ୟୁପିରେ ବି ବିଜେପି ସାଙ୍ଗରେ ଟକ୍କର ଦେବ ଶିବସେନା

ଦେଶର ରାଜନୀତିରେ ନିଜର ଦବଦବା ଜାହିର କରିବାକୁ ଚେଷ୍ଟା କରୁଛି ଶିବସେନା

ଉତ୍ତରପ୍ରଦେଶ: ଦେଶର ରାଜନୀତିରେ ନିଜର ଦବଦବା ଜାହିର କରିବାକୁ ଚେଷ୍ଟା କରୁଛି ଶିବସେନା। ମହାରାଷ୍ଟ୍ରରେ ମେଣ୍ଟ ସରକାର କରିବା ପରେ ଧୀରେ ଧୀରେ ଅନ୍ୟ ରାଜ୍ୟ ଦଖଲ କରିବା ଚିନ୍ତାରେ ଶିବସେନା। ମିଳିଥିବା ସୂଚନା ଅନୁସାରେ, ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ଅଣ୍ଟା ଭିଡିଛି ଶିବସେନା।

ତେବେ ୟୁପି ପଞ୍ଚାୟତ ନିର୍ବାଚନରେ ଶିବସେନା ଲଢେଇ ମଇଦାନକୁ ଓହ୍ଲାଇବ ବୋଲି ଘୋଷଣା କରିସାରିଛି। ଏହାପୂର୍ବରୁ ଆମ ଆଦମୀ ପାର୍ଟି ମଧ୍ୟ ପଂଚାୟତ ନିର୍ବାଚନରେ ଲଢେଇ କରିବ ବୋଲି ସୂଚନା ଦେଇଥିଲା।

ଏହାରି ମଧ୍ୟରେ, ଶିବସେନା ରାଜ୍ୟ ସଚିବ ବିଶ୍ୱଜିତ ସିଂ କହିଛନ୍ତି ଯେ, ଶିବସେନା ରାଜ୍ୟ ମୁଖ୍ୟ ଅନିଲ ସିଂ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଛନ୍ତି। ଏହାସହ ଦଳ ପକ୍ଷରୁ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା ଭିତ୍ତିକ ସମୀକ୍ଷା କରାଯାଉଛି। ଶିବସେନା ରାଜ୍ୟ ସଚିବ ବିଶ୍ୱଜିତ ସିଂ କହିଛନ୍ତି ଯେ ଆସନ୍ତା ସପ୍ତାହରେ ଶିବସେନା ପ୍ରତିନିଧି ଦଳ ମହାରାଷ୍ଟ୍ରରେ ସଂଗଠନର ବରିଷ୍ଠ ନେତାମାନଙ୍କୁ ଭେଟି ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେବେ। ଶିବସେନା ପୂର୍ବରୁ ଆମ୍ ଆଦମୀ ପାର୍ଟି ମଧ୍ୟ ପଞ୍ଚାୟତ ନିର୍ବାଚନରେ ​​ସମସ୍ତ ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଥିଲା।

କେବଳ ଏତିକି ନୁହେଁ, ଦଳର ଜାତୀୟ ମୁଖପାତ୍ର ସଞ୍ଜୟ କହିଛନ୍ତି, ଦଳର ରାଜ୍ୟ କାର୍ଯ୍ୟନିର୍ବାହୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଯଦିଓ ରାଜ୍ୟରେ ପଞ୍ଚାୟତ ନିର୍ବାଚନର ତାରିଖ ଘୋଷଣା କରାଯାଇ ନାହିଁ, କିନ୍ତୁ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମାର୍ଚ୍ଚ-ଏପ୍ରିଲ ସୁଦ୍ଧା ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଜାତୀୟ ରାଜନୀତିରେ ଏହାକୁ ନେଇ ବେଶ ଚର୍ଚ୍ଚା ଜୋର ଧରିଛି।

You might also like