ଚାଷୀ ଆନ୍ଦୋଳନ; ସିଂଘୁରେ ମୁତୟନ ୨ ଆଇପିଏସ୍ଙ୍କୁ କରୋନା
ନୂଆଦିଲ୍ଲୀ: ଦିଲ୍ଲୀ ସୀମାନ୍ତରେ ଚାଷୀ ଆନ୍ଦୋଳନ ଶୁକ୍ରବାର ୧୬ ଦିନରେ ପହଞ୍ଚିଛି। ନୂଆ କୃଷି ବିଲ୍ ପ୍ରତ୍ୟାହାର ଦାବିରେ ଅଡି ବସିଛନ୍ତି ଚାଷୀ। ପଞ୍ଜାବ ସମେତ ଅନେକ ରାଜ୍ୟରୁ ଆସିଥିବା ହଜାର ହଜାର ଶ୍ରମିକ ସିଂଘୁ, ଟିକରୀ, ଚିଲ୍ଲା ଏବଂ ଗାଜିପୁର ସୀମାରେ ଅଟକି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚଲାଇଛନ୍ତି। ଆନ୍ଦୋଳନକୁ ଦୃଷ୍ଟିରେ ରଖି ବ୍ୟାପକ ଦିଲ୍ଲୀ ପୋଲିସ ମୁତୟନ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ସିଂଘୁ ସୀମାରେ ମୁତୟନ ୨ ଜଣ ଆଇପିଏସ୍ ଅଫିସର କରୋନା ସଂକ୍ରମିତ ହୋଇଛନ୍ତି। ଦୁଇ ଅଫିସରଙ୍କ ଚିକିତ୍ସା ଚାଲିଛି।
ଏହା ପୂର୍ବରୁ ଆନ୍ଦୋଳନରତ କିଛି ଶ୍ରମିକଙ୍କୁ ଜ୍ୱର ହୋଇଥିଲା। ଏହା ଜାଣିବା ପରେ ସୋନିପତ ଡିଏମ ଶ୍ୟାମଲାଲ ପୁନିଆ କୃଷକମାନଙ୍କୁ କରୋନା ଟେଷ୍ଟ କରାଇବା ପାଇଁ ଆଦେଶ ଦେଇଥିଲେ। ଧାରଣରେ ବସିଥିବା ଯେଉଁ ଚାଷୀମାନେ ଜ୍ୱରରେ ଆକ୍ରାନ୍ତ ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରିବାକୁ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ କହିଥିଲେ।ଏଥିସହିତ ସେମାନଙ୍କର ମାଗଣାରେ କରୋନା ଟେଷ୍ଟ କରିବାକୁ କହିଥିଲେ। ଯଦି ଏମାନଙ୍କ ମଧ୍ୟରୁ କେହି ସଂକ୍ରମିତ ହୋଇଥାନ୍ତି ତୁରନ୍ତ ସେମାନଙ୍କର ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ତେବେ ଦୁଇ ପୋଲିସ ଅଧିକାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିବା ଭୟର ବାତାବରଣ ସୃଷ୍ଟି ହୋଇଛି। ଆକ୍ରନ୍ତ ଦୁଇ ପୋଲିସ ଅଧିକାରୀ ହେଲେ ଡିସିପି ଗୌରବ ଏବଂ ଅତିରିକ୍ତ ଡିସିପି ଘନଶ୍ୟାମ ବଂଶଲ। ଉଭୟେ ହୋମ ଆଇସୋଲେସନରେ ଅଛନ୍ତି।