ମୁଣ୍ଡ ନଥିଲା, ହେଲେ ୧୮ ମାସ ହେବ ଜୀବିତ ଥିଲା କୁକୁଡ଼ା

କୌଣସି ମନୁଷ୍ୟ ବା ପଶୁପକ୍ଷୀଙ୍କର ମୁଣ୍ଡ କାଟି ଦେଲେ କଣ ହେବ? ଏହାର ଉତ୍ତର- ସେ ସଙ୍ଗେସଙ୍ଗେ ମରିଯିବ। କିନ୍ତୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ, ଗୋଟିଏ କୁକୁଡ଼ାର ମୁଣ୍ଡ କଟିଯିବା ପରେ ବି ସେ ୧୮ ମାସଧରି ଜୀବିତ ରହିଥିଲା।

ଆମେରିକାରେ ୭୫ ବର୍ଷ ପୂର୍ବେ ଜଣେ ଚାଷୀ ଗୋଟିଏ କୁକୁଡ଼ାର ବେକ କାଟି ଦେଇଥିଲେ। କିନ୍ତୁ ସେ ମଲା ନାହିଁ ବରଂ ୧୮ ମାସ ପର୍ଯ୍ୟନ୍ତ ଜୀବିତ ରହିଥିଲା। ଏହା କୁକୁଡ଼ାଟିର ମାଲିକ ପ୍ରପୌତ୍ର ଟାୟ ୱାଟର୍ସ ଗଣମାଧ୍ୟମକୁ ସେ ସମୟରେ କହିଥିଲେ।

ଘଟଣାଟି ୧୦ ସେପ୍ଟେମ୍ୱର ୧୯୪୫ରେ ଘଟିଥିଲା। ଏହି ଦିନ, ଲୋୟାଲ ଓଲସେନ୍ ଏବଂ ତାଙ୍କ ପତ୍ନୀ କ୍ଲାରା କଲୋରଡୋର ଫ୍ରୁଇଟାସ୍ଥିତ ଚାଷ ଜମିରେ ପ୍ରାୟ ୪୦ ରୁ ୫୦ଟି କୁକୁଡ଼ା କାଟିଥିଲେ। କିନ୍ତୁ ଏତେ ସଂଖ୍ୟକ କୁକୁଡ଼ା କାଟିବା ପରେ ସେମାନଙ୍କ ମଧ୍ୟରୁ ଗୋଟିଏ କୁକୁଡ଼ା ଜୀବିତ ରହିଥିଲା।

ଏହି ଘଟଣାରେ, ଓଲସେନ୍ ଏବଂ କ୍ଲାରାଙ୍କର ନାତି ଟ୍ରୋଇ ୱାଟର କୁହନ୍ତି, ଯେତେବେଳେ ସେମାନେ ସେମାନଙ୍କର କାର୍ଯ୍ୟ ସାରି ମାଂସ ଉଠାଇବା ଆରମ୍ଭ କଲେ, ସେମାନଙ୍କ ମଧ୍ୟରୁ ଗୋଟିଏ କୁକୁଡ଼ା ଜୀବିତ ଥିବା ଦେଖିବାକୁ ପାଇଥିଲେ।

​କୁକୁଡ଼ାଟି ହଠାତ୍‌ ଉଠି ବିନା ମୁଣ୍ଡରେ ଦୌଡ଼ିବାକୁ ଲାଗିଥିଲା। ଏହା ଦେଖି ସେମାନେ କୁକୁଡ଼ାଟିକୁ ଏକ ବାକ୍ସରେ ତାଲା ପକାଇଦେଇଥିଲେ। ପରଦିନ ସକାଳେ ଲୋୟାଲ୍ ​​ଓଲସେନ୍ କୁକୁଡ଼ାଟି ବଞ୍ଚିଛି ନା ମରିଛି ଦେଖିବାକୁ ଯାଇଥିଲେ। ହେଲେ ସେ କୁକୁଡ଼ାକୁ ଜୀବନ୍ତ ଥିବା ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ୱାଟରଙ୍କ କହିବାନୁଯାୟୀ, ତାଙ୍କ ଜେଜେ ଓଲସେନ୍ ସେହି ମାଂସକୁ ବିକ୍ରି କରିବା ପାଇଁ ବଜାରକୁ ନେଇଥିଲେ ଏବଂ ଜୀବିତ ଥିବା କୁକୁଡ଼ାକୁ ମଧ୍ୟ ସାଙ୍ଗରେ ନେଇଥିଲେ। ବଜାରରେ ସେ ଏହି କୁକୁଡ଼ାକୁ ନେଇ ସର୍ତ୍ତ ରଖିବା ଆରମ୍ଭ କରିଥିଲେ, କିନ୍ତୁ ଏହି କଥା ଧୀରେ ଧୀରେ ଆଖପାଖ ସାରା ଅଞ୍ଚଳ ମଧ୍ୟରେ ବ୍ୟାପିଗଲା।

ଏହି ଘଟଣା ସମ୍ବନ୍ଧରେ ସୂଚନା ପାଇ ଏକ ସ୍ଥାନୀୟ ଖବରକାଗଜ ମଧ୍ୟ ଏହାର ସାମ୍ବାଦିକଙ୍କୁ ଓଲସେନ୍‌ଙ୍କ ସାକ୍ଷାତକାର ନେବାକୁ ପଠାଇଥିଲା। ଯାହାଫଳରେ ସେ ସମୟରେ ଏହି ଖବରଟି ସାରା ଦେଶରେ ବ୍ୟାପିଯାଇଥିଲା।

You might also like