ୱାର୍ଡ ବୟଙ୍କ ମୃତ୍ୟୁ, ମୃତ୍ୟୁର ୨୪ ଘଣ୍ଟା ପୂର୍ବରୁ ନେଇଥିଲେ କରୋନା‌ ଭ୍ୟାକ୍ସିନ୍‌

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୋରଦାବାଦର ଏକ ସରକାରୀ ହସ୍ପିଟାଲ୍‌ରେ ରବିବାର ସନ୍ଧ୍ୟାରେ ଜଣେ ୪୬ ବର୍ଷୀୟ ୱାର୍ଡ ବୟଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁର ୨୪ ଘଣ୍ଟା ପୂର୍ବରୁ ସେ କୋଭିଡ୍‌ ଟିକା ନେଇଥିଲେ। ଅନ୍ୟପକ୍ଷରେ, ତାଙ୍କର ମୃତ୍ୟୁ କୋଭିଡ୍‌ ଭ୍ୟାକ୍ସିନ୍‌ ନେବା ସହ ଜଡ଼ିତ ନୁହେଁ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି।

ରବିବାର ଦିନ ୱାର୍ଡ ବୟ ମହିପାଲ୍‌ ସିଂଙ୍କ  ମୁଣ୍ଡ ଜୋରରେ ବିନ୍ଧିବା ସହ ନିଶ୍ୱାସପ୍ରଶ୍ୱାସ ନେବାରେ ସେ କଷ୍ଟ ଅନୁଭବ କରିଥିଲେ। ଏହାପରେ ତାଙ୍କର ମୃତ୍ୟୁ ହୋଇଥିଲା। ମହିପାଲ୍‌ଙ୍କ ପରିବାର ଲୋକଙ୍କ କହିବା କଥା, ଭ୍ୟାକ୍ସିନ୍‌ ନେବା ପରେ ସେ ଏଭଳି ସମସ୍ୟା ଭୋଗୁଥିବା କଥା କହିଥିଲେ।

ମୋରବଦାବାଦ ମୁଖ୍ୟ ମେଡିକାଲ୍‌ ଅଫିସର ସୂଚନା ଦେଇ କହିଛନ୍ତି, ‘ମହିପାଲ୍‌ ସିଂ ଶନିବାର ଅପରାହ୍ଣରେ ଭ୍ୟାକ୍ସିନ୍‌ ନେଇଥିଲେ। ରବିବାର ଦିନ ମୁଣ୍ଡ ବିନ୍ଧିବା ଓ ନିଶ୍ୱାସପ୍ରଶ୍ୱାସ ନେବାରେ ସେ କଷ୍ଟ ଅନୁଭବ କରୁଥିବା କହିଥିଲେ। ଆମେ ତାଙ୍କ ମୃତ୍ୟୁର କାରଣ କ’ଣ, ତାହା ଖୋଜିବା ପାଇଁ ପ୍ରୟାସ କରୁଛୁ। ଭ୍ୟାକ୍ସିନ୍‌ର ରିଆକ୍ସନ ଯୋଗୁ ଏଭଳି ଘଟିଥିବା ଜଣାପଡ଼ୁ ନାହିଁ। ସେ ଶନିବାର ରାତିରେ ନାଇଟ୍‌ ଡ୍ୟୁଟି ମଧ୍ୟ କରିଥିଲେ ଓ ସେପର୍ଯ୍ୟନ୍ତ ତାଙ୍କର କୌଣସି ସମସ୍ୟା ଦେଖା ଦେଇନଥିଲା।

ଉତ୍ତରପ୍ରଦେଶ ସରକାରଙ୍କ ସୂଚନା ଅନୁସାରେ, ‘ମହିପାଲ୍‌ ସିଂଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି। ଏଥିରେ ତାଙ୍କର ମୃତ୍ୟୁ ‘cardio-pulmonary disease’ ଯୋଗୁ ‘cardiogenic shock/septicemic shock ହୋଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ:

ଟିକା ନେବା ପରେ ଦେଖାଦେଲା ସାଇଡ୍ ଇଫେକ୍ଟ !

ଅନ୍ୟପକ୍ଷେ ମହିପାଲ୍‌ଙ୍କ ପୁଅ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ‘ବାପାଙ୍କର ପୂର୍ବରୁ କିଛି ସମସ୍ୟା ଥିଲା। ହେଲେ ଭ୍ୟାକ୍ସିନ୍‌ ନେବା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଥିଲା। ବାପା ଶନିବାର ଦିନ ଭ୍ୟାକ୍ସିନ୍‌ ସେଣ୍ଟରରୁ ପାଖାପାଖି ଅପରାହ୍ଣ ୧ଟା ୩୦ ମିନିଟ୍‌ରେ ବାହାରିକି ଆସିଥିଲେ। ମୁଁ ତାଙ୍କୁ ଘରକୁ ନେଇ ଆସିଥିଲି। ଏହି ସମୟରେ ସେ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ ତାଙ୍କର କାଶ ମଧ୍ୟ ହେଉଥିଲା। ନିମୋନିଆ ଯୋଗୁ ତାଙ୍କର କାଶ, ଥଣ୍ଡା ଥିଲା। ହେଲେ ଘରେ ପହଞ୍ଚିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଯାଇଥିଲା।

ସୂଚନାଥାଉ କି, ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରି ୟୁପି ସରକାର ସୂଚନା ଦେଇଥିଲେ, ଟିକାକରଣ ଦିନ ଅର୍ଥାତ୍‌ ଶନିବାର ରାଜ୍ୟରେ ୨୨,୬୪୩ ଜଣ ଲୋକ କୋଭିଡ୍‌ ଟିକା ନେଇଥିଲେ।

 

You might also like