ବିପଦ ବେଳେ ‍‍ସହାୟତାର ହାତ ବଢାଇଲା ବ୍ରିଟେନ

ନୂଆଦିଲ୍ଲୀ: ଭାରତରେ ବଢି ଚାଲିଛି କରୋନା ପ୍ରକୋପ। ମୃତ୍ୟୁ ସଂଖ୍ୟା ବି ବଢି ବଢି ଚାଲିଛି। ଏପରି ପରିସ୍ଥିତିରେ ଅକ୍ସିଜେନ୍‌ର ଅଭାବ ଏକ ନୂଆ ସମସ୍ୟା ସୃଷ୍ଟି କରିଛି। ଅକ୍ସିଜେନ ଅଭାବରୁ ଭାରତରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଭାରତର ଏପରି ବିପତ୍ତି ସମୟରେ ଆମେରିକା ସହାୟତାର ହାତ ବଢାଇଥିବାବେଳେ ବ୍ରିଟେନ ବି ସାହାଯ୍ୟ କରିବାକୁ ଆଗେଇ ଆସିଛି।

କରୋନା ମୁକାବିଲା ଲାଗି ଭାରତକୁ ସହାୟତା ବଢ଼ାଇଛି ବ୍ରିଟେନ। ଗତକାଲି ବ୍ରିଟେନ ଭେଣ୍ଟିଲେଟର, ଅକ୍ସିଜେନ୍ କନସେନଟ୍ରେଟର ସମେତ ଅନ୍ୟାନ୍ୟ ମେଡିକାଲ ଉପକରଣ  ଭାରତକୁ ପଠାଇଛି । ବ୍ରିଟେନରୁ ଆସୁଥିବା ଏସବୁ ସାମଗ୍ରୀ ଆସନ୍ତାକାଲି ଦିଲ୍ଲୀରେ ପହଞ୍ଚିବ।

ଏହାଛଡ଼ା ଆଗାମା ସପ୍ତାହରେ ମଧ୍ୟ ଆଉ କିଛି ଉପକରଣ ଆସିବ ବୋଲି ସୂଚନା ଦେଇ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ସେ କହିଛନ୍ତି, ଶହେରୁ ଅଧିକ ଅକ୍ସିଜେନ୍ କନସେନଟ୍ରେଟର ଓ ଭେଣ୍ଟିଲେଟର ବ୍ରିଟେନ ଛାଡ଼ି ସାରିଲାଣି । ଏଭଳି ଏକ ମହାମାରୀର ମୁକାବିଲା ଲାଗି ଭାରତ ସହ କାନ୍ଧ ମିଳାଇ ବ୍ରିଟେନ ଛିଡ଼ା ହେବ। ବୋଲି ସେ କହିଛନ୍ତି ।

ତେବେ ଭାରତରେ କରୋନା ସ୍ଥିତିକୁ ଦେଖି ଆସନ୍ତା ସପ୍ତାହରେ ତାଙ୍କର ପ୍ରସ୍ତାବିତ ଭାରତ ଗସ୍ତକୁ ବାତିଲ କରିଦେଇଛନ୍ତି ବୋରିସ ଜନସନ। ସେପଟେ ୟୁରୋପୀୟ ସଂଘ ମଧ୍ୟ ଭାରତକୁ ସହାୟତା ଯୋଗାଇ ଦେବା ଲାଗି ପ୍ରତିଶ୍ରୁତି ଦେଇଛି। ଅକ୍ସିଜେନ୍ ଓ ଔଷଧ ପଠାଇବା ଲାଗି ତତ୍ପରତା ପ୍ରକାଶ କରିଛି ବୋଲି ୟୁରୋପୀୟ ୟୁନିଅନର କମିଶନର ଜାନେଜ୍ ଲେନାରସିସ କହିଛନ୍ତି । ସେହିପରି ଏଭଳି ବିପତ୍ତିବେଳେ ଫ୍ରାନ୍ସ, ଜର୍ମାନୀ ଭାରତ ସହ ଥିବା କହିଛନ୍ତି।

ସୂଚନାଥାଉ ଦେଶରେ ହୁ ହୁ ହୋଇ ମାଡୁଛି କରୋନା । ଦେଶରେ ଗୋଟିଏ ଦିନରେ ୩ ଲକ୍ଷ ୫୨ ହଜାର ୯୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଗୋଟିଏ ଦିନରେ ୨ ହଜାର ୮୧୨ ଜୀବନ ନେଇଛି ଏହି ମହାମାରୀ । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୭୩ ଲକ୍ଷ ୧୩ ହଜାର ୧୬୩କୁ ବୃଦ୍ଧି ପାଇଥିବା ବେଲେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୯୫ ହଜାର ୧୨୩କୁ ବୃଦ୍ଧି ପାଇଛି।

ବର୍ତ୍ତମାନ ଆକ୍ଟିଭ କେସ୍ ରହିଛି ୨୮ ଲକ୍ଷ ୧୩ ହଜାର ୬୫୮ । ଏହା ସହିତ ସୁସ୍ଥ ହୋଇଛନ୍ତି ୧ କୋଟି ୪୩ ଲକ୍ଷ ୪ ହଜାର ୩୮୨। ବର୍ତ୍ତମାନ ସୁଦ୍ଧା ୧୪ କୋଟି ୧୯ ଲକ୍ଷ ୧୧ ହଜାରରୁ ଅଧିକ ଲୋକଙ୍କୁ କରୋନା ଟିକା ଦିଆଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

 

You might also like