ମନ୍ଦିର ଯିବା ରାସ୍ତାରେ ଗଣଦୁଷ୍କର୍ମର ଶିକାର ହେଲେ ଅଙ୍ଗନବାଡି ସହାୟିକା

ସୀମା ଟପିଲା ବର୍ବରତା। ୫୦ ବର୍ଷିୟ ଅଙ୍ଗନବାଡି ସହାୟକଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଲକ୍ଷ୍ମୌ: ସୀମା ଟପିଲା ବର୍ବରତା। ୫୦ ବର୍ଷିୟ ଅଙ୍ଗନବାଡି ସହାୟକଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। କେବଳ ଗଣଦୁଷ୍କର୍ମ ନୁହେଁ ବରଂ ହତ୍ୟା କରାଯାଇଥିବା ନେଇ ସୂଚନା ରହିଛି। ତେବେ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି। ତଦନ୍ତର ପ୍ରଥମ ଦଫାରେ କାର୍ଯ୍ୟାନୁଷ୍ଠାନ ବି ନିଆଯାଇଛି। ଅପରାଧରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଧରିବାକୁ ସ୍ୱତନ୍ତ୍ର ଟିମ ପ୍ରସ୍ତୁତ କରିଛି ୟୁପି ପୋଲିସ। ବର୍ତ୍ତମାନ ସମୟରେ ୨ ଜଣ ଅପରାଧୀ ଧରାପଡିଥିବା ନେଇ ମଧ୍ୟ ସୂଚନା ରହିଛି।

ମହିଳା ଜଣକ ନିଜ ଗାଁରେ ଥିବା ମନ୍ଦିରକୁ ପୂଜା କରିବାକୁ ଯାଉଥିବା ସମୟରେ ଦୁର୍ବୃତ୍ତମାନେ ଏହି କାଣ୍ଡ ଘଟାଇଛନ୍ତି। ତେବେ ପୋଷ୍ଟମର୍ଟମ ରିପୋର୍ଟରେ ହତ୍ୟା ପୂର୍ବରୁ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଉଲ୍ଲେଖ କରାଯାଇଛି। ତେବେ ପରିବାର ସମ୍ପର୍କୀୟଙ୍କ କହିବା ଅନୁସାରେ,ଜାନୁଆରୀ ୩ ତାରିଖ ସନ୍ଧ୍ୟା ସମୟରେ ମହିଳା ଜଣକ ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ। ଆଉ ଏହି ସମୟରେ କିଛି ଅଜଣା ଯୁବକ ଏପରି କାଣ୍ଡ କରିଛନ୍ତି। କେବଳ ଏତିକି ନୁହେଁ ବରଂ ମହିଳାଙ୍କ ଗୋଟିଏ ଗୋଡ ଫ୍ୟାକଚର ଥିବା ମଧ୍ୟ ଜଣାଯାଇଛି।

ତେବେ କହିବାକୁ ଗଲେ ୟୁପିର ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ରହିଛି। କାରଣ କିଛିଦିନ ତଳେ ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ସହ ସଂଘର୍ଷ କରିବା ପରେ ଶେଷରେ ହାରିଯାଇଥିଲେ ହାଥରସ ଗଣଦୁଷ୍କର୍ମ ପୀଡିତା । ଉତ୍ତରପ୍ରଦେଶ ହାଥରସ୍‌ରେ ଘଟିଥିବା  ଜଘନ୍ୟ ଦୁଷ୍କର୍ମ ମାମଲାକୁ ନେଇ ରାଜନୀତି ବି ବେଶ ତେଜିଥିଲା। ସ୍ଥିତି ଏମିତି ହୋଇଥିଲା ଯେ,  ପୀଡ଼ିତାଙ୍କ ମୃତଦେହକୁ ରାତି ଅଧରେ ସତ୍କାର କରିଥିଲା ପୋଲିସ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଘନ ଅନ୍ଧାର ଭିତରେ ପୋଲିସ ପୀଡିତାଙ୍କ ଶବ ସତ୍କାର କରିଥିଲା। ଏପରିକି ସତ୍କାର କରିବା ପୂର୍ବରୁ ପୀଡିତାଙ୍କ ପରିବାରଲୋକଙ୍କୁ ଘରେ ବନ୍ଦ କରି ରଖା ଯାଇଥିଲା। ଅନ୍ଧାର ରାତିରେ ହୋଇଥିବା ରେକର୍ଡିଂ ଭିଡିଓରେ ଏହାସବୁ ଦେଖିବାକୁ ମିଳିଥିଲା। ପୋଲିସ ପୀଡିତା ପରିବାର ଲୋକଙ୍କ ସହ ଅତ୍ୟନ୍ତ ରୁକ୍ଷ ବ୍ୟବହାର କରୁଥିଲା।

ପୀଡିତାଙ୍କ ପରିବାର ଲୋକେ ଶବକୁ ନେବା ପାଇଁ ଅଡି ବସିଥିଲେ। ଏଥି ପାଇଁ ପୋଲିସ ସହ ତାଙ୍କର ଯୁକ୍ତିତର୍କ ମଧ୍ୟ ହୋଇଥିଲା। ତେବେ ସେହି ଘଟଣାଟି ମନରୁ ଏପର୍ଯ୍ୟନ୍ତ ଲିଭିନଥିବା ବେଳେ ପୁଣି ଜଣେ ମହିଳାଙ୍କ ସହ ଏପରି ହୀନ କାର୍ଯ୍ୟ କରାଯାଇଛି। ଏପରି ଘଟଣା ବାରମ୍ବାର ହେଉଥିବାରୁ ସ୍ଥାନୀୟ ସରକାର ଓ ପ୍ରଶାସନର ଉପରେ ଆଙ୍ଗୁଳି ମଧ୍ୟ ଉଠିଛି। ଆଗାମୀ ଦିନରେ ଯଦି ସରକାର ନ ଚେତନ୍ତି ତେବେ ସ୍ଥିତି ଗମ୍ଭୀର ହେବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।

You might also like