ସାନିଟାଇଜର୍ ଢାଳି ସାମ୍ବାଦିକଙ୍କ ଦେହରେ ନିଆଁ ଲଗାଇଦେଲେ
ଲକ୍ଷ୍ନୌ: ଜଣେ ୩୭ ବର୍ଷୀୟ ସାମ୍ବାଦିକଙ୍କ ଶରୀରରେ ଆଲକ୍ହଲ୍ ମିଶିଥିବା ହ୍ୟାଣ୍ଡ୍ ସାନିଟାଇଜର ଢାଳି ନିଆଁ ଲଗାଇ ଜାଳିଦେଲେ ଦୁର୍ବୃତ୍ତ। ସାମ୍ବାଦିକଙ୍କୁ ହତ୍ୟା କରିବା ଘଟଣାରେ ପୋଲିସ୍ ଗାଁ ମୁଖିଆଙ୍କ ପୁଅଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି। ଗତ ସପ୍ତାହରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏହି ଘଟଣା ଘଟିଥିଲା। ଦୁର୍ବୃତ୍ତମାନେ ସାମ୍ବାଦିକଙ୍କ ଜଣେ ସାଙ୍ଗଙ୍କୁ ମଧ୍ୟ ହତ୍ୟା କରିଛନ୍ତି। ମୃତ ସାମ୍ବାଦିକଙ୍କ ନାଁ ରାକେଶ ସିଂ ନିର୍ଭିକ ଓ ତାଙ୍କ ସାଙ୍ଗଙ୍କ ନାଁ ପିଣ୍ଟୁ ସାହୁ(୩୪)। ଲକ୍ଷ୍ନୌର ଏକ ଖବରକାଗଜର ସାମ୍ବାଦିକ ଥିଲେ ରାକେଶ।
ଗତ ନଭେମ୍ବର ୨୭ରେ, ରାକେଶଙ୍କ କଲ୍ୱାରି ଗାଁରେ ଥିବା ଘରେ ପିଣ୍ଟୁ ଓ ରାକେଶଙ୍କୁ ଜଳି ଯାଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଘଟଣାସ୍ଥଳରେ ପିଣ୍ଟୁଙ୍କ ମୃତ୍ୟୁ ଘଟିଥିବା ବେଳେ ରାକେଶଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯିବାର କିଛି ଘଣ୍ଟା ପରେ ତାଙ୍କର ମୃତ୍ୟୁ ଘଟିଥିଲା।
ମୃତ୍ୟୁ ପୂର୍ବରୁ ହସ୍ପିଟାଲ୍ରେ ରାକେଶ କାନ୍ଦି କାନ୍ଦି ହସ୍ପିଟାଲ୍ର ଅଧିକାରୀଙ୍କୁ କହିଥିଲେ, ଦୁର୍ନୀତି ଅଭିଯୋଗ ଆସିଥିବା ମୁଖିଆ ଓ ତାଙ୍କ ପୁଅଙ୍କ ବିରୋଧରେ ସେ ନିୟମିତ ଭାବେ ଖବର ପ୍ରକାଶିତ କରୁଥିଲେ। ସତ୍ୟକୁ ସାମ୍ନାକୁ ଆଣିବାରୁ ଏମିତି ମୂଲ୍ୟ ଦେବାକୁ ପଡ଼ିଲା।
ତେବେ ଏହି ଘଟଣା ଘଟିବାର ୪ ଦିନ ପରେ ପୋଲିସ୍ ସୂଚନା ଦେଇଥିଲା, ଏହି ଘଟଣାରେ ଗାଁ ମୁଖିଆଙ୍କ ପୁଅ ରିଙ୍କୁ ମିଶ୍ର, ଅକ୍ରମ(ଯାହାଙ୍କ ନାଁରେ ଅନେକ ଅପରାଧିକ ମାମଲା ରହିଛି) ଓ ଅକ୍ରମର ସାଙ୍ଗ ଲଲିତ ମିଶ୍ରାଙ୍କୁ ଗିରଫ କରାଯାଇଛି। ଏମାନେ ସମସ୍ତେ ପିଣ୍ଟୁ ଓ ରାକେଶଙ୍କ ଶରୀରରେ ନିଆଁ ଲଗାଇବା ପୂର୍ବରୁ ଆଲକ୍ହଲ୍ ମିଶିଥିବା ହ୍ୟାଣ୍ଡ୍ ସାନିଟାଇଜର ପକାଇ ଥିଲେ।
ପୋଲିସ୍ ଘଟଣାକୁ ନେଇ ଅଧିକ ଖୋଳତାଡ଼ ଜାରି ରଖିଛି।