ଚିକେନ ଦେବାକୁ ମନା କରିବାରୁ ଲଙ୍କାକାଣ୍ଡ, ଢ଼ାବାରେ ନିଆଁ ଲଗାଇଦେଲେ ଦୁଇ ଜଣ ଯୁବକ

ନାଗପୁର : କ୍ରୋଧ ଜର୍ଜରିତ ମାନସିକତା ପାଇଁ ନିଆଁ ଲାଗିଲା । ଚିକେନ୍ ପାଇଁ ନିଶାରେ ଚୁର ହୋଇଥିବା ଦୁଇ ଜଣ ଯୁବକ ଢ଼ାବାରେ ନିଆଁ ଲଗାଇ ଦେଇଛନ୍ତି । ଚିକେନ୍ ଶେଷ ହୋଇଯାଇଥିବାରୁ ବିଳମ୍ବିତ ରାତ୍ରିରେ ଢ଼ାବା ମାଲିକ ଚିକେନ୍ ଦେବାକୁ ମନା କରିଦେଇଥିଲେ । ତେବେ ଢ଼ାବା ମାଲିକଙ୍କ କଥା ଶୁଣି ଉତକ୍ଷିପ୍ତ ହୋଇ ମଦ୍ୟପମାନେ ଲଙ୍କାକାଣ୍ଡ ଘଟାଇଥିଲେ । ମହାରାଷ୍ଟ୍ର ନାଗପୁରରେ ଘଟିଛି ଏପରି ଅଭାବନୀୟ ଘଟଣା। ତେବେ ଢ଼ାବା ମାଲିକଙ୍କ ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍।

ନାଗପୁରର ବେଲତୋରୋଡ଼ି ଅଞ୍ଚଳରେ ଏହି ଘଟଣା ଘଟିଛି। ଗତ ରବିବାର ରାସ୍ତା କଡ଼ରେ ଥିବା ଢ଼ାବାକୁ ଅଭିଯୁକ୍ତ ଶଙ୍କର ତାୟଡ଼େ ଓ ସାଗର ପଟେଲ ଖାଇବା ପାଇଁ ପହଞ୍ଚିଥିଲେ । ଅଭିଯୁକ୍ତ ଦୁଇ ଜଣ ଖାଇ‍ବା ପାଇଁ ଢ଼ାବା ମାଲିକଙ୍କୁ ଚିକେନ୍ ଅଡ଼ର କରିଥିଲେ । କିନ୍ତୁ ରାତି ୧ଟା ହୋଇଥିବାରୁ ଚିକେନ୍ ଶେଷ ହୋଇଯାଇଥିବା କଥା ମାଲିକ କହିଥିଲେ ।

ଚିକେନ ଶେଷ ହୋଇଯାଇଥିବା କଥା ଶୁଣି ଶଙ୍କର ଓ ସାଗର ରାଗିଯାଇ ଢ଼ାବାରେ ନିଆଁ ଲଗାଇ ଦେଇଥିଲେ । ନିଆଁ ଲାଗି ଢ଼ାବାଟି ପୁରା ଛାରଖାର ହୋଇଯାଇଥିବା ବେଳେ ଏହି ଦୁର୍ଘଟଣାରେ କେହି ଆହତ ହୋଇନଥିବା କଥା ସୂଚନା ମିଳିଛି । ତେବେ ଏହି ଘଟଣାକୁ ନେଇ ଢ଼ାବା ମାଲିକର ଅଭିଯୋଗ ଆଧାରରେ ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିନେଇଛି। ଅଭିଯୁକ୍ତଙ୍କୁ ଥାନାକୁ ନେଇ ପଚରାଉଚରା କରାଯାଉଛି ।

ସୂଚନାଯୋଗ୍ୟ ଏହା ନୂଆ ନୁହେଁ, ନାଗପୁରରେ ପୂର୍ବରୁ ମଧ୍ୟ ଏପରି ଘଟଣା ଘଟିସାରିଛି । ପୂର୍ବରୁ ମାନକପୁର ଅଞ୍ଚଳରେ ଜଣେ ବ୍ୟକ୍ତି ଅଣ୍ଡା ପାଇଁ ନିଜ ସାଙ୍ଗକୁ ହତ୍ୟା କରିଥିଲେ । ସାମାନ୍ୟ ଅଣ୍ଡା ତରକାରୀ ତିଆରି କରିବାରୁ ବନ୍ଧୁତ୍ୱ ଭୁଲି ସାଙ୍ଗକୁ ଲୁହାରଡ଼ରେ ବାଡ଼େଇ ବାଡ଼େଇ ମାରିଦେଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

You might also like