• translate
Minati Mishra

ଶ୍ରୀନଗର: ଧାରା ୩୭୦ ଉଚ୍ଛେଦ ହେବା ପରେ ବିକାଶ ଦିଗରେ ଆଗେଇ ଚାଲିଛି ଜାମ୍ମୁ ଓ କାଶ୍ମୀର । ଦିନେ ଆତଙ୍କବାଦୀଙ୍କ ଗଡ଼ ଥିଲା ହଣ୍ଡଓ୍ୱାରା। ହେଲେ ଆଜି ସେଠି ସ୍ଥିତି ବଦଳିଛି । ଯୁବ ପିଢ଼ିଙ୍କ ନିକଟତର ହେବା ପାଇଁ ଉଦ୍ୟମ ଜାରି କରିଛି ସେନା। ବିଭିନ୍ନ ଉନ୍ନୟନମୂଳକ କାମ ସହ ଏଠାରେ ସେନା ପକ୍ଷରୁ ୟୁନିଟ୍ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ କରାଯାଇଛି। ଏଥିରେ ଆଖପାଖର ୨୪ଟି ଟିମ୍ ଅଂଶଗ୍ରହଣ କରିଥିଲେ। ଏହା ଫଳରେ ସେନା ପ୍ରତି ଲୋକଙ୍କ ମନରେ ସକରାତ୍ମକ ଭାବ ତ ଜାତ ହେବ, ତା ସହିତ କ୍ରିକେଟ ମାଧ୍ୟମରେ ନୂଆ ପ୍ରତିଭା ବି ସୃଷ୍ଟି ହୋଇପାରିବେ ।

ଏକଦା ଆତଙ୍କବାଦୀଙ୍କ ଗଡ଼ ଥିଲା ଉତ୍ତର କାଶ୍ମୀରର ହଣ୍ଡୱାରା ଅଞ୍ଚଳ । ଏବେ ଧୀରେ ଧୀରେ ସ୍ଥିତି ସୁଧୁରୁଛି । ହିଂସା ସୃଷ୍ଟି ପାଇଁ ଆତଙ୍କବାଦୀମାନେ ବହୁ ସଂଖ୍ୟାରେ ଏହି ଅଂଚଳକୁ ଅନୁପ୍ରବେଶ କରିଥାନ୍ତି। ବିଶେଷକରି ଯୁବପିଢିକୁ ବିଭ୍ରାନ୍ତ କରି ସେମାନଙ୍କୁ ଗୋଷ୍ଠୀରେ ମିଶାଇବାକୁ ଚେଷ୍ଟା କରିଥାନ୍ତି ।

କିନ୍ତୁ ସେମାନଙ୍କ ଏପରି ଯୋଜନାକୁ ଭଣ୍ଡୁର କରିବାକୁ ସେନା ପକ୍ଷରୁ ସେଠାରେ ୟୁନିଟ୍ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି । ଏଥିରେ ୨୪ଟି ଟିମ୍ ଯୋଗ ଦେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟକୁ ଅନେକ ଦର୍ଶକ ଉପଭୋଗ କରିଥିଲେ । ମହିଳା ଦର୍ଶକମାନଙ୍କ ସଂଖ୍ୟା ବି କିଛି କମ୍ ନଥିଲା। ସ୍ଥାନୀୟ ସରପଞ୍ଚ ମଧ୍ୟ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

ବିପୁଳ ସଂଖ୍ୟାରେ ଲୋକଙ୍କ ଯୋଗଦାନ ଦ୍ୱାରା ଆତଙ୍କବାଦୀମାନଙ୍କ ଠାରୁ ସେମାନେ ମୁହଁ ଫେରାଉଥିବା ସୂଚନା ମିଳିଛି । ସେମାନେ ହିଂସା ନୁହେଁ,  ଶାନ୍ତି ଚାହୁଁଥିବା ସ୍ପଷ୍ଟ ହୋଇଛି । ଉପତ୍ୟକାରେ ଶାନ୍ତି ପାଇଁ ସେନା ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଦିଆ ଯାଉଛି। ସେମାନଙ୍କ ପ୍ରତିଭା ଯେପରି ବିକଶିତ ହେବ ଏଥିପାଇଁ ଆଗାମୀ ଦିନରେ ଅଧିକ ସଂଖ୍ୟାରେ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆ ଯାଉଛି ।

ପୂର୍ବରୁ ବାରମ୍ବାର ହିଂସା ଯୋଗୁଁ ଯୁବପିଢି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ବଞ୍ଚିତ ହେଉଥିଲେ। କିନ୍ତୁ ସେନାର ଏହି ପ୍ରୟାସ ପରେ ଆଗାମୀ ଦିନରେ ସେମାନେ ରାଜ୍ୟ ଓ ଦେଶ ପାଇଁ ପ୍ରତିନିଧିତ୍ୱ କରିପାରିବେ ବୋଲି ଲକ୍ଷ୍ୟ ରଖିଛନ୍ତି ।

Other Stories