ବିଡ଼ା ବିଡ଼ା ଚକଚକିଆ ନୋଟ୍ ଦେଖି ଚୋରକୁ ହେଲା ହୃଦଘାତ . . ଆଉ ତା’ପରେ

ବିଜନୋର : ଆଖି ଆଗରେ ଥିଲା ପୁଳା ପୁଳା ଟଙ୍କା । ଏତେ ଟଙ୍କା କେବେ ଦେଖିନଥିବା ବେଳେ ଖୁସିରେ ଆତ୍ମହରା ହୋଇ ହୃଦଘାତର ଶିକାର ହେଲା ଚୋର । ଦେଢ଼ ମାସ ପୂର୍ବରୁ ଜନସେବା କେନ୍ଦ୍ରରୁ ହୋଇଥିବା ୧୩ ଲକ୍ଷ ଚୋରି ଘଟଣାର ଖୁଲାସା କରି ଏପରି ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛି ବିଜନୋର ପୋଲିସ । ଅନେକ ପରିଶ୍ରମ ପରେ ଚୋରି ହୋଇଥିବା ଟଙ୍କା, ବାଇକ୍ ସହ ଦୁଇ ଦୁର୍ବୃତ୍ତଙ୍କୁ ଧରିଛି ପୋଲିସ୍ । ପୋଲିସର ସୂଚନା ଅନୁସାରେ, ଜନସେବା କେନ୍ଦ୍ରକୁ ଚୋରି କରିବାକୁ ଯାଇଥିବା ବେଳେ ମାତ୍ର ୪୦-୫୦ ହଜାର ଟଙ୍କା ହାତରେ ଲାଗିବ ବୋଲି ଚିନ୍ତା କରିଥିଲେ ଦୁଇ ଚୋର । କିନ୍ତୁ ଚୋରି କରିଥିବା ବ୍ୟାଗରେ ୧୩ ଲକ୍ଷ ଟଙ୍କା ଥିବା ଦେଖି ସେମାନଙ୍କ ଆଖି ଖୋସି ହୋଇଯାଇଥିଲା। ଏତେ ଖୁସି ହୋଇ ଯାଇଥିଲେ ଯେ ଉଭୟଙ୍କ ମଧ୍ୟରୁ ଜଣେ ଚୋର ଏଜାଜକୁ ହୃଦଘାତ ହୋଇଥିଲା। ତେବେ ଚୋରି କରିଥିବା ଟଙ୍କାରେ ହିଁ ତା’ର ଚିକିତ୍ସା କରାଯାଇଥିଲା ।

କୋଟୱାଲି ଦେହାତ ଥାନାର ପିତନହେଡି ଗାଁର ଉରଜ ଫେ‍ବୃଆରୀରେ ଥାନାରେ ଏଫଆଇଆର ଦେଇଥିଲେ। ଚୋରମାନେ କୋଟୱାଲି ଗାଁର ଏକ ଜନସେବା କେନ୍ଦ୍ରରୁ ନଗଦ ଟଙ୍କା, ପର୍ସ, ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଚୋରି କରିଥିବା ଅଭିଯୋଗ କରିଥିଲେ। ତେବେ ତୁରନ୍ତ ଘଟଣାର ଛାନଭିନ୍ କରିଥିଲେ ସୁଦ୍ଧା ପୋଲିସ ଚୋରର ପତ୍ତା ପାଇନଥିଲେ । ଚୋରିକୁ ଅନେକ ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଥିଲା । ତେବେ ଗତ ବୁଧବାର ଖବର ପାଇଁ ଦୁଇ ଚୋର ନୌସାଦ ଓ ଏଜାଜଙ୍କୁ  ନଗିନା ମାର୍ଗର ଜାମଜାମ ଢ଼ାବାରୁ କାର୍, ଦୁଇଟି ବାଇକ୍,ନଗଦ ୩ ଲକ୍ଷ ୭୦ ହଜାର ଟଙ୍କା ସହ ଗିରଫ କରିଛି ପୋଲିସ୍।

ତେବେ ପୋଲିସ୍ ସୂଚନା ଅନୁସାରେ ଯୋଜନାବଦ୍ଧ ଭାବେ ବିବାହରେ ବାଜୁଥିବା ବ୍ୟାଣ୍ଡ ଏବଂ ଡିଜେର ଫାଇଦା ଉଠାଡ଼ ଜନସେବା କେନ୍ଦ୍ରରେ ମାସ୍କ ଲଗାଇ ପଶିଥିଲେ ଚୋର । ଆଉ ସେଠାରୁ  ୧୩ ଲକ୍ଷ ଟଙ୍କା ସହ ଆଧାର କାର୍ଡ ଓ  DL ଚୋରି କରି ନେଇଥିଲେ। ଧରାପଡ଼ିବା ଭୟରେ ଟଙ୍କା ନେଇ ବ୍ୟାଗ ଏବଂ ପର୍ସକୁ ଗଙ୍ଗା ବ୍ୟାରେଜରେ ଫିଙ୍ଗି ଦେଇଥିଲେ। ଅନ୍ୟପଟେ ଚାରି ଟଙ୍କାକୁ ଏକ ବନ୍ଦ ପଡ଼ିଥିବା ଘରେ ଭାଗ ବଣ୍ଟା କରିବା ପରେ ଫେରାର ହୋଇଯାଇଥିଲେ ।

ଉଭୟ ପେଶାଦାର ଚୋର ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି । ଦୁଇ ମାସ ପୂର୍ବେ ଫୁଲସାନ୍ଦା ବ୍ୟାଙ୍କରୁ ଡକାୟତିରେ କରିଥିଲେ ଉଭୟ ଚୋର । ଉଭୟଙ୍କ ଅପରାଧର ଫର୍ଦ୍ଦ ଖୋଲିବା ପାଇଁ ପୋଲିସ ଛାନଭିନ୍ କରିଥିଲା । ତେବେ ଧରାପଡ଼ିବା ପରେ ଉଭୟେ କହିଛନ୍ତି, ଚୋରିର ଅବଶିଷ୍ଟ ଅର୍ଥ ସେମାନେ ଖର୍ଚ୍ଚ କରିସାରିଛନ୍ତି। ଚୋର ନୌସାଦ ବିରୋଧରେ ପୂର୍ବରୁ ୧୨ ଟି ମାମଲା ଥିବାବେଳେ ଏଜାଜ ବିରୋଧରେ ଅଛି ତିନୋଟି ମାମଲା । ସେହିପରି ଏସପି ଚୋର ଧରିଥିବା ସ୍ୱତନ୍ତ୍ର ଦଳକୁ ଖୁସି ହୋଇ ପାଞ୍ଚ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି ।

 

ପଢନ୍ତୁ :ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଛି ନିଆଁ

You might also like