ଜୁନ୍‌ ୫ ରୁ ୧୦ମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଆରମ୍ଭ: ସୋସିଆଲ ମିଡ଼ିଆରେ ଗୁଜବ ହେଲା ପ୍ରଚାର

ପରୀକ୍ଷା ହେବା ନେଇ ନିଆଯାଇନାହିଁ ନିଷ୍ପତ୍ତି

ଲକ୍ଷ୍ନୌ: କରୋନା ପାଇଁ ସିବିଏସଇ ସମେତ ଅନେକ ରାଜ୍ୟ ନିଜ ନିଜ ବୋର୍ଡ଼ ପରୀକ୍ଷା ସହ ଦ୍ୱାଦଶ ଶ୍ରେଣୀର ପରୀକ୍ଷାକୁ ମଧ୍ୟ ରଖିଛନ୍ତି। ଅନେକ ରାଜ୍ୟ ଦଶମ ଶ୍ରେଣୀର ପରୀକ୍ଷା ବାତିଲ ମଧ୍ୟ କରିଛନ୍ତି। ଆଉ ଏହାରି ମଧ୍ୟରେ ସୋସିଆଲ ମିଡ଼ିଆରେ ଏକ ଖବର ଭାଇରାଲ ହେଉଛି ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଚିନ୍ତାରେ ଓ ଦ୍ୱନ୍ଦ୍ୱରେ ମଧ୍ୟ ଅଛନ୍ତି। ଉତ୍ତରପ୍ରଦେଶ ମାଧ୍ୟମିକ ଶିକ୍ଷା ପରିଷଦ (UPMSP) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ହେବାର ଏକ କାର୍ଯ୍ୟସୂଚୀ ବାହାରିଛି ଯାହାକୁ ନେଇ ଚିନ୍ତା ବଢିଛି। କୁହାଯାଉଛି, ଜୁନ୍‌ ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ତେଣୁ ପିଲାମାନେ ପ୍ରସ୍ତୁତ ରହିବାକୁ ମଧ୍ୟ ଏକ ନୋଟିସ୍‌ ଜାରି କରାଯାଇଛି। ତେବେ ଏହି ଖବର ସଂପୂର୍ଣ୍ଣ ଗୁଜବ ବୋଲି ୟୁପି ବୋର୍ଡ଼ ପକ୍ଷରୁ କୁହାଯାଇଛି।

ଭାଇରାଲ ହେଉଥିବା ଗୁଜବ ଅନୁସାରେ, ୫ ଜୁନ୍‌ରୁ ପରକ୍ଷା ଆରମ୍ଭ ହୋଇ ୨୫ ଜୁନ୍‌ରେ ଶେଷ ହେବ ଏହି ପରୀକ୍ଷା। ସକାଳ ୮ଟା ରୁ ଆରମ୍ଭ କରି ପୂର୍ବାହ୍ଣ ୧୧.୧୫ରେ ସରିବ ବୋଲି ନୋଟିସ୍‌ରେ ସୂଚନା ଦିଆଯାଇଛି। ଏହି ଖବର ଜଣାପଡ଼ିବା ପରେ ପିଲାମାନେ ଚିନ୍ତାରେ ଅଛନ୍ତି। କାରଣ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ପରୀକ୍ଷାର ୧୫ ଦିନ କିମ୍ବା ତାହାଠୁ ପୂର୍ବରୁ ପରୀକ୍ଷା ନେଇ  ପିଲାମାନଙ୍କୁ ସମସ୍ତ ସୂଚନା ଦିଆଯିବ। ତେଣୁ ଏହି ଭାଇରାଲ ଖବର ପିଲାଙ୍କ ପାଖରେ ପହଂଚିବା ପରେ ସେମାନଙ୍କ ମନରେ ଅସନ୍ତୋଷ ମଧ୍ୟ ଦେଖାଦେଇଥିଲା। କିନ୍ତୁ ପରୀକ୍ଷାର୍ଥୀଙ୍କୁ ଏ ଖବର ଉପରେ ବିଶ୍ୱାସ ନକରିବା ଲାଗି ବୋର୍ଡ ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ ଗତ ମାସରେ କରୋନା ସ୍ଥିତିକୁ ନଜରରେ ରଖି ବୋର୍ଡ଼ ପରୀକ୍ଷାକୁ ସ୍ଥଗିତ  ରଖିଲେ ସ୍ଥାନୀୟ ସରକାର।

ପୂର୍ବରୁ ଦଶମ ଓ ଦ୍ୱାଦଶ ବୋର୍ଡ ପାଇଁ ମେ ୮ ରୁ ୨୫ ତାରିଖ ପର୍ଯ୍ୟନ୍ତ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ କରୋନା ମହାମାରୀ ଦେଶରେ ଅଧିକ ସଂକ୍ରମଣାତ୍ମକ ହେବାରୁ ସରକାର ବାଧ୍ୟ ହୋଇ ପରୀକ୍ଷାକୁ ସ୍ଥଗିତ କରିବାର ନିଷ୍ପତ୍ତି ନେଇଥିଲେ। କରୋନା ମହାମାରୀର ଚେନ୍ ଭାଙ୍ଗିବାକୁ ରାଜ୍ୟରେ ୨୪ ତାରିଖ ପର୍ଯ୍ୟନ୍ତ କରୋନା କଟକଣା ରହିଛି। ତେବେ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି କରିବା ଲାଗି ଏହି ଭାଇରାଲ ଖବର ସଂପୂର୍ଣ୍ଣ ମିଛ, ଏବଂ ଏହାକୁ ନେଇ କେହି ବି ଚିନ୍ତା କରନ୍ତୁ ନାହିଁ ବୋଲି ବୋର୍ଡ଼ କହିବା ସହ କେବଳ ବୋର୍ଡ ୱେବ୍‌ସାଇଟ୍‌ରେ ଦିଆଯାଉଥିବା ତଥ୍ୟକୁ ବିଶ୍ୱାସ କରିବା ସହ କୌଣସି ଦ୍ୱନ୍ଦ୍ୱ ହେଲେ ଫୋନ୍‌ କରି ସୂଚନା ନେଇପାରିବେ ବୋଲି ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଦେଇଛି ୟୁପି ବୋର୍ଡ଼। ତେବେ କିଏ ଏପରି ସମ୍ବେଦନଶୀଳ ପ୍ରସଙ୍ଗକୁ ଭାଇରାଲ କରିଛି ସେନେଇ କୌଣସି ସୂଚନା ମିଳିନାହିଁ।

You might also like