୪ ବର୍ଷ ତଳେ ଜନ୍ମିଥିଲେ, ଏବେ ବୟସ ୧୦୪ !

ବରେଲି: ଉତ୍ତରପ୍ରଦେଶ ଶାହଜହାଁପୁର ବେଲା ଗ୍ରାମର ପବନ କୁମାର ତାଙ୍କର ଦୁଇ ଭଣଜା ଶୁଭ (୪ବର୍ଷ) ଓ ସଙ୍କେତ (୨ବର୍ଷ)ଙ୍କର ଜନ୍ମପ୍ରମାଣ ପତ୍ର ପ୍ରସ୍ତୁତ କରିବା ପାଇଁ ଅନ୍‌ଲାଇନ୍‌ରେ ଆବଦନ କରିଥିଲେ। ହେଲେ ଜନ୍ମପ୍ରମାଣ ପତ୍ର ଯେତେବେଳେ ଆସିଲା, ତାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ଏଥିରେ ପିଲା ଦୁହିଁଙ୍କର ବୟସ ୧୦୦ ବର୍ଷ ଅଧିକ ବୋଲି ଲେଖା ଯାଇଥିଲା। ଅବଶ୍ୟ ଏ ନେଇ ବରେଲିର ଏକ ଅଦାଲତରେ ମାମଲା ରୁଜୁ ହୋଇଛି।

ହେଲେ ଏଠାରେ ପ୍ରଶ୍ନ ଉଠେ, ଜନ୍ମ ସାର୍ଟିଫିକେଟରେ ଏପରି ତ୍ରୁଟି କିପରି ହେଲା ? ଉତ୍ତର ଶୁଣିଲେ ଆପଣ ଆହୁରି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ସାର୍ଟିଫିକେଟ ପ୍ରସ୍ତୁତ ପାଇଁ ଏଇ ପିଲାମାନଙ୍କ ପରିବାର ଲୋକେ କୁଆଡେ ଲାଞ୍ଚ ଦେଇ ନ ଥିଲେ।

ଅଭିଯୋଗ ହୋଇଛି, ଜନ୍ମପ୍ରମାଣ ପତ୍ର ତିଆରି କରିବା ପାଇଁ ଗ୍ରାମ ବିକାଶ ଅଧିକାରୀ (ବିଡିଓ) ଓ ଗ୍ରାମ ପ୍ରଧାନ ପରିବାର ଲୋକଙ୍କୁ ୫୦୦ ଟଙ୍କା ଲେଖାଏ ଲାଞ୍ଚ ମାଗିଥିଲେ। ହେଲେ ପବନ ଟଙ୍କା ଦେବାକୁ ମନା କରି ଦେଇଥିଲେ। ଏଥିରେ କ୍ଷୁବ୍ଧ ହୋଇଥିଲେ ଉଭୟ ବିଡିଓ ଓ ଗ୍ରାମ ପ୍ରଧାନ। ପରେ ଅବଶ୍ୟ ଦୁହେଁ ମିଶି ଜନ୍ମପ୍ରମାଣ ପତ୍ର ତିଆରି କଲେ। ହେଲେ ଶୁଭର ଜନ୍ମତିଥି ୧୩ ଜୁନ୍‌ ୨୦୧୬ ପରିବର୍ତ୍ତେ ୧୩ ଜୁନ୍‌୧୯୧୬ ଲେଖିଦେଲେ। ସେହିପରି ସଙ୍କେତର ଜନ୍ମତିଥି ୬ ଜାନୁଆରୀ ୨୦୧୮ ପରିବର୍ତ୍ତେ ୬ ଜାନୁଆରୀ ୧୯୧୮ ଲେଖିଦେଲେ।

ଏ ନେଇ ପବନ କୁମାର ଜିଲ୍ଲା ପ୍ରଶାସନ ନିକଟରେ ଅନେକ ଥର ଅଭିଯୋଗ କଲେଣି। କିନ୍ତୁ କେହି ତାଙ୍କ ଗୁହାରୀ ଶୁଣୁ ନାହାନ୍ତି। ଶେଷରେ ସେ ବରେଲିର ବିଶେଷ ଅଦାଲତରେ ଆବେଦନ କରିଛନ୍ତି। ଅଦାଲତ ଜାନୁଆରୀ ୧୭ ତାରିଖ ଏହି ମାମଲାର ଶୁଣାଣି କରି ଶାହଜାହଁପୁରର ଖୁଟାର ଥାନା ପୁଲିସକୁ ଅଭିଯୁକ୍ତ ବିଡିଓ ଓ ଗ୍ରାମପ୍ରଧାନଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି।

You might also like