୧୨୮ କୋଟି ଟଙ୍କାର ବିଦ୍ୟୁତ୍‌ ବିଲ୍‌ ଦେଖିଲା ପରେ….

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଜଣେ ବ୍ୟକ୍ତିଙ୍କ ନିକଟକୁ ଏତେ ଟଙ୍କାର ବିଦ୍ୟୁତ୍‌ ବିଲ୍‌ ଆସିଛି ଯାହା ଜାଣିଲେ ଆପଣ ଖାଲି ଆଶ୍ଚର୍ଯ୍ୟ ହେବେ ନାହିଁ ବରଂ ମୁଣ୍ଡରେ ହାତ ଦେବେ। ପରିବାର କହିଲେ ସ୍ୱାମୀ, ସ୍ତ୍ରୀ ମାତ୍ର ୨ଜଣ ରୁହନ୍ତି। ହେଲେ ବିଲ୍‌ ଆସିଛି ୧୨୮ କୋଟିରୁ ଅଧିକ ଟଙ୍କା। ଏହା କୌଣସି ମିଛ ନୁହେଁ । ଉତ୍ତର ପ୍ରଦେଶ ହାପୁର ଅଞ୍ଚଳର ଚାମୁର ଗାଁର ଜଣେ ବ୍ୟକ୍ତିଙ୍କ ନିକଟକୁ ଏହି ବିଦ୍ୟୁତ୍‌ ବିଲ୍‌ ଆସିଛି।

ପଢ଼ନ୍ତୁ ପୂରା ଘଟଣା….

ଚାମୁର ଗାଁରେ ଶାମିମ୍‌ ତାଙ୍କ ସ୍ତ୍ରୀଙ୍କ ସହ ରୁହନ୍ତି। ହେଲେ ୨ କିଲୋଓ୍ୱାଟ୍‌ କନେକ୍‌ସନ୍‌ ପାଇଁ ସେମାନଙ୍କ ନିକଟକୁ ୧୨୮ କୋଟି ୪୫ ଲକ୍ଷ ୯୫ ହଜାର ୪୪୪ ଟଙ୍କା ବିଦ୍ୟୁତ୍‌ ବିଲ୍‌ ଆସିଛି। ଯାହାକୁ ନେଇ ସେ ଖାଲି ଆଶ୍ଚର୍ଯ୍ୟ ହୋଇ ନାହାନ୍ତି ବରଂ ଏହାକୁ କିଭଳି ସଂଶୋଧନ କରିବେ ତାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି।

ତେବେ ଶାମିମ୍‌ ବିଦ୍ୟୁତ୍ ବିଲ୍ ନଦେଇ ପାରିବାରୁ ବିଦ୍ୟୁତ୍‌ ବିଭାଗ ବିଦ୍ୟୁତ୍‌ ସଂଯୋଗ କାଟି ଦେଇଥିବା ସେ ଅଭିଯୋଗ କରିଛନ୍ତି। ବିଦ୍ୟୁତ୍‌ ବିଲ୍‌କୁ ସଂଶୋଧନ କରିବା ପାଇଁ ସେ ବିଦ୍ୟୁତ୍‌ ବିଭାଗ ସହ ଯୋଗାଯୋଗ କରିଥିଲେ ମଧ୍ୟ କିଛି ଲାଭ ମିଳି ନ ଥିଲା। ଓଲଟା ତାଙ୍କୁ ଏହି ବିଲ୍‌ ଦେବାପାଇଁ କୁହାଯାଇଥିଲା ବୋଲି ଶାମିମ୍‌ ଅଭିଯୋଗ କରିଛନ୍ତି। ଏନେଇ ସେ ତଳୁ ଉପର ଯାଏ ଅଭିଯୋଗ କରିଥିଲେ ବି କେହି ଶୁଣୁନାହାନ୍ତି ବୋଲି ସେ କହିଛନ୍ତି।

ବିଦ୍ୟୁତ୍‌ ବିଭାଗ ପୂରା ସହରର ବିଲ୍‌ ତାଙ୍କ ପାଖକୁ ପଠାଇ ଦେଇଛି ବୋଲି ସେ ଅଭିଯୋଗ କରିଛନ୍ତି।

ସେ ଆହୁରି କହିଛନ୍ତି, ‘ମାସକୁ କେବଳ ୭୦୦ କିମ୍ବା ୮୦୦ ଟଙ୍କାର ବିଲ୍‌ ଆସେ। ଆମେ କେବଳ ଫ୍ୟାନ୍‌ ଓ ଲାଇଟ୍‌ ବ୍ୟବହାର କରୁ। ତେବେ ଏତେ ପରିମାଣର ବିଦ୍ୟୁତ୍‌ ବିଲ୍‌ କେମିତି ଆସିଲା? ଆମେ ବହୁତ ଗରିବ। କେମିତି ଏ ବିଲ୍‌ ପୈଠ କରିବୁ।’

ବୈଷୟିକ ତ୍ରୁଟି ଯୋଗୁ ଏଭଳି ହୋଇଥିବା କୁହାଯାଉଛି।

ସୂଚନାଥାଉ କି, ଚଳିତ ବର୍ଷ ଜାନୁଆରୀ ମାସରେ ଉତ୍ତର ପ୍ରଦେଶର ଜଣେ ବ୍ୟକ୍ତିଙ୍କ ନିକଟକୁ ୨୩ କୋଟି ଟଙ୍କାର ବିଦ୍ୟୁତ୍‌ ବିଲ୍‌ ଆସିଥିଲା।

You might also like