ମିଠା, ଉପହାର ଦେଇ ଦୁଇ ଭଉଣୀଙ୍କୁ ପାକିସ୍ତାନ ପଠାଇଲେ ଭାରତୀୟ ଯବାନ

ନୂଆଦିଲ୍ଲୀ: ଛୋଟ ଛୋଟ ଦୁଇ ଭଉଣୀ। ବୁଲୁ ବୁଲୁ ଭୁଲ୍‌ରେ ସୀମା ପାର ହୋଇ ଚାଲି ଅସିଥିଲେ ଭାରତକୁ। ସେମାନଙ୍କୁ ଧରି ନେଇ ଯାଇଥିଲେ ଭାରତୀୟ ଯବାନ।  ନିଜ ଭୁଲ ବୁଝି ପାରିଲେ ପିଲା ଦୁଇଟି।  ଭାବି ନେଇଥିଲେ ବୋଧହୁଏ ଆଉ ପାକିସ୍ତାନ ଫେରି ଯାଇ ପାରିବେନି। କିନ୍ତୁ ସେମାନେ ହସିହସି ଫେରିଥିଲେ ପାକିସ୍ତାନ । ଖାଲି ହାତରେ ନୁହେଁ, ମିଠା ପ୍ୟାକେଟ ଆଉ ଉପହାର ନେଇ ଯାଇଥିଲେ। ଏମିତି ସହୃଦୟତା ଦେଖାଇଥିଲେ ଆମ ଭାରତୀୟ ଯବାନମାନେ।

୧୭ ବର୍ଷିୟ ଲାଇବା ଜାବେର ଏବଂ ତାଙ୍କ ୧୩ ବର୍ଷିୟ ସାନ ଭଉଣୀ ସାନା ଜାବେର।   ପାକିସ୍ତାନ ଅଧକୃତ କାଶ୍ମୀରର ଆବାସପୁର ବାସିନ୍ଦା । ରବିବାର ଏହି ଦୁଇ ଭଉଣୀ ବୁଲୁ ବୁଲୁ ଭୁଲ୍ କ୍ରମେ ଏଲଓସି ଅତିକ୍ରମ କରି ଭାରତ ସୀମା ପୁଂଚ ଭିତରକୁ ପଶି ଆସିଥିଲେ।

ସେମାନଙ୍କୁ ଦେଖି ନେଇଥିଲେ ଭାରତୀୟ  ସେନା ଅଧିକାରୀ। ସେମାନଙ୍କୁ ଅଟକ ରଖି ପଚରାଉଚରା କରିଥିଲେ। ଭୁଲରେ ଦୁଇ ଭଉଣୀ ସୀମା ପାର କରିଥିବା ଜଣାପଡିଥିଲା । ଏକଥା ଜାଣିବା ପରେ ଭାରତୀୟ ସେନା ପକ୍ଷରୁ ଦୁଇ ଭଉଣୀଙ୍କୁ ପାକିସ୍ତାନ ହସ୍ତାନ୍ତର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ଆରମ୍ଭ ହୋଇଥିଲା ପିଓକେ ହସ୍ତାନ୍ତର ପ୍ରକ୍ରିୟା । ଚକନ ଦା ବାଗ ନିକଟରେ ପାକିସ୍ତାନ ସେନା ଓ ସାଧାରଣ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଦୁଇ ଭଉଣୀଙ୍କୁ ହସ୍ତାନ୍ତର କରାଯାଇଥିଲା। ଦୁଇ ନାବାଳିକାଙ୍କୁ ଉପହାର ଓ ମିଠା ଦେଇ ପାକିସ୍ତାନ ପଠାଇଥିଲେ ଭାରତୀୟ ଯବାନ।

ପାକିସ୍ତାନ ଫେରିବା ପୂର୍ବରୁ ବଡ ଭଉଣୀ ଲାଇବା କହିଛନ୍ତି, ସେମାନେ ବାଟ ଭୁଲି ଭାରତ ସୀମାକୁ ଚାଲି ଆସିଥିଲେ । ଭାରତୀୟ ସେନା କର୍ମଚାରୀ ସେମାନଙ୍କୁ ଅଟକାଇ ପଚରାଉଚରା କରିଥିଲେ । ସେମାନେ ଭାବିଥିଲେ ଯେ, ଭାରତୀୟ ସେନା ସେମାନଙ୍କୁ ମାଡ ମାରିବେ ଏବଂ କେବେ ବି ପାକିସ୍ତାନ ଫେରିବାକୁ ଦେବେ ନାହିଁ। ତେବେ ଭାରତୀୟ ସେନା ସେମାନଙ୍କୁ ବହୁତ ଭଲ ବ୍ୟବହାର ଦେଖାଇବା ସହ ଖାଇବାକୁ ଦେଇଥିଲେ ବୋଲି କହିଛନ୍ତି ଉଭୟ ଭଉଣୀ ।

 

You might also like