• translate
Prangyan Parimita

ନୋଏଡା : ଧର୍ମ ପରିବର୍ତ୍ତନ ର‌୍ୟାକେଟର ପର୍ଦ୍ଦାଫାଶ । ଉତ୍ତରପ୍ରଦେଶ ନୋଏଡାରେ ଧର୍ମପରିବର୍ତ୍ତନ କରାଉଥିବା ର‌୍ୟାକେଟର ପର୍ଦ୍ଦାଫାଶ କରିଛି ପୋଲିସ୍ । ଏହି ମାମଲାରେ ଦୁଇ ଜଣ ମୌଲାନାଙ୍କୁ ଗିରଫ କରିଛି ୟୁପି ଏଟିଏସ୍ । ଦୁଇ ବର୍ଷ ଧରି ଏହି ର‌୍ୟାକେଟ୍ ଚାଲିଥିଲା । ମୂକ, ବଧୀର ପିଲା ଓ ମହିଳାଙ୍କୁ ଟାର୍ଗେଟ କରି ଲୋକଙ୍କୁ ଧର୍ମ ପରିବର୍ତ୍ତନ କରାଯାଉଥିଲା । ତେବେ ଏହି ର‌୍ୟାକେଟକୁ ବିଦେଶୀ ପାଣ୍ଠି ମିଳୁଥିବା ପ୍ରମାଣ ପାଇଛି ପୋଲିସ୍ । ଏବେ ସୁଦ୍ଧା କେବଳ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ୍ । କିନ୍ତୁ ଏଥିରେ ୧୦୦ରୁ ଅଧିକ ଲୋକ ସାମିଲ ଥିବା ସନ୍ଦେହ କରାଯାଉଛି ।

ଗତ ଏକ ବର୍ଷ ମଧ୍ୟରେ ୩୫୦ ଲୋକଙ୍କ ଧର୍ମ ପରିବର୍ତ୍ତନ କରାଯାଇଛି । ନୋଏଡାର ଏକ ମୂକ, ବଧୀର ବିଦ୍ୟାଳୟର ୧୮ ପିଲାଙ୍କର ମଧ୍ୟ ଧର୍ମ ପରିବର୍ତ୍ତନ କରାଇଛି ଏହି ର‌୍ୟାକେଟ୍ । ର‌୍ୟାକେଟରେ କାମ କରୁଥିବା ଲୋକଙ୍କ ପ୍ରରୋଚନାରେ ଏପର୍ଯ୍ୟନ୍ତ ଏକ ହଜାରରୁ ଅଧିକ ଲୋକ ଧର୍ମ ପରିବର୍ତ୍ତନ କରିସାରିଛନ୍ତି । ବିଗତ ଦୁଇ ବର୍ଷ ହେଲା ଉତ୍ତରପ୍ରଦେଶରେ ଏହି ର‌୍ୟାକେଟ୍ ସକ୍ରିୟ ରହିଛି । ତେବେ ଏହି ର‌୍ୟାକେଟ୍ ପଛରେ ବଦେଶୀ ଫଣ୍ଡିଂର‌୍ ହାତ ଥିବା କହିଛନ୍ତି ୟୁପି ଏଡଜି ପ୍ରଶାନ୍ତ କୁମାର ।  ଲୋକଙ୍କୁ ଧମକଚମକ ଓ ଲୋଭ ଦେଖାଇ ମଧ୍ୟ ଏହି ର‌୍ୟାକେଟ ଧର୍ମ ପରିବର୍ତ୍ତନ କରାଇଥିବା ସେ କହିଛନ୍ତି ।

ଗିରଫ ଉଭୟ ଅଭିଯୁକ୍ତ ମହମ୍ମଦ ଉମର ଗୌତମ ଏବଂ ମୁଫତି କାଜୀ ଜାହାଙ୍ଗୀର କାସମି ଦିଲ୍ଲୀର ଜାମିଆ ନଗର ଅଞ୍ଚଳର ବାସିନ୍ଦା । ଦୁଇ ଅଭିଯୁକ୍ତ କେବଳ ୟୁପିରେ ନୁହେଁ,ସମଗ୍ର ଦେଶରେ ଧର୍ମ ପରିବର୍ତ୍ତନ ର‌୍ୟାକେଟ୍ ଚଳାଇଥିବା ଅଭିଯୋଗ ହୋଇଛି । ଏହି ପରିପ୍ରେକ୍ଷୀରେ ୟୁପି ଏଟିଏସ୍ ଗୋମତି ନାଗର ପୋଲିସ ଷ୍ଟେସନରେ ଏଫ୍ଆଇଆର୍ ରୁଜୁ କରିଛି, ଯେଉଁଥିରେ ଜାମିଆ ନଗର ସ୍ଥିତ ଆଇଡିସି ଇସଲାମିକ ଦାବା ସେଣ୍ଟରର ଚେୟାରମ୍ୟାନଙ୍କ ନାମ ମଧ୍ୟ ସାମିଲ ରହିଛି । ୟୁପି ଏଟିଏସ୍ ଦୁଇ ମୌଲାନାଙ୍କୁ ଚାରି ଦିନ ଧରି ପଚରାଉଚରା କରୁଛି । ମହମ୍ମଦ ଉମର ଗୌତମ ମଧ୍ୟ ହିନ୍ଦୁରୁ ମୁସଲମାନ ହୋଇଥିବା ତଦନ୍ତରୁ ଜଣାପଡ଼ିଛି ।

Other Stories