• translate
Satyendu Shekher Mishra

ମୁମ୍ବାଇ: ଟିକାକରଣ କେନ୍ଦ୍ରରେ ଦଳାଚକଟା, ଠେଲା ପେଲା । ଏଭଳି ଚିତ୍ର ପୁଣି ଥରେ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ଔରଙ୍ଗାବାଦ ସ୍ଥିତ ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ । ଏହି ଟିକାକରଣ କେନ୍ଦ୍ରରେ ଏତେ ଲୋକଙ୍କ ଭିଡ଼ ଜମିଥିଲା ଯେ ସେଠାରେ ଦଳାଚକଟା ଭଳି ସ୍ଥିତି ଉପୁଜିଥିଲା । ଏମିତି କି କିଛି ଲୋକ ଠେଲାପେଲାରେ ତଳେ ପଡ଼ିଯାଉଥିବା ଦୃୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ଏହି କେନ୍ଦ୍ରରେ ମାତ୍ର ୭୦ ଜଣଙ୍କ ପାଇଁ ଟିକା ଥିବା ବେଳେ ଶତାଧିକ ଲୋକ ଟିକା ନେବା ପାଇଁ ପହଞ୍ଚିଥିଲେ ।

ଏହାପରେ ଟିକା ପାଇବା ପାଇଁ ଆରମ୍ଭ ହୋଇଯାଇଥିଲା ଠେଲାପେଲା । ବରିଷ୍ଠ ନାଗରିକ ମାନେ ତଳେ ପଡ଼ିଯାଉଥିବା ଦୃୃଶ୍ୟ ଦେଖିବାକୁ ମିଳିଥିଲା । ତେବେ ଭିଡ଼ ନିୟନ୍ତ୍ରଣ ପାଇଁ ଟିକା କେନ୍ଦ୍ରରେ ସେଭଳି କୌଣସି ବ୍ୟବସ୍ଥା ହୋଇଥିବା ଦେଖିବାକୁ ମିଳିନଥିଲା ।

ଠିକ୍‌ ଏହିଭଳି ଘଟଣା କିଛି ଦିନ ପୂର୍ବରୁ ଓଡ଼ିଶାରେ ମଧ୍ୟ ଦେଖାଯାଇଥିଲା । ଟିକା ପାଇଁ ଠେଲା ପେଲା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ବାଲେଶ୍ୱର ସହରର ଜିଲ୍ଲା ସ୍କୁଲରେ ହୋଇଥିବା ଟିକାକରଣ କେନ୍ଦ୍ରରେ । ଶତାଧିକ ଲୋକ ଟିକା ନେବାକୁ ଆସିବାରୁ କେନ୍ଦ୍ରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ସମସ୍ତେ ପ୍ରଥମେ ଟିକା ନେବା ପାଇଁ ଚେଷ୍ଟା କରିବାରୁ ଅସମ୍ଭାଳ ପରିସ୍ଥିତି ଉପୁଜିଥିଲା । ଉପସ୍ଥିତ ପୋଲିସ ବି ଭିଡ଼ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ । ଉଭୟ ଅନ୍‌ଲାଇନ୍‌ ଓ ଅଫଲାଇନ୍‌ରେ ଟିକା ପାଇଁ ପଞ୍ଜିକରଣ ହେଉଥିବାରୁ ଟିକାକରଣ କେନ୍ଦ୍ରରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା । ସ୍ଥାନୀୟ ସିଡିଏମ୍ଓ କହିଥିଲେ ଯେ ଜିଲ୍ଲା ସ୍କୁଲ କେନ୍ଦ୍ରରେ ୬ଶହ ଟିକା ପାଇଁ ବ୍ୟବସ୍ଥା ଥିବା ବେଳେ ହଜାରେରୁ ଅଧିକ ଲୋକ ଆସିଥିଲେ । ଫଳରେ ଏଭଳି ସ୍ଥିତି ଉପୁଜିଥିଲା ।

ଏପଟେ କଟକ ଏସ୍‌ସିବି ମେଡିକାଲରେ ହୋଇଥିବା ଟିକାକରଣ କେନ୍ଦ୍ରରେ ବି ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଲୋକ ଧାଡ଼ି ଭାଙ୍ଗି ପ୍ରଥମେ ଟିକା ନେବା ପାଇଁ ଉଦ୍ୟମ କରିବାରୁ ସ୍ଥିତି ଅସମ୍ଭାଳ ହୋଇଥିଲା । ଏତେ ଭିଡ଼ କେମିତି ସମ୍ଭାଳିବେ, ସେନେଇ ଉପସ୍ଥିତ ଅଧିକାରୀଙ୍କ ଅକଲଗୁଡ଼ୁମ ହୋଇଯାଇଥିଲା । ଏସସିବିର ଜରୁରୀକାଳୀନ ଅଧିକାରୀ କହିଛନ୍ତି ଉଭୟ ଅଫ୍ ଲାଇନ୍ ଓ ଅନ୍ଲାଇନ୍‌ରେ ଟିକା ପଞ୍ଜିକରଣ ହେଉଥିବାରୁ ଅଧିକ ଭିଡ଼ ହେଉଛି । ଏହାଛଡ଼ା ମହାମାରୀଠୁ ରକ୍ଷା ପାଇବା ପାଇଁ ଟିକା ଗୋଟିଏ ମାତ୍ର ବିକଳ୍ପ । ତେଣୁ ଲୋକ ଟିକା ନେବାକୁ ଭିଡ଼ କରୁଥିବା ସେ କହିଛନ୍ତି । ତେବେ ଭିଡ଼ ନିୟନ୍ତ୍ରଣ ପାଇଁ ଆଗକୁ ବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

Other Stories