ପେଟ୍ରୋଲ ବୋତଲ ଧରି ମୋବାଇଲ ଟାୱାରକୁ ଚଢ଼ିଗଲେ ଦୁଇ ବେକାର ଯୁବକ

ଦାବି ପୂରଣ ପାଇଁ ଜୀବନ ସହ ଖେଳ

ପଟିଆଲା: ଚାକିରି ଦିଅ, ନହେଲେ ଆମେ ମରିବୁ । ସରକାରଙ୍କ ପକ୍ଷପାତିତା ନୀତିକୁ ବିରୋଧ କରି ପଟିଆଲାରର ଏଲିମେଣ୍ଟାରୀ ଟିଚର୍ସ ଟ୍ରେନିଂ ପରେ ଟିଚର୍ସ ଏଲିଜିବିଲିଟି ପାସ କରିଥିବା ଦୁଇ ଯୁବକ ପେଟ୍ରୋଲ ବୋତଲ ନେଇ ମୋ‍ବାଇଲ ଟାୱାର ଉପରକୁ ଚଢ଼ିଯାଇଛନ୍ତି। ସମଗ୍ର ରାଜ୍ୟରେ ଖାଲି ପଡିଥିବା ETT ର ପ୍ରାୟ ୧୦ ହଜାର ପଦବୀ ନିଯୁକ୍ତି ପ୍ରକ୍ରିୟାରେ ସରକାର କେବଳ ବିଏଡ଼୍ ପାସ ପ୍ରାର୍ଥୀଙ୍କୁ ଯୋଗ୍ୟ ବିବେଚିତ କରିଛନ୍ତି। ଫଳରେ ଏହାକୁ ବାତିଲ କରିବା ଦାବିରେ ଦୁଇ ଯୁବକ ଏପରି କରିଥିବା ଜଣାପଡ଼ିଛି।  ସରକାର ଶୀଘ୍ର ଦାବି ପୂରଣ ନକେଲେ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା କରିବାକୁ ଧମକ ମଧ୍ୟ ଦେଉଛନ୍ତି।

ଦେଶରେ ଦିନକୁ ଦିନ ବଢ଼ି ଚାଲିଛି ବେକାରୀ ସମସ୍ୟା। ଯାହାକୁ ନେଇ ଚିନ୍ତାରେ ଯୁବପିଢ଼ି । ସବୁଠୁ ବଡ଼ କଥା ହେଲା ଦେଶରେ ଯେତିକି ବେକାରୀ ସଂଖ୍ୟା ଅଛି ସେ ମଧ୍ୟରୁ ଯୁବପିଢ଼ିଙ୍କ ସଂଖ୍ୟା ଅଧିକ। ୪୦ବର୍ଷରୁ କମ୍‌ ବୟସର ବେକାରୀ ସଂଖ୍ୟା ଅଧିକ। ଏହି କ୍ରମରେ ଦୀର୍ଘ ଦିନ ଧରି ପଟିଆଲା ସହରରେ ETT ପାସ୍ ବେକାର ଯୁବକଯୁବତୀମାନେ ବିକ୍ଷୋଭ ପ୍ରଦର୍ଶନ କରି ଆସୁଛନ୍ତି। ଚାକିରି ଦାବିରେ ଆନ୍ଦୋଳନ କରୁଛନ୍ତି। ସରକାରଙ୍କ ସହ ଅନେକ ଥର ଆଲୋଚନା ପରେ ମଧ୍ୟ  ସମସ୍ୟାର ସମାଧାନ ହୋଇ ନଥିବାରୁ ସଂଘର ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଉ ଏହି କାରଣରୁ ୟୁନିଅନର ଦୁଇଜଣ ସଦସ୍ୟ ଟାୱାର ଉପରକୁ ଚଢ଼ି ଆତ୍ମହତ୍ୟା ଧମକ ଦେଉଛନ୍ତି । ସରକାର ତାଙ୍କ ଦାବି ପୂରଣ ନକରିବା ପର୍ଯ୍ୟନ୍ତ ଟାୱାରରେ ରହି ବିକ୍ଷୋଭ ପ୍ରଦର୍ଶନ ଜାରି ରଖିବେ ବୋଲି ସେ କହିଛନ୍ତି।

ଏହି ପରିପ୍ରେକ୍ଷୀରେ ୟୁନିଅନର ପ୍ରାଦେଶିକ ମୁଖ୍ୟ ଦୀପକ କାମ୍ବୋଜ କହିଛନ୍ତି, ଦୀର୍ଘ ଦିନ ଧରି ନିଯୁକ୍ତି ଏବଂ ଇଟିଟି ପଦବୀ ପାଇଁ ବିଏଡ଼୍ ପାସ୍ ପ୍ରାର୍ଥୀଙ୍କ ଯୋଗ୍ୟତା ପ୍ରତ୍ୟାହାର କରିବାକୁ ସେମାନେ ସରକାରଙ୍କ ନିକଟରେ ଅନୁରୋଧ କରୁଛନ୍ତି। ଏ ପ୍ରସଙ୍ଗରେ ସରକାରୀ ଅଧିକାରୀ ଏବଂ ମନ୍ତ୍ରୀଙ୍କ ସହ ମଧ୍ୟ ବୈଠକ କରି ସମସ୍ୟା ସମ୍ପର୍କରେ ଅବଗତ କରିଛନ୍ତି। ହେଲେ ଏପର୍ଯ୍ୟନ୍ତ କୌଣସି ଅର୍ଥପୂର୍ଣ୍ଣ ସମାଧାନ ମିଳିନାହିଁ । ଯଦି ଦାବି ପୂରଣ ନହୁଏ, ତେବେ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ସେ କହିଛନ୍ତି।

 

You might also like