ବ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷଣା କଲା ଉତ୍ତରପ୍ରଦେଶ : କରୋନା ପରେ ଭୟ ସୃଷ୍ଟି କରିଛି ନୂଆ ରୋଗ

ଲକ୍ଷ୍ନୌ : ବ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷଣା କଲେ ଉତ୍ତର ପ୍ରଦେଶ ସରକାର । ଦେଶରେ କିଛି ଦିନ ମଧ୍ୟରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ନୂଆ ସମସ୍ୟା ରୂପେ ଉଭା ହୋଇଛି ମ୍ୟୁକରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍ । ଏଥିପାଇଁ ବିଭିନ୍ନ ରାଜ୍ୟରେ ବ୍ଲାକ୍ ଫଙ୍ଗସକୁ ମହମାରୀ ଘୋଷଣା କରାଯାଇଛି । ବ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷଣା କରିଥିବା ଅଷ୍ଟମ ରାଜ୍ୟ ହେଲା ଉତ୍ତରପ୍ରଦେଶ । ଏହାପୂର୍ବରୁ ଗୁଜୁରାଟ, ତେଲେଙ୍ଗାନା, ରାଜସ୍ଥାନ, ଆସାମ, ଓଡିଶା, ପଞ୍ଜାବ ଏବଂ ଚଣ୍ଡିଗଡ଼ ଏହାକୁ ମହାମାରୀ ଘୋଷଣା କରିଛନ୍ତି।

ୟୁପିରେ ଲଗାତାର ବ୍ଲାକ୍ ଫଙ୍ଗସ ସଂକ୍ରମଣ ବଢ଼ୁଥିବା ବେଳେ ରାଜଧାନୀ ଲକ୍ଷ୍ନୌରେ ମଧ୍ୟ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ବ୍ଲାକ୍ ଫଙ୍ଗସରେ ସଂକ୍ରମିତ ହୋଇ ଗୁରୁବାର ୪ ଜଣ ପ୍ରାଣ ହରାଇଛନ୍ତି । ସେପଟେ ଦେଶର ବିଭିନ୍ନ ସ୍ଥାନରେ ମୋଟ ୭୨୫୧ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା ବେଳେ ଏଥିରେ ୨୧୯ ଲୋକ ପ୍ରାଣ ହରାଇ ସାରିଲେଣି । ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଜ୍ୟର ତିନୋଟି ହସ୍ପିଟାଲ ଯଥା, ଲୋକମାନ୍ୟକ, ଜିଟିବି ଓ ରାଜୀବ ଗାନ୍ଧୀ ହସ୍ପିଟାଲରେ ବ୍ଲାକ୍ ଫଙ୍ଗସ୍ ପାଇଁ ସମର୍ପିତ କେନ୍ଦ୍ର ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଦେଶର ଅନେକ ରାଜ୍ୟ ଏବେ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ପାଇଁ ସତର୍କ ଅଛନ୍ତି ।

ସୂଚନାଯୋଗ୍ୟ ବ୍ଲାକ୍ ପଙ୍ଗସକୁ ମହାମାରୀ ଘୋଷଣା କରିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ କହିଛନ୍ତି, କେନ୍ଦ୍ର ସରକାର । ଦିନକୁ ଦିନ ଦେଶରେ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ତେଣୁ ଏବେ ବେଳ ଥାଉ ଥାଉ ସମସ୍ତେ ସଜାଗ ହୋଇ ଏହି ଭୂତାଣୁ ସହ ଲଢେଇ କରିବା ପାଇଁ କେନ୍ଦ୍ର ପରାମର୍ଶ ଦେଇଥିଲେ । ବିଭିନ୍ନ ରାଜ୍ୟରେ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ଶରୀରରେ “ବ୍ଲାକ୍ ଫଙ୍ଗସ୍” ଦେଖା ଦେଉଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି। ମହାମାରୀ ବୋଲି ଘୋଷଣା କରାଯିବ ପରେ “ବ୍ଲାକ୍ ଫଙ୍ଗସ୍”ରେ ଆକ୍ରାନ୍ତ ହେଉଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ରାଜ୍ୟ ସରକାରମାନେ ଜଣାଇବେ।

You might also like