ନିର୍ଭୟା ଦୋଷୀଙ୍କ ମୃତ୍ୟୁ ଦଣ୍ଡ ପରେ ଜାତିସଂଘ କହିଲା ଫାଶି ବନ୍ଦ କର
ଜେନେଭା: ଫାଶି ଦଣ୍ଡକୁ ବନ୍ଦ କରିବା ପାଇଁ ଜାତିସଂଘ ସାରା ବିଶ୍ୱକୁ ଆହ୍ୱାନ ଦେଇଛନ୍ତି। ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟଣାର ୪ ଦୋଷୀଙ୍କୁ ପାଶୀ ଦିଆଯିବା ପରେ ଜାତିସଂଘ ଏପରି ମତ ରଖିଛି। ଏକବିଂଶ ଶତାବ୍ଦୀରେ ଫାଶୀର କୌଣସି ସ୍ଥାନ ନାହିଁ ବୋଲି ଜାତିସଂଘ କହିଛି।
ଜାତିସଂଘ ମହାସଚିବ ଆଣ୍ଟୋନିଓ ଗଟ୍ରେସ୍ଙ୍କ ମୁଖପାତ୍ର ଷ୍ଟେଫାନ୍ ଡୁଜାରିକ୍ କହିଛନ୍ତି, ଆମେ ଫାଶିକୁ ନେଇ ସ୍ପଷ୍ଟ ମତ ରଖି ଆସିଛୁ ଯେ ସମସ୍ତ ଦେଶ ଫାଶୀ ଦଣ୍ଡ ବନ୍ଦ କରନ୍ତୁ ଅଥବା ଏହାକୁ ସ୍ଥଗିତ ରଖନ୍ତୁ।
ଅନ୍ୟପକ୍ଷରେ ନିଜେ ଆଣ୍ଟୋନିଓ କହିଛନ୍ତି, ଏକବିଂଶ ଶତାବ୍ଦୀରେ ଫାଶୀ ଦଣ୍ଡର କୌଣସି ସ୍ଥାନ ନାହିଁ। ଫାଶୀ ଦଣ୍ଡ ବିରୋଧରେ ସେ ଲଗାତାର ମତ ରଖି ଆସୁଛନ୍ତି। ଏପରିକି ଜାତିସଂଘର ଆହ୍ୱାନରେ ୧୪୦ଟି ଦେଶ ଫାଶୀ ଦଣ୍ଡ ବିଲୋପ କରିସାରିଛନ୍ତି। ପୂର୍ବରୁ ଜାତିସଂଘ ଅନେକ ଥର ଫାଶୀଦଣ୍ଡ ବିରୋଧରେ ସଂକଳ୍ପ ଆଗତ କରିଆସିଛି।
ଗତ ୨୦୧୯ ମସିହା ଜୁନ୍ ମାସରେ ଭାରତ ଏଭଳି ଏକ ସକଳ୍ପ ବିରୋଧରେ ଭୋଟ୍ ଦେଇଥିଲା। ଭାରତ ପକ୍ଷରୁ କୁହାଯାଇଥିଲା, ବିରଳରୁ ଅତି ବିରଳ ମାମଲାରେ ହିଁ ଫାଶୀ ଦିଆଯାଏ।
ସୂଚନାଯୋଗ୍ୟ ଯେ ୨୦୧୨ରେ ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଚଳନ୍ତା ବସରେ ଅତି କୁତ୍ସିତ ଭାବେ ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା। ଏହାପରେ ୭ ବର୍ଷ ଧରି ମାମଲା ଚାଲିଥିଲା। ଗତ ଶୁକ୍ରବାର ପ୍ରଥମ ଥର ପାଇଁ ତିହାର ଜେଲରେ ଏକାଥରେ ୪ ଜଣଙ୍କୁ ଫାଶୀ ଦିଆଯାଇଛି।
ସାରା ବିଶ୍ୱରେ ‘ଫାଶୀ ଦଣ୍ଡ’ର ବିଲୋପ ପାଇଁ ଜାତିସଂଘ ଆହ୍ୱାନ ଦେଇଛନ୍ତି। ସମସ୍ତ ଦେଶକୁ ଆହ୍ୱାନ କରି ଜାତିସଂଘ ପକ୍ଷରୁ କୁହାଯାଇଛି ଏହାକୁ ବନ୍ଦ କରିବା ଦରକାର ନଚେତ ସ୍ଥଗି ରଖିବା ଦରକାର। ୨୦ ମାର୍ଚ୍ଚ ବା ଶୁକ୍ରବାରରେ ଭାରତରେ ବହୁ ଚର୍ଚ୍ଚିତ ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କୁ ଫାଶୀ ଦିଆଯିବା ପରେ ଜାତିସଂଘ ଏପରି ମତ ରଖିଛି।