଧ କରାଯାଇଥିଲା ଏବଂ ଷ୍ଟ୍ରେଚରରେ ଆରତୀ ଆସିଥିଲେ ଘରକୁ। ବୋହୁ ବେଶରେ ଷ୍ଟ୍ରେଚର ଉପରେ ଆରତୀଙ୍କୁ ସିନ୍ଦୁର ପିନ୍ଧାଇଥିଲେ ଅବଦେଶ। ଏହାପରେ ହସପିଟାଲ ଫେରିଯାଇଥିଲେ ଆରତୀ।

ବାଜା, ବାଣ, ରୋଷଣୀ ନଥିଲା। ବେଦୀ ଚାରିପଟେ ହାତଧରି ବୁଲିନଥିଲେ ବର-କନଆ। ହେଲେ ଏହି ବାହାଘର ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟିଯାଇଛି।

You might also like