ପଶ୍ଚିମବଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଉପରକୁ ଆକ୍ରମଣ : ତୃଣମୂଳ କଂଗ୍ରେସର ଗୁଣ୍ଡାମାନେ ଆକ୍ରମଣ କରିଥିବା ଅଭିଯୋଗ

କୋଲକାତା : ପଶ୍ଚିମବଙ୍ଗରେ କେନ୍ଦ୍ରମନ୍ତ୍ରୀ ଭି. ମୁରଲୀଧରନଙ୍କ ଗାଡ଼ିକୁ ଆକ୍ରମଣ । ପଶ୍ଚିମ ମେଦିନିପୁର ପଞ୍ଚଖୁଡ଼ି ନିକଟରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ତୃଣମୂଳ କଂଗ୍ରେସର ଗୁଣ୍ଡାମାନେ ଭି. ମୁରଲୀଧରନଙ୍କ ଗାଡ଼ି କାଚକୁ ବାଡ଼େଇ ଭାଙ୍ଗିବା ସହ ସହକର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ସୂଚନା ଟ୍ୱିଟର ଜରିଆରେ ନିଜେ ମୁରଲୀଧରନ୍ ଦେଇଛନ୍ତି। ସେପଟେ ପଶ୍ଚିମବଙ୍ଗରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ଥିବା କହିଛନ୍ତି ମୁରଲୀଧରନ ।

ପଶ୍ଚିମବଙ୍ଗରେ ବିଜେପିର ପରାଜୟ ପରେ ବହୁ କେନ୍ଦ୍ର ମନ୍ତ୍ରୀ ଏବଂ ବିଜେପି ନେତା କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିବା ପାଇଁ ବଙ୍ଗ ଯାଉଛନ୍ତି । ଏହି କ୍ରମରେ ଆଜି ବୈଦେଶିକ ରାଜ୍ୟ ମନ୍ତ୍ରୀ ଭି ମୁରଲୀଧରନ୍ ପଶ୍ଚିମ ମେଦିନାପୁରରେ ରହୁଥିବା ଜଣେ ବିଜେପି କର୍ମୀଙ୍କୁ ଭେଟିବାକୁ ଯାଉଥିଲେ। ଆଉ ଠିକ୍ ସେହି ସମୟରେ ବାଟରେ ତାଙ୍କ ଗାଡ଼ି ଉପରକୁ ଆକ୍ରମଣ କରାଯାଇଥିଲା। ଫଳରେ ଗାଡ଼ିର କାଚ ଭାଙ୍ଗି ଯାଇଛି ।

 

ସେପଟେ ମେ ୨ରେ ଭୋଟ୍ ଗଣତି ପରେ ପଶ୍ଚିମବଙ୍ଗରେ ଦେଖାଦେଇଥିବା ହିଂସାକାଣ୍ଡର ଅନୁଧ୍ୟାନ ଲାଗି ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି କେନ୍ଦ୍ରୀୟ ଟିମ୍ । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଆଜି ୪ ଜଣିଆ ଟିମ୍ ଆସି କୋଲକାତାରେ ପହଞ୍ଚିଛନ୍ତି । ଜଣେ ଅତିରିକ୍ତ ସଚିବସ୍ତରୀୟ ଅଧିକାରୀ ଏହି ଟିମର ନେତୃତ୍ୱ ନେଇଛନ୍ତି । କୋଲକାତାରେ ପହଞ୍ଚିଥିବା ଟିମ୍ ପରେ ହିଂସାକାଣ୍ଡ ହୋଇଥିବା ସ୍ଥାନକୁ ଯାଇ ଅନୁଧ୍ୟାନ କରିବେ ।

ଭୋଟ୍ ଗଣତି ପରେ ଟିଏମସି କର୍ମୀଙ୍କ ଆକ୍ରମଣରେ ଏକାଧିକ ବିଜେପି କର୍ମୀ ପ୍ରାଣ ହରାଇଥିବା ଅଭିଯୋଗ ଆସିଥିଲା । ଏପରିକି ଟିଏମସି କର୍ମୀ ବିଭିନ୍ନ ସ୍ଥାନରେ ବିଜେପି କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ସେପଟେ ପଶ୍ଚିମବଙ୍ଗରେ ଟିଏମସି କର୍ମୀଙ୍କ ଗୁଣ୍ଡାରାଜ ବିରୋଧରେ ସାରା ଦେଶରେ ଗତକାଲି ଠାରୁ ବିଜେପି ନେତା ଓ କର୍ମୀ ପ୍ରତିବାଦ କରୁଛନ୍ତି ।

You might also like