କାର୍ଯ୍ୟରେ ଯୋଗଦେଲେ କେନ୍ଦ୍ରର ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ

ନୂଆଦିଲ୍ଲୀ: ମହାମାରୀ କରୋନାକୁ ନେଇ ସାରା ଦେଶ ଏବେ ଲକ୍‌ଡାଉନ୍‌। ସବୁକିଛି ଠପ୍‌ ହୋଇଯାଇଛି। ପ୍ରାୟ ମାସେ ପରେ ଆଜିଠୁ ନିଜ ନିଜ ମନ୍ତ୍ରାଳୟକୁ ଯାଇ କାର୍ଯ୍ୟରେ ଯୋଗ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ଅଧିକାରୀ। ଅଫିସିଆଲ ଗାଡି ଥିବା ଅଧିକାରୀଙ୍କୁ ଆଜିଠୁ କାର୍ଯ୍ୟରେ ଯୋଗ ଦେବାକୁ ଗତ ଶୁକ୍ରବାର ନିର୍ଦ୍ଦେଶ ଜାରି ହୋଇଥିଲା।

ସେହି ଅନୁଯାୟୀ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ସୂଚନା ଓ ପ୍ରାସାରଣ ମନ୍ତ୍ରୀ ପ୍ରକାଶ ଜାଭେଡେକର, କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ କିରନ ରିଜ୍ଜୁ, ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବାସ ନକଭୀ, ସାର ଓ ରସାୟନ ମନ୍ତ୍ରୀ ସଦାନନ୍ଦ ଗୌଡ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ପ୍ରମୁଖ ଆଜି ସେମାନଙ୍କ ମନ୍ତ୍ରାଳୟକୁ ଯାଇ କାର୍ଯ୍ୟ କରିଥିବା ଦେଖିବାକୁ ମିଳିଥିଲା।

ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଓ ସହକାରୀ କର୍ମଚାରୀଙ୍କୁ ଆସିବାକୁ ନିର୍ଦ୍ଦେଶ ଥିଲା। ତେବେ ସହକାରୀ କର୍ମଚାରୀମାନଙ୍କ ଅଫିସିଆଲ ଗାଡି ନଥିବାରୁ ସେମାନେ ନିଜ ନିଜ ବ୍ୟବସ୍ଥାରେ ଅଫିସ ଆସିଥିଲେ। ସେପଟେ ମନ୍ତ୍ରାଳୟ ପ୍ରବେଶ ପୂର୍ବରୁ ସମସ୍ତଙ୍କ ସ୍କ୍ରିନିଂ କରାଯିବା ସହ ସେମାନଙ୍କ ଗାଡିକୁ ମଧ୍ୟ ସମ୍ପୂର୍ଣ୍ଣ ଭାବେ ସାନିଟାଇଜ କରାଯାଇଥିଲା।

କରୋନା ମହାମାରୀ ମୁକାବିଲା ପାଇଁ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନଙ୍କୁ work from home ବା ଘରୁ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ରହିଥିଲା। ଦୁଇ ଦିନ ପୂର୍ବରୁ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ସେମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି।

You might also like