କୋଭିଡ୍‌ ଯୋଦ୍ଧାଙ୍କ ମୃତ୍ୟୁ ପରେ ଅନୁକମ୍ପା ରାଶି ପାଇବାକୁ ଦୁଇ ପତ୍ନୀଙ୍କ ମଧ୍ୟରେ ଟଣାଟଣି, କୋର୍ଟକୁ ଗଲା ମାମଲା

ମୁମ୍ବାଇ: ସ୍ୱାମୀର ଟଙ୍କା ପାଇବେ ପ୍ରଥମ ସ୍ତ୍ରୀ । ଏକାଧିକ ବିବାହ କରିଥିବା ବ୍ୟକ୍ତିଙ୍କ ପତ୍ନୀମାନଙ୍କ ମଧ୍ୟରେ କେବଳ ପ୍ରଥମ ପତ୍ନୀ ହିଁ ତାଙ୍କର ଟଙ୍କା ପାଇବାକୁ ଯୋଗ୍ୟ । ମହାରାଷ୍ଟ୍ରରେ ଏକ ମାମଲାର ଶୁଣାଣି କରି ଏହା କହିଛନ୍ତି ବମ୍ବେ ହାଇକୋର୍ଟ। ତେବେ ଉଭୟ ପତ୍ନୀଙ୍କ ଗର୍ଭରୁ ଜନ୍ମିତ ସନ୍ତାନସନ୍ତତି ବାପାଙ୍କ ଟଙ୍କା ପାଇବାକୁ ହକଦାର ବୋଲି କହିଛନ୍ତି ବମ୍ବେ ହାଇକୋର୍ଟ।

ସୂଚନା ଅନୁସାରେ, ମହାରାଷ୍ଟ୍ର ରେଲେଓ୍ୱ ପୋଲିସର ଏଏସ୍ଆଇ ସୁରେଶ ହଟଙ୍କର କୋଭିଡ୍ ଆକ୍ରାନ୍ତ ହୋଇ ଗତ ମେ ୩୦ରେ ମୃତ୍ୟୁବରଣ କରିଥିଲେ। ନିୟମ ଅନୁସାରେ, ତାଙ୍କ ଦେହାନ୍ତ ପରେ ପରିବାର ଲୋକଙ୍କୁ ୬୫ ଲକ୍ଷ ଟଙ୍କା ଅନୁକଂପା ରାଶି ମିଳିବାର ଥିଲା।  ତେବେ ଏହି ଟଙ୍କା ପାଇବାକୁ ୨ ଜଣ ମହିଳା ନିଜକୁ ମୃତକଙ୍କ ପତ୍ନୀ ବୋଲି ଦାବି କରିଥିଲେ।

ଏହାପରେ ଦ୍ୱିତୀୟ ପତ୍ନୀଙ୍କ ଝିଅ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସେ ଦାବି କରିଥିଲେ ଯେ, ମୃତକ ସୁରେଶ ପ୍ରଥମେ ୧୯୯୨ ଓ ପରେ ୧୯୯୮ରେ ଦୁଇଟି ବିବାହ କରିଥିଲେ। ଉଭୟ ବିବାହ ହିନ୍ଦୁ ମ୍ୟାରେଜ୍ ଆକ୍ଟ ଅନୁସାରେ ପଞ୍ଜିକୃତ ହୋଇଥିଲା। ତେଣୁ ଝିଅ ହିସାବରେ ବାପାଙ୍କ ପେନ୍‌ସନ୍‌ ଓ ଗ୍ରାଚୁଇଟି ସହ ସରକାରୀ ଅନୁକଂପା ରାଶି ଉପରେ ବି ତାଙ୍କର ଅଧିକାର ଅଛି। ତାଙ୍କ ମାଆଙ୍କ ଭରଣପୋଷଣ ପାଇଁ ସମସ୍ତ ଟଙ୍କାରୁ ଉଚିତ ଭାଗ ଦାବି କରିଛନ୍ତି ଦ୍ୱିତୀୟ ପତ୍ନୀଙ୍କ ଝିଅ ।

ଅନ୍ୟପକ୍ଷରେ ପ୍ରଥମ ପତ୍ନୀ ଓ ତାଙ୍କ ଝିଅ ଅଭିଯୋଗ କରିଛନ୍ତି ଯେ, ସେମାନେ ସୁରେଶଙ୍କ ଦ୍ୱିତୀୟ ବିବାହ ସଂପର୍କରେ ପୂର୍ବରୁ ଜାଣିନଥିଲେ। ତେବେ ଦ୍ୱିତୀୟ ପତ୍ନୀଙ୍କ ଝିଅଙ୍କ ଓକିଲ ଏହାକୁ ମିଥ୍ୟା ବୋଲି କହିବା ସହ ପୂର୍ବରୁ ଫେସ୍‌ବୁକରେ ଉଭୟ ପତ୍ନୀଙ୍କ ଝିଅ ପରସ୍ପର ସହ ଯୋଗାଯୋଗରେ ଥିଲେ ଏବଂ ମୃତ୍ୟୁ ବେଳକୁ ସୁରେଶ ରେଲୱେ ପୋଲିସ କ୍ୱାର୍ଟର୍ସରେ ଦ୍ୱିତୀୟ ପତ୍ନୀ ଓ ଝିଅଙ୍କ ସହ ରହୁଥିଲେ ବୋଲି କୋର୍ଟଙ୍କୁ ଜଣାଇଛନ୍ତି।

ସେପଟେ ସରକାରୀ ଓକିଲ ହାଇକୋର୍ଟଙ୍କୁ ଜଣାଇଛନ୍ତି ଯେ, ପୂର୍ବରୁ ଔରଙ୍ଗାବାଦ ବେଞ୍ଚ ଅନ୍ୟ ଏକ ସମାନ ଧରଣର ମାମଲାରେ ମୃତକଙ୍କ ଟଙ୍କା ଉପରେ ପ୍ରଥମ ପତ୍ନୀ ଓ ଉଭୟ ପତ୍ନୀଙ୍କ ସନ୍ତାନଙ୍କର ଅଧିକାର ଥିବା ରାୟ ଦେଇଥିଲେ ।ମାମଲା ବିଚାରାଧୀନ ଥିବାରୁ, ବର୍ତ୍ତମାନ ପାଇଁ ରାଜ୍ୟ ସରକାର ଅନୁକଂପା ରାଶିକୁ କୋର୍ଟରେ ଜମା କରିବେ।

ଏସମସ୍ତ ପକ୍ଷକୁ ଶୁଣିବା ପରେ ହାଇକୋର୍ଟ ସୁରେଶଙ୍କ ପ୍ରଥମ ପତ୍ନୀ ଓ ତାଙ୍କ ଝିଅଙ୍କୁ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି। ସେମାନେ ପୂର୍ବରୁ ଦ୍ୱିତୀୟ ପତ୍ନୀ ଓ ତାଙ୍କ ଝିଅ ବିଷୟରେ ଜାଣିନଥିଲେ ବୋଲି ଦର୍ଶାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଗୁରୁବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ।

You might also like