ଆତ୍ମହତ୍ୟା କରୁଥିଲେ ମହିଳା : ଦେଖଣାହାରୀ ସାଜିଥିଲେ ଶାଶୁଘର ଲୋକେ

ବଞ୍ଚାଇବେ ପରିବର୍ତ୍ତେ ମରିବା ପର୍ଯ୍ୟନ୍ତ ଭିଡ଼ିଓ ରେକର୍ଡ଼ିଂ କଲେ

ମୁଜାଫରନଗର : ଆତ୍ମହତ୍ୟା କରୁଥିଲେ ମହିଳା, ବଞ୍ଚାଇବେ ପରିବର୍ତ୍ତେ ମରିବା ପର୍ଯ୍ୟନ୍ତ ଭିଡ଼ିଓ ସୁଟ୍ କଲେ ଶାଶୁଘର ଲୋକ । ଉତ୍ତର ପ୍ରଦେଶ ମୁଜାଫରନଗର ଜିଲ୍ଲାରରେ ଏପରି ହୃଦୟଥରା ଘଟଣା ସାମ୍ନାକୁ ଆସିଛି। ଶାଶୁଘରର ନିତିଦିନିଆ ନିର୍ଯାତନା ସହିନପାରି ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ମହିଳା । ତେବେ ସବୁଠାରୁ ବିଡ଼ମ୍ବନାର ବିଷୟ ବୋହୂ ଆତ୍ମହତ୍ୟା କରୁଥିବା ବେଳେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ଶାଶୁ ଘର ଲୋକେ । ତାଙ୍କ ଆଖି ସାମ୍ନାରେ ସବୁକିଛି ଘଟୁଥିଲା, ଆଉ ସେମାନେ ଦେଖଣାହାରୀ ସାଜିଥିଲେ । ଆତ୍ମହତ୍ୟା କରୁଥିବା ବେଳେ କେହି ବି ବଞ୍ଚାଇବାକୁ ଆସିଲେନି, ବରଂ ଭିଡ଼ିଓ ବୋହୂ ମରୁଥିବାର ଦୃଶ୍ୟକୁ ରେକର୍ଡ଼ କରୁଥିଲେ । ମହିଳାଙ୍କ ଆତ୍ମହତ୍ୟାର ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।

ଶାହପୁର ଥାନା ଅଞ୍ଚଳର ପଲଡି ଗାଁର କୋମଲ ଦୁଇ ବର୍ଷ ପୂର୍ବେ ଛପାର ଥାନା ଅଞ୍ଚଳର ଦତ୍ତିଆନା ଗ୍ରାମ ନିବାସୀ ଆଶିଷଙ୍କୁ ବିବାହ କରିଥିଲେ। ବିବାହରେ ସାଧ୍ୟମତେ ପରିବାର ଲୋକ ଯାନିଯୌତୁକ ଦେଇ ଝିଅ ବିଦା କରିଥିଲେ । ପ୍ରଥମେ କିଛି ଦିନ ବେଶ୍ ହସଖୁସିରେ କଟିଥିଲେ ଉଭୟଙ୍କ ବୈବାହିକ ଜୀବନ । ତେବେ କିଛି ଦିନ ପରେ ଯୌତୁକ ଦାବି କରି ଶାଶୂଘର ଲୋକ କୋମଲଙ୍କୁ ମାରପିଟ କରିବା ଆରମ୍ଭ କରିଥିଲେ।   କେବଳ ଏତିକି ନୁହେଁ  ବାପଘରୁ ଟଙ୍କା ନଆଣିଲେ ଆସିବୁନି କହି, ୬ ମାସ ପୂର୍ବରୁ ତାଙ୍କୁ ଘରୁ ତଡି ଦେଇଥିଲେ। ହେଲେ ସମ୍ପର୍କୀୟଙ୍କ ହସ୍ତକ୍ଷେପ କ୍ରମେ ବୁଝାସୁଝାରେ କୋମଲ ପୁଣି ଶାଶୁଘର ଫେରିଥିଲେ । ହେଲେ ପରେ ପୁଣି ଶାଶୁ ଓ ସ୍ୱାମୀ ତାଙ୍କୁ ମାରପିଟ କରିବା ଆରମ୍ଭ କରିଦେଇଥିଲେ।

ମାଡ଼ଗାଳି ଅତି ଅସହ୍ୟ ହେବାରୁ ଗତ ରବିବାର ଦିନ କୋମଲ ନିଜ ରୁମେରେ ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ତେବେ ଶାଶୁଘର ଲୋକ ତାଙ୍କୁ ବଞ୍ଚାଇବା ଛାଡି ଝରକା ପଟେ ମୋବାଇଲରେ ସବୁ ରେକର୍ଡ଼ିଂ କରିଛନ୍ତି । ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି, କୋମଲ ବେକରେ ଓଢଣୀ ବାନ୍ଧି ଝୁଲିପଡ଼ୁଛନ୍ତି । କୋମଲଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି, ଶାଶୁଘର ଲୋକେ ଚାହିଁଥିଲେ ଝିଅକୁ ବଞ୍ଚାଇ  ପାରିଥାଆନ୍ତେ । ତେବେ ମହିଳାଙ୍କ ବାପଘର ଲୋକଙ୍କ ଠାରୁ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଅଭିଯୋଗ କ୍ରମେ  ମହିଳାଙ୍କ ଶାଶୁ, ଶ୍ୱଶୁରଙ୍କୁ ଗିରଫ କରାଯାଇଛି। ଅନ୍ୟପଟେ ମହିଳାଙ୍କ ସ୍ୱାମୀ ଫେରାର ଅଛନ୍ତି। ଯାଞ୍ଚ ରିପୋର୍ଟ ଆସିବା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ।

You might also like