ଇଫକୋ କାରଖାନାରେ ଗ୍ୟାସ ଲିକ୍ ହୋଇ ୨ ମୃତ

ଗ୍ୟାସ ନେଲା ୨ ଜୀବନ

ଉତ୍ତରପ୍ରଦେଶ: ଇଫକୋ କାରଖାନାରେ ବଡଧରଣର ଦୁର୍ଘଟଣା। ଆମୋନିଆ ଗ୍ୟାସ ଦୁର୍ଘଟଣା ହେବାରୁ ୨ ଜଣ କର୍ମଚାରୀଙ୍କ ଜୀବନ ଯାଇଛି। ମିଳିଥିବା ସୂଚନା ଅନୁସାରେ, ୟୁରିଆ ପ୍ରସ୍ତୁତ କରୁଥିବା ଏହି କାରଖାନାରେ ମଙ୍ଗଳବାର ରାତି ଆମୋନିଆ ଗ୍ୟାସ ନିର୍ଗତ ହେବାରୁ ୨ ଜଣ ଅଧିକାରୀଙ୍କ ପ୍ରାଣହାନୀ ଘଟିଛି ।

ଏହି ଘଟଣାରେ ଅନେକ କର୍ମଚାରୀ ଅସୁସ୍ଥ ହୋଇଥିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।ଆମୋନିଆ ଗ୍ୟାସ ବାହାରି ପାଖାପାଖି ୧୫ରୁ ଅଧିକ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ଘଟିବା ସମୟରେ କାରଖାନାରେ ପାଖାପାଖି ୧୦୦ରୁ ଅଧିକ କର୍ମଚାରୀ କାମ କରୁଥିଲେ।

ଘଟଣା ସମ୍ପର୍କରେ ଖବର ପାଇବା ପରେ ସ୍ଥାନୀୟ ଅଗ୍ନିଶମ ବିଭାଗ, ପୋଲିସ ପ୍ରଶାସନ ପହଞ୍ଚି ଆହତଙ୍କୁ ମେଡିକାଲ ପଠାଇଥିଲା।କେଉଁ କାରଣରୁ ଗ୍ୟାସ ନିର୍ଗତ ହେଲା, ତାହା ଜଣାପଡ଼ିନାହିଁ । ତଥାପି କାରଖାନାର କୌଣସି ପମ୍ପରୁ ଲିକେଜ ହେବାରୁ ଏଭଳି ଅଭାବନୀୟ ଘଟଣା ଘଟିଛି । ଅନ୍ୟପଟରେ ଅବହେଳା ଯୋଗୁଁ ଏହି ବିପଦ ଦେଖାଯାଇଥିବା ଅନୁମାନ କରାଯାଉଛି । ଅଧିକାରୀମାନେ ଘଟଣାର ତଦନ୍ତ କରୁଛନ୍ତି । 

ପୂର୍ବରୁ ଆନ୍ଧ୍ରପ୍ରଦେଶ ଚିତ୍ତୁରରେ ଏକ ମିଲ୍କ ଡାଏରୀ ୟୁନିଟ୍‌ରେ ଆମୋନିଆ ଗ୍ୟାସ୍‌ ଲିକ୍‌ ଯୋଗୁ ୧୪ଜଣ ଶ୍ରମିକ ଗୁରୁତର ହୋଇଥିଲେ। ଗୁରୁତରଙ୍କ ମଧ୍ୟରେ ସମସ୍ତେ ମହିଳା ଥିବା ନେଇ ସୂଚନା ରହିଛି । ତେବେ ଆହତଙ୍କ ମଧ୍ୟରୁ ଗୁରୁତରଙ୍କ ମଧ୍ୟରେ ୩ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ବି ଥିଲା।

ଅପରାହ୍ଣ ୫ଟା ସମୟରେ ପୁଟ୍ଟଲ୍‌ପଟ୍ଟୁ ମଣ୍ଡଲ୍‌ର ବନ୍ଦାପଲ୍ଲୀରେ ଥିବା ଏକ ଡାଏରୀ ୟୁନିଟ୍‌ରେ ହଠାତ୍ ଆମୋନିଆ ‌ଗ୍ୟାସ୍‌ ଲିକ୍‌ ହୋଇଥିଲା। ଫଳରେ ସେହି ସମୟରେ ପ୍ଲାଣ୍ଟ୍‌ରେ କାର୍ଯ୍ୟ କରୁଥିବା ୧୪ଜଣ ଶ୍ରମିକ ଏହି ଗ୍ୟାସ୍‌ ପ୍ରଭାବରେ ଆସି ଅସୁସ୍ଥ ଅନୁଭବ କରିବା ସହ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ତତ୍‌କ୍ଷଣାତ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଏହାସହ ବିଶାଖାପଟ୍ଟନମ୍‌ ଏଲ୍‌ଜି ପଲିମର୍ସରୁ ମଧ୍ୟ ଗ୍ୟାସ୍‌ ଲିକ୍‌ ହୋଇଛି। ପ୍ଲାଣ୍ଟରୁ ପୁଣି ଷ୍ଟାଇରିନ୍‌ ଗ୍ୟାସ୍ ଲିକ୍ ହେବାରୁ ସ୍ଥାନୀୟ ଅଞ୍ଚଳର ଲୋକେ ଘର ଛାଡ଼ି ପ୍ରାଣ ବିକଳରେ ରାସ୍ତା ଉପରକୁ ଚାଲି ଆସିଥିଲେ।

ଏପରିକି ଲୋକେ ଗାଡ଼ି ମୋଟରରେ ନିଜ ପରିବାରକୁ ବସାଇ ଅଞ୍ଚଳ ଛାଡ଼ି ପଳାଇଥିବା ସୂଚନା ମିଳିଛି। ଏହି ଗ୍ୟାସ୍ ଲିକ୍ ଯୋଗୁ ୨ରୁ ୩ କିଲୋମିଟର ପରିଧି ମଧ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା।

ଅନ୍ୟପଟେ ଏହି ଗ୍ୟାସ୍ ଲିକ୍‌କୁ ରୋକିବା ପାଇଁ ଗୁଜରାଟରୁ ସ୍ୱତନ୍ତ୍ର ଏୟାର ଇଣ୍ଡିଆ ବିମାନରେ PTBC କେମିକାଲ ଅଣାଯାଇଥିଲା। ଘଟଣା ସ୍ଥଳରେ ୧୦ଟି ଅଧିକ ଦମକଳ ବାହିନୀ ଓ ୨ ଟି ଫୋମ୍ ଟେଣ୍ଡର୍‌ ଗାଡ଼ିକୁ ମୁତୟନ କରାଯାଇ ଗ୍ୟାସ ଲିକେଜକୁ ଅଟକାଇଯାଇଥିଲା।

You might also like